କାଳିଆପାଣି (ରବି ନାରାୟଣ କର): ରେଳଧାରଣାରେ ଶିଶୁପୁତ୍ରର ମୃତଦେହ। ଗୁରୁତର ଅବସ୍ଥାରେ ଶିଶୁର ମା’ ଛଟପଟ ହେଉଥିବା ବେଳେ ମହିଳାଙ୍କର ନାବାଳିକା ଝିଅର ବଞ୍ଚାଅ ବଞ୍ଚାଅ ଚିତ୍କାର। ହେଲେ ଦୁର୍ଗମ ଅଞ୍ଚଳର ନିର୍ଜନ ସ୍ଥାନରେ ଶିଶୁପୁତ୍ରର ମୃତଦେହକୁ ନେବ କିଏ? ଗୁରୁତର ମହିଳା ଓ ଶିଶୁପୁତ୍ରଙ୍କୁ ଉଦ୍ଧାର କରିବ କିଏ? ମା’ ଓ ପୁଅଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ପାଇଁ ଲୋକ ନାହାନ୍ତି। କିନ୍ତୁ କଥାରେ କୁହାଯାଏ ଯେ, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ? ଏହି ଉକ୍ତିର ସତ୍ୟତା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଜୀବନ ହାରିବାକୁ ଚାହିଁଥିଲେ ମଧ୍ୟ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଦୁଇ ଅମୂଲ୍ୟ ଜୀବନକୁ ଉଦ୍ଧାର କରି ଟ୍ରେନ୍ର ଲୋକୋ ପାଇଲଟ୍ ମାଲଗାଡ଼ିର ପଛରେ ଥିବା କ୍ୟାବିନ୍ରେ ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି।
ପାରିବାରିକ ଜଞ୍ଜାଳ କିମ୍ବା କଳହକୁ ଆଳ କରି ଆଜି ଅପରାହ୍ଣ ପ୍ରାୟ ୩ଟାରେ ଜଣେ ସ୍ଥାନୀୟ ଆଦିବାସୀ ମହିଳା ନିଜ ଶିଶୁପୁତ୍ର ଓ ନାବାଳିକା ଝିଅଙ୍କୁ ସାଥୀରେ ଧରି ଏକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁଥିଲେ। ସୁକିନ୍ଦା-ତାଳଚେର ରେଳପଥର ଦାମୋଦରପୁର ଗାଁ ହଂସୀପୋଖରୀ ପାଖ ରେଳଧାରଣା ଉପରକୁ ମହିଳା ଜଣକ ଏକ ମାଲଗାଡ଼ି ଡ୍ରେନ୍ ଆଗକୁ ଡେଇଥିଲେ। ମାଲଗାଡ଼ିଟି ଶିଶୁପୁତ୍ରକୁ ଚାପି ଦେଇଥିଲା।
ତେବେ ଲୌହଦାନବ ମହିଳାଙ୍କୁ ଆଘାତ ଦେଇଥିଲା, ଯେଉଁଥିରେ ସେ ଶକ୍ତ ଧକ୍କା ଖାଇଥିଲେ। ଟ୍ରେନ୍ଟି ଆଗକୁ ବଢ଼ିଲା ପରେ ମହିଳା ଜଣକ ସେଠାରେ ଗୁରୁତର ହୋଇ ପଡ଼ିଥିଲେ। ଖୁସିର କଥା ହେଲା ନାବାଳିକା ଅଳ୍ପକେ ବର୍ତ୍ତି ଯାଇଥିଲା। ସେ କେବଳ କାନ୍ଦୁଥିଲା। କ୍ରନ୍ଦନରତ ନାବାଳିକାକୁ କୋଳରେ ଧରି ମା’ ମଧ୍ୟ କାନ୍ଦୁଥିଲେ।
ଏହି ଅପ୍ରୀତିକର ଘଟଣା ପରେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ତାଳଚେର ପାର୍ଶ୍ବରୁ ଅନ୍ୟ ଏକ ମାଲବାହୀ ଟ୍ରେନ୍ ସୁକିନ୍ଦା ଅଭିମୁଖେ ଯାଉଥିଲା। ଏହି ଟ୍ରେନ୍ର ଲୋକୋ ପାଇଲଟ୍ ଦେଖିଲେ ଯେ, ରେଳଧାରଣା ଉପରେ ଜଣେ ମହିଳା ନିଜର କ୍ଷତାକ୍ତ ଝିଅକୁ ଧରି କାନ୍ଦୁଛନ୍ତି।ପାଖରେ ପୁଅର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଛି। ସେ ଟ୍ରେନ୍କୁ ଅଟକାଇଲେ। ଲୋକଙ୍କୁ ଡାକ ପକାଇଥିଲେ। କିନ୍ତୁ ଖଣି-ଖାଦାନରେ ପରିପୂର୍ଣ୍ଣ ସୁକିନ୍ଦା ଅଞ୍ଚଳରେସଡ଼କ ବ୍ୟବସ୍ଥା ଠିକ ନଥିବା ଏବଂ ମହିଳାଙ୍କ ଅବସ୍ଥା ଗୁରୁତର ଜାଣି ସେହି ଟ୍ରେନର ପଛ ଡବାରେ ମା’ଝିଅଙ୍କୁ ନେଇ ସୁକିନ୍ଦାଗଡ଼ ଷ୍ଟେସନ ପହଞ୍ଚାଇଥିଲେ। ସେଠାରୁ ମହିଳା ଓ ନାବାଳିକାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବିଭାଗୀୟ ସୂଚନା ମିଳିଛି। ଏହି ମହିଳାଙ୍କ ଘର ପୁବଳ ଗାଁରେ ବୋଲି ଶୁଣିବାକୁ ମିଳୁଛି।
Jajpur