୧୯ ବର୍ଷରୁ କମ୍ କ୍ରିକେଟ: ଓଡ଼ିଶା ଦଳରେ ମିର୍ଜାପୁରର ସୋହେଲ

ଯାଜପୁର/ରସୁଲପୁର : ରସୁଲପୁର ବ୍ଲକ ରହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ମହମ୍ମଦ ସୋହେଲ ଖାନ୍ ୧୯ ବର୍ଷରୁ କମ୍ ଭିନୁ ମଙ୍କଡ଼‌ ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ ଟିମ୍‌ରେ ସ୍ଥାନ ପାଇଛନ୍ତି। ସଂପ୍ରତି ‌ସେ ମଧୁବନ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ପିଲାଟି ଦିନରୁ କ୍ରିକେଟ ପ୍ରତି ସୋହେଲଙ୍କର ବିଶେଷ ରୁଚି ରହିଥିଲା। ଅତୀତରେ ସେ ୧୬ ବର୍ଷରୁ କମ୍‌ ଦଳରେ ସାମିଲ ହୋଇ ଓଡ଼ିଶାକୁ ପ୍ରତିନିଧିତ୍ଵ କରିଛନ୍ତି। ୧୯ ବର୍ଷରୁ କମ୍‌ ଟିମ୍‌ରେ ସାମିଲ ହେବା ଖବର ମିଳିବା ପରେ ମଧୁବନ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ସେ ଶିକ୍ଷକ ନ୍ୟାମତ ଅଲ୍ଲୀ ଖାନଙ୍କ କନିଷ୍ଠ ପୁତ୍ର।

ଏହି ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ କଟକ ବାରବାଟୀ ଷ୍ଟାଡିଅମରେ ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥିରେ ସୋହେଲେ ଯାଜପୁର ଜିଲ୍ଲାରୁ ପ୍ରତିନଧିତ୍ବ କରୁଥିଲେ। ବିଭିନ୍ନ ଜିଲ୍ଲାରୁ ୯୯ଜଣ ଖେଳାଳିଙ୍କୁ ତାଲିମ ଶିବିରକୁ ଚୟନ କରାଯାଇଥିଲା। ସେଠାରେ ସେମାନଙ୍କ ପ୍ରତିଭାକୁ ୮ ଦିନ ଧରି ଚୟନର୍ତ୍ତାମାନେ ନିରୀକ୍ଷଣ କରିଥିଲେ। ପରେ ୨୦ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିଛି। ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ତାଙ୍କ ନାମ ସାମିଲ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର