ଯାଜପୁର: ଦୁର୍ବୃତ୍ତଙ୍କ ଭୟରେ ଗାଁକୁ ଯାଉନାହାନ୍ତି ପରିବାର। ପରିବାରର ସଦସ୍ୟମାନେ ମାଡ଼ ଖାଇବା ପରେ ଏବେ ଏଣେ ତେଣେ ବୁଲୁଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଦୁର୍ବୃତ୍ତମାନଙ୍କ ଭୟରେ ନିଜ ଗାଁକୁ ପଶି ପାରୁନାହାନ୍ତି ଏକ ପରିବାରର ୭ ଜଣ ସଦସ୍ୟ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତର ରୁଦ୍ରପୁର ଗାଁରେ।
ପୂର୍ବରୁ ଥିବା ରାଜନୈତିକ ବିବାଦ ପରବର୍ତ୍ତୀ ସମୟରେ ଗଣ୍ଡଗୋଳର ରୂପ ନେବାରୁ ଗୋଟିଏ ପରିବାର ୭ ଜଣ ସଦସ୍ୟ ଲହୁଲୁହାଣ ହୋଇ ଚିକିତ୍ସିତ ହୋଇଥିଲେ। ତେବେ ଦୁର୍ବୃତ୍ତମାନଙ୍କ ବିରୋଧରେ ଏବେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ଆଣିଛନ୍ତି ପରିବାରର ସଦସ୍ୟମାନେ। ଫଳରେ ପରିବାର ସଦସ୍ୟମାନେ ଏହାର ସମାଧାନ ପାଇଁ ଯାଜପୁର ଏସଡିପିଓଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି।
ସୂଚନା ଅନୁସାରେ ରୁଦ୍ରପୁର ଗ୍ରାମରେ ପୂର୍ବରୁ ରାଜନୈତିକ କାରଣରୁ ମାନସୀ ମଲିକ ନାମ୍ନୀ ଅଭିଯୋଗକାରିଣୀଙ୍କ ପରିବାରର ଉକ୍ତ ଅଞ୍ଚଳର ଆଉ ଏକ ଗୋଷ୍ଠୀ ମଧ୍ୟରେ ତିକ୍ତତା ରହିଥିଲା। ତେବେ ୧୭ ତାରିଖ ଦିନ ମାନସୀଙ୍କ ପରିବାରର କିଛି ଲୋକ ନଦୀକୁ ଗାଧୋଇ ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀରୁ ୨୦ରୁ ଉର୍ଧ୍ବ ଲୋକ ବିନା କାରଣରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାକୁ ବିରୋଧ କରିବାରୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ତେବେ ଏନେଇ ମାନସୀ ମଲିକ ବିଂଝାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ନୀରବ ରହିଥିଲା। ଦୁର୍ବୁତ୍ତଙ୍କ ଭୟରେ ପରିବାର ଗାଁକୁ ଯାଉନଥିବା ବେଳେ ବନ୍ଧୁବାନ୍ଧବ ଘରେ ଏଣେ ତେଣେ ବୁଲି ରାତି କାଟୁଛନ୍ତି। କାରଣ ଦୁର୍ବୁତ୍ତମାନେ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ନିଜର ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟ ଯାଜପୁର ଏସପିଙ୍କୁ ଭେଟିଥିବା ବେଳେ ଏସପି ଏନେଇ ବିଂଝାରପୁର ଆଇସିସିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଂଝାରପୁର ପୁଲିସ ନୀରବ ବସିଥିବା ଅଭିଯୋଗ ହୋଇଛି।
ମାନସୀଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବାରୁ ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଆକ୍ରମଣରେ ୨୧ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ତେବେ ପରିବାରର ମାଡ଼ ଖାଇଥିବା ସଦସ୍ୟମାନେ ଏସଡିପିଓଙ୍କୁ ଭେଟି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ପରିବାର ଲୋକ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଧାରଣା ଦେବାକୁ କହିଛନ୍ତି। ଅନ୍ୟପଟେ ଏନେଇ ଯାଜପୁର ଟାଉନ ଏସଡିପିଓ ଏନସି ବାରିକ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି। ୪ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/c36776d1-c459-40ae-ad23-024e83bc5ee1.jpg)