କୟାଁଗୋଲା: କାଉଡ଼ିଆଙ୍କ ପାଇଁ ଦଶରଥପୁର ବ୍ଲକ୍‌ର ମଙ୍ଗଳପୁର ବଜାର ଓ କୟାଁଗୋଲା ଚଳଚଞ୍ଚଳ ହୋଇଛି। ଏହି ବାଟ ଦେଇ ହଜାରହଜାର କାଉଡ଼ିଆ ବାବା ଆଖଣ୍ଡଳମଣି ପୀଠକୁ ଜଳାଭିଷେକ ପାଇଁ ଯାତ୍ରା କରୁଛନ୍ତି। ବୋଲ୍‌ବମ୍‌ ଧ୍ବନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ କେତେକ ଭକ୍ତ ଡିଜେ ସାଉଣ୍ଡ ବଜାଇ ଯାଉଥିବାରୁ କାନଫଟା ଶବ୍ଦରେ ରାସ୍ତାଘାଟ କମ୍ପୁଛି। ବହୁ କାଉଡ଼ିଆ ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି।
ବର୍ତ୍ତମାନ ଶ୍ରାବଣ ମାସ ହୋଇଥିବାରୁ ବୋଲବମ୍‌ ଭକ୍ତମାନେ ଯାଜପୁର ଜିଲ୍ଲା ବିଭିନ୍ନ ନଦୀଘାଟରୁ ପାଣି ଭାର ନେଇ ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣି ପୀଠକୁ ଯାଉଛନ୍ତି। ଟାଟା ଏସି, ଅଟୋ, ଟାଟା ମ୍ୟାଜିକ, ପିକଅପ ଭ୍ୟାନ୍‌, ମିନିଟ୍ରକ ଓ ଟ୍ରକ, ଏପରିକି ଟ୍ରାକ୍ଟର ଡାଲାରେ ମଧ୍ୟ ଏମାନେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ମାଇକ୍‌, ସାଉଣ୍ଡ ବକ୍ସ ସହ ଡିଜେ ଲଦି ତା’ଉପରେ କାଉଡ଼ିଆମାନେ ବସୁଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ଯାଜପୁର ବୈତରଣୀ ନଦୀଘାଟଠାରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମାଇକ ଓ ଡିଜେ ସାଉଣ୍ଡରେ କମ୍ପୁଛି। ମାତ୍ରାଧିକ ଧ୍ବନି କାରଣରୁ ରୋଗୀ ଓ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି। ଏ ଦିଗରେ ପୁଲିସ ପ୍ରଶାସନ ଆଖିବୁଜିଦେଇଥିବା ଅଭିଯୋଗ ହେଉଛି।
ଯାଜପୁରରୁ ବାବା ଆଖଣ୍ଡଳମଣିଙ୍କ ବାଟରେ ରାମବାଗ ଫାଣ୍ଡି, ଦଶରଥପୁର ଥାନା, ମଙ୍ଗଳପୁର ଥାନା ଓ ଆରଡ଼ି ଥାନା ରହିଥିଲେ ମଧ୍ୟ ଗାଡ଼ି ଡାଲା ଉପରେ କାଉଡ଼ିଆଙ୍କ ବିପଦସଙ୍କୁଳ ଯାତ୍ରା ଚାଲିଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ପଦକ୍ଷେପ ନେବାକୁ ଦାବି ହୋଇଛି।