କାଳିଆପାଣି (ରବି ନାରାୟଣ କର): ଅଜଣା ଗାଡ଼ି ଧକ୍କାରେ ୨ ପୃଥକ ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଗରିବ ଆଦିବାସୀ ମୁଣ୍ଡା ପରିବାର ଅସହାୟ ହୋଇପଡ଼ିଛନ୍ତି। ମୃତକ ଦ୍ବୟ କାଳିଆପାଣି ଥାନା ଗରାମିଆଁ ପୁରୁଣାପାଣି ବିସ୍ଥାପନ କଲୋନିର ଲେଙ୍ଗା ମୁଣ୍ଡାଙ୍କ ପୁଅ ଯୋଗେନ୍ଦ୍ର(୨୩) ଓ ସୁକିନ୍ଦା ଥାନା ପୁବଳ ଗାଁର ଗଙ୍ଗା ମୁଣ୍ଡାଙ୍କ ପୁଅ ବୁଦୁରାମ(୪୫)। ଘଟଣାସ୍ଥଳରେ ଦୁର୍ଘଟଣା ଜନିତ ଶୋଚନୀୟ ମୃତ୍ୟୁକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ପୁବଳରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ଦେଢ଼ଘଣ୍ଟା ଧରି ଜାତୀୟ ରାଜପଥ-୫୩ ଅବରୋଧ ଦେଖା ଯାଇଥିଲା।
ସେହିପରି ଖଣିଅଞ୍ଚଳ ମୁଖ୍ୟରାସ୍ତା କାଳିଆପାଣି ଥାନା ଟମକା-ମଙ୍ଗଳପୁର ସଡ଼କର ଭୀମଟାଙ୍ଗର ଗାଁ ହମ୍ପ୍ସରେ ଅନ୍ୟ ଏକ ଦୁର୍ଘଟଣାରେ ବିଳମ୍ବିତ ରାତି ରାସ୍ତାଜାମ୍ ହୋଇଥିଲା। ଭୀମଟାଙ୍ଗରରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୋଗେନ୍ଦ୍ରଙ୍କ ନିସ୍ତେଜ ଶରୀର ସଡ଼କ ମଝିରେ ପଡ଼ି ରହିଥିଲା। ପରିବାର ଓ ପୁଲିସ ଆସିବା ପରେ ଯୋଗେନ୍ଦ୍ରଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ଏହି ସମୟ ମଧ୍ୟରେ ଘଟଣାସ୍ଥଳରେ ଘଣ୍ଟାଏ ପାଖାପାଖି ରାସ୍ତାଜାମ୍ ହୋଇଥିଲା। ଲୋକେ ଯାତ୍ରା ଦେଖି ଘର ଫେରିବା ବାଟରେ ଫସି ରହିଥିଲେ। ଡାକ୍ତର ଯୋଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପାଙ୍କ ଏତଲାକୁ ନେଇ ଥାନାରେ ଏକ ମାମଲା ରୁଜୁକରି ପୁଲିସ ଏହାର ତଦନ୍ତ କରୁଥିବା କହିଛି।
ଯୋଗେନ୍ଦ୍ର ଗତକାଲି ସାଙ୍ଗମାନଙ୍କ ସହ ସୌରିକ ଦୁର୍ଗାପୂଜା ଓ ଦଶହରା ମେଳା ଆସିଥିଲେ। ରାତି ଅନିଦ୍ରା ହୋଇ ଅପେରା ଦେଖିବାକୁ ଅନିଛା ପ୍ରକାଶ କରି ଏକାକୀ ବାଇକ୍(ଓଡି-୦୬ଇ-୮୮୪୦)ରେ ଘର ଫେରୁଥିଲେ ହେଁ ଯାତ୍ରାପଡ଼ିଆରୁ ମାତ୍ର ୨ଶହ ମିଟର ଦୂରରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଆଇଟିଆଇ ପାସ୍ କରି ଏକ ଘରୋଇ ସଂସ୍ଥାରେ ୱେଲ୍ଡର ଭାବେ କାମ କରୁଥିବା ଯୋଗେନ୍ଦ୍ର ଦେଢ଼ବର୍ଷ ତଳେ ବିବାହ କରିଥିଲେ। ତାଙ୍କ ମୃତ୍ୟୁରେ ୬ ମାସର ଶିଶୁକନ୍ୟାକୁ ନେଇ ପତ୍ନୀ ଜେମା ବେସାହାରା ହୋଇପଡ଼ିଛନ୍ତି।
ପରିବାର ମୁଖ୍ୟ ବୁଦୁରାମଙ୍କ ଅକାଳ ମୃତ୍ୟୁରେ ତାଙ୍କ ୬ ଜଣିଆ ପରିବାର ବେସାହାରା ହୋଇପଡ଼ିଛନ୍ତି। ୪ ପୁଅ ଓ ଝିଅଙ୍କୁ ନେଇ ପତ୍ନୀ ଗୁରୁବାରୀ ମୁଣ୍ଡା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦାଦନ ଶ୍ରମିକ ବଡ଼ପୁଅ ରାଜେଶ(୨୦), ସ୍କୁଲ ଯାଉଥିବା ପୁଅ ଆଶିଷ(୧୩), ଶିବ(୯) ଓ ଅର୍ଜୁନ(୬) ଓ ବିବାହ ଅପେକ୍ଷାରେ ଥିବା ଝିଅ ପୁଷ୍ପାଙ୍କ ଭବିଷ୍ୟତକୁ ନେଇ ସେ ମ୍ରିୟମାଣ।
ସୂଚନାଯୋଗ୍ୟ ଯେ, ରାଜପଥ ପାର୍ଶ୍ବସ୍ଥ ତାଙ୍କ ଘରକୁ ଶାଳୀ ଓ ସଡ଼ୁ ଆସିଥିବା ଖୁସିରେ ବୁଦୁରାମ ଗତକାଲି ସଂଧ୍ୟା ରାସ୍ତା ପାରହୋଇ ଚାଲିଚାଲି ନିକଟସ୍ଥ ବଜାର ଯାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଅଜଣା ଟ୍ରକ୍ ତାଙ୍କୁ ଚାପି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଥିଲେ। ଉଭୟ ଘଟଣାରେ ପୁଲିସ ସଂପୃକ୍ତ ୨ ଗାଡ଼ିର ସନ୍ଧାନ କରୁଥିବା ଜଣାପଡ଼ିଛି। ଆଜି ଶବ ବ୍ୟବଛେଦ ପରେ ୨ ମୃତକଙ୍କ ମରଶରୀର ପୁରୁଣାପାଣି ଓ ପୁବଳରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ସେମାନଙ୍କ ଶେଷକୃତ୍ୟ କରାଯାଇଛି।
Accident | Jajpur