ଦଶରଥପୁର: ଜଣେ ବିବାହିତ ମହିଳାଙ୍କୁ ଶାଶୁ ଘର ଲୋକ ଲୋମ ଟାଙ୍କୁରା ଆକ୍ରମଣ କରିଛନ୍ତି। ଏହି ଘଟଣା ଏଭଳି ଭାବେ କରାଯାଇଛି, ଯାହା ଦେଖାଇବା କିମ୍ବା ବଖାଣିବା ଅସମ୍ଭବ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧୀନରେ।
ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ୩୦ରେ ଶାଶୁ ଘର ଲୋକ ପ୍ରଣତି ଦାସଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହିତ ଗରମ ଲୁହାଛଡ଼କୁ ଜଙ୍ଘ, ହାତ, ପେଟ, ପିଠି, ଛାତି ଏବଂ ଯୌନାଙ୍ଗରେ ଚେଙ୍କ ଲଗାଇଛନ୍ତି। ଫଳରେ ଶରୀରରେ ଏକାଧିକ ସ୍ଥାନରେ ସିଝି ଫୋଟକା ହୋଇଯାଇଥିବା ଦେଖିବାକୁ ମିଳିଛି। ପାଟିରୁ ଫେଣ ବାହାରିବ ସହିତ କଥା କହି ପାରୁନାହାନ୍ତି। ଏହିଭଳି ଅବସ୍ଥାରେ ଶାଶୂଘର ଲୋକ ସେଠାରେ ଆକ୍ରମଣ କରି ଶାଶୁ ଛବିରାଣୀ ଦାସ ଏବଂ ସ୍ୱାମୀ ଜଗବନ୍ଧୁ ଦାସଙ୍କ ସମେତ ଅନ୍ୟ ପରିବାର ଲୋକ ବାପ ଘର ଦିହୁଡିସାହି ଠାରେ ଏକ ଅଟୋରେ ଛାଡି ପଳାଇଥିଲେ।
ପ୍ରଣତିଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଶାଶୁ ଛବରାଣୀଙ୍କୁ ଅଟକାଇ ଥିବାବେଳେ ସ୍ୱାମୀ ଜଗବନ୍ଧୁ ଏବଂ ଅଟୋ ଚାଳକ କୌଶଲକ୍ରମେ ଖସିଯାଇଥିଲେ। ପ୍ରଣତିଙ୍କୁ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି। ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଡାକ୍ତର ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି ମଙ୍ଗଳପୁର ଥାନା ଅଧିନସ୍ଥ କନିକାପଡ଼ା ପଞ୍ଚାୟତ ଦିହୁଡ଼ିସାହି ଗ୍ରାମର ସ୍ବର୍ଗତ ଅରୁଣ ଦାସଙ୍କ ଝିଅ ପ୍ରଣତି ଦାସ (୩୨) ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ କଲ୍ୟାଣୀ ଗ୍ରାମର ଜଗବନ୍ଧୁ ଦାସ (୩୮)ଙ୍କୁ ବିବାହ କରିଥିଲେ, ବିବାହ ପରେ ଶାଶୂଘର ଲୋକେ ବାରମ୍ବାର ଆକ୍ରମଣ କରି ଆସୁଥିଲେ। ଗତବର୍ଷ ପ୍ରାଣାନ୍ତକ ଆକ୍ରମଣ କରିଥିବାବେଳେ ସେ କଟକ ବଡ଼ମେଡ଼ିକାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରିଥିଲେ। ପ୍ରଣତିଙ୍କ ମା ଜ୍ୟୋତ୍ସ୍ନାରାଣୀ ଦାସ ଏଥିନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
ରିପୋର୍ଟ: ଚନ୍ଦ୍ରଶେଖର ସାହୁ
Jajpur | Crime