କାଳିଆପାଣି: ଯାଜପୁର ସୀମାବର୍ତ୍ତୀ ଦାନଗଦୀ ତହସିଲ ଗୋବର୍ଦ୍ଧନପୁର ରାଜସ୍ବ ସର୍କଲ ଉଚ୍ଚବାଲି ପଞ୍ଚାୟତର କରଡ଼ାପାଳ ଗାଁ (୧୦ ନଂ ୱାର୍ଡ)ରେ ପାଣି ଅଭାବରୁ ନିଆଁ ଲିଭାଇବାକୁ ନାକଦେମ ହୋଇଛି ଦମକଳ ବାହିନୀ। ଅଧଘଣ୍ଟା ପରିବର୍ତ୍ତେ ଦୀର୍ଘ ୭ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ସମୟ ଭିତରେ ଛଣଗଦା ପୋଡ଼ି ପାଉଁଶ ହୋଇଯାଇଥିଲା ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାବର୍ତ୍ତୀ କୁଶଭଦ୍ରା(କୁଶେଇ) ନଦୀପଠାରେ ମାଳମାଳ ଶୁଖିଲା କାଶତଣ୍ଡୀ ବୁଦାରେ ଗତକାଲି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ଦିନ ସାଢ଼େ ଗୋଟାଏ ବେଳେ ନଦୀକୂଳ ପଟୁ ଗାଁକୁ ଝାଞ୍ଜି ପବନ ବହିଥିଲା। ନଦୀପଠାରୁ ନିଆଁ ଝୁଲ ଉଡ଼ି ଗୋବିନ୍ଦ ସାହୁଙ୍କ ଦୁଇ ପୁଅ ଅଶୋକ ସାହୁ ଓ ରାଜେନ୍ଦ୍ର ସାହୁଙ୍କ ଦୁଇଟି ବଡ଼ ଛଣଗଦାକୁ ଧରିଥିଲା। ଦାନଗଦୀ ଅଗ୍ନିଶମ ବାହିନୀ ସାଢ଼େ ୩ ଟାରେ ଘଟଣାସ୍ଥଳ ପହଞ୍ଚିଥି ଆଣିଥିବା ପାଣିରେ ନିଆଁ ଲିଭା ଉଦ୍ୟମର କିଛି ସମୟ ପରେ ଫାୟାର ମେସିନ ଇଞ୍ଜିନ (ଏଫ୍ଏମ୍ଇ) ଖରାପ ହୋଇଯାଇଥିଲା। ତା’ର କିଛି ସମୟ ପରେ କେନ୍ଦୁଝର ଜିଲ୍ଲା ଶାଳପଡ଼ାରୁ ଯନ୍ତ୍ରାଂଶ ଆଣି ଏହାକୁ ସଜଡ଼ା ଯାଇଥିଲା। ସାଙ୍ଗରେ ଆଣିଥିବା ପ୍ରଥମ ଟ୍ୟାଙ୍କର ପାଣି ମଧ୍ୟ ସରିଯାଇଥିଲା। ଗାଁ ଓ ଏହାର ଆଖପାଖ କୂଅପୋଖରୀ ଶୁଖିଲା ପଡ଼ିଥିବାର କୁଶେଇ ନଦୀପଠାରେ ନିର୍ମାଣାଧୀନ ପ୍ରକଳ୍ପର ଚୁଆରୁ ପ୍ରାୟ ତିନିଶହ ମିଟର ଦୂରକୁ ହୋସ୍ ପାଇପ୍ ବିଛାଇ ପାଣି ସଂଗ୍ରହ ହୋଇଥିଲା। ନଦୀ ମଧ୍ୟକୁ ଟ୍ବିନ୍ ଟେଣ୍ଡର ପୂରାଇ ପାଣି ଧରି ଫେରିବା ବାଟରେ ଦମକଳ ଚକ ବାଲିରେ ଫସି ଯାଉଥିଲା। ଏମିତିରେ ଥରକୁ ଥର ୪ ଟ୍ୟାଙ୍କର ପାଣି ସଂଗ୍ରହ କରି ନିଆଁ ଆୟତ୍ତ କଲାବେଳକୁ ୭ ଘଣ୍ଟା ଲାଗି ଯାଇଥିଲା। ଦମକଳ କେନ୍ଦ୍ର ଫେରିଲା ବେଳକୁ ରାତି ସାଢ଼େ ୧୧ଟା ହୋଇଯାଇଥିଲା।
ଏହି ପଞ୍ଚାୟତ ଓ ପାଖପାଖି ବହୁ ଗାଁରେ ଶହଶହ ଗରିବ ପରିବାର ଛଣଛପର ଘରେ ବାସ କରୁଥିବା ବେଳେ ଇଲାକାରେ ଜଳାଭାବ ସମସ୍ୟା ଅତ୍ୟନ୍ତ ଗମ୍ଭୀର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯଥାଶୀଘ୍ର ପଞ୍ଚାୟତରେ ଏକ ବୃହତ୍ତ ଜଳାଶୟ କିମ୍ବା ପୁଷ୍ପରିଣୀ ନିର୍ମାଣ ପାଇଁ ସରପଞ୍ଚ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/900e3a0b-66f0-4c74-a8f8-411e8cc64e09-1.jpg)