ଦୁଇ ସ୍ତ୍ରୀଙ୍କୁ ନିର୍ଯାତନା, ଜେଲ ଗଲା ସ୍ବାମୀ

ପାଣିକୋଇଲି: ଦୁଇ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଜେଲ ଗଲା। କୋରେଇ ଥାନା ପଠାନ ମହଲା ଗ୍ରାମର ମମ୍ତାଜ ଖାଁଙ୍କ ପୁଅ କୁନା ସୁଲତାନ ଖାଁ (୩୮) ପାଣିକୋଇଲି ଥାନା ବଡବିରୁହାଁ ସଗଡି ଗ୍ରାମର ମିରକତିବୁଦ୍ଦିନ ବେଗ୍ ଙ୍କ ବଡ ଝିଅ ରିଜ୍ୱାନା ବେଗମ (୩୫) କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସୁସମ୍ପର୍କ ଥିଲା । ବାହାଘର ୨ବର୍ଷ ପରେ କୌଣସି କାରଣକୁ ନେଇ କୁନା ସ୍ତ୍ରୀ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ। ସବୁବେଳେ ଝଗଡା କରିବା ସହିତ ପୁନଶ୍ଚ ବିବାହ କରିବେ ବୋଲି ମନସ୍ଥ କଲେ । କୁନା ନିଜ ଶାଳୀ ଗୁଲଶାନ ବିବି ବେଗମ (୨୪)କୁ ପ୍ରେମ ଜାଲରେ ଫସେଇ ୨୦୧୫ ମେ ୨୯ ବିଳମ୍ବିତ ରାତିରେ ଶାଳୀକୁ ନେଇ ଫେରାର ହୋଇଯାଇଥିଲା। ଏନେଇ ଶ୍ବଶୁର ପାଣିକୋଇଲି ଥାନାରେ ଝିଅ ନିଖୋଜ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ଶାଳୀକୁ ନେଇ କୁନା ମୟୂରଭଞ୍ଜରେ ରଖିଥିଲେ। ସେଠାରେ ରହିଲା ପରେ ତାଙ୍କ ଉପରେ ମଧ୍ୟ ନିର୍ଯାତନା ଆରମ୍ଭ ହୋଇଥିଲା। ଭୟଭୀତ ହୋଇ ଗୁଲଶାନ ବାପ ଘର ସହିତ ଯୋଗାଯୋଗ କରିବା ସହିତ ତୁରନ୍ତ ସେଠାରୁ ଉଦ୍ଧାର କରିବାକୁ କହିଥିଲା। ଗତ ୯ ତାରିଖ ଦିନ ପରିବାର ଲୋକେ ପାଣିକୋଇଲି ପୁଲିସ ସହାୟତାରେ ଗୁଲଶାନକୁ ସେଠାରୁ ଉଦ୍ଧାର କରିଥିଲେ। କୁନା ଘରେ ଲୁଚିଥିବା ବେଳେ ପାଣିକୋଇଲି ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା। ପୁଲିସ ୭୯/୨୦୧୫ ଓ ଆଇପିସି ଧାରା ୩୪ ରେ ୩୬୩, ୩୬୬(ବି), ୩୭୬(୨) ଦଫାରେ ଅଭିଯୁକ୍ତ କୁନାକୁ ଆଜି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର