ଛୁରାମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର

ଦୁଇ ବିଜେଡି ପରିବାର ମୁହାଁମୁହିଁ

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ୨ ପୁଅ ଥାନାରେ ଅଟକ

କୋରେଇ/ରଗଡି : ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ ବିବାଦରୁ ଆଜି ରକ୍ତାକ୍ତ ସଂଘର୍ଷ ଘଟିଛି। ଜଣେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ପୁଅ ସଂଘବଦ୍ଧ ଆକ୍ରମଣ କରିବାରୁ କନ୍ତୋର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଛୁରା ବାଜିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍‌ ପୂର୍ବତନ ଅଧ୍ୟକ୍ଷଙ୍କ ଦୁଇ ପୁଅଙ୍କୁ ଅଟକ ରଖିଛି। ଅନ୍ୟ ୩ ଜଣ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ଗତ ପଞ୍ଚାୟତ ନିର୍ବାଚନ ପରଠାରୁ କନ୍ତୋରରେ ଏହି ରାଜନୈତିକ ବିବାଦ ଲାଗିରହିଛି। ନିର୍ବାଚନରେ ରୁନୁବାଳା ଭୂୟାଁ ସରପଞ୍ଚ ଭାବେ ବିଜୟୀ ହୋଇଥିବାବେଳେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭିକାରୀ ବରାଳଙ୍କ ବୋହୂ ତଥା ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ବରାଳଙ୍କ ପତ୍ନୀ ପରାସ୍ତ ହୋଇଥିଲେ। ସେତେବେଳେ ରୁନୁ ଏବଂ ତାଙ୍କ ସ୍ୱାମୀ ରମେଶ ଭୂୟାଁ ବିଜେପିରେ ଥିଲେ। ମାସକ ତଳେ ସେମାନେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବରାଳଙ୍କ ପରିବାର ପୂର୍ବରୁ ବିଜେଡିରେ ରହିଛନ୍ତି । ତେବେ, ଭୂୟାଁ ପରିବାର ବିଜେଡ଼ିରେ ଯୋଗଦେବା ପରେ ଉଭୟଙ୍କ ମଧ୍ୟରେ ରହିଥିବା ବିବାଦ ଅଧିକ ଘନୀଭୂତ ହୋଇଥିଲା। କିଛିଦିନ ତଳେ ଥାନାରେ ଅଭିଯୋଗ କରିବାରୁ ଭିକାରୀଙ୍କ ଅନ୍ୟଜଣେ ପୁଅ ନାରାୟଣ ସରପଞ୍ଚଙ୍କ ଜଣେ ସମର୍ଥକଙ୍କୁ ବିଚ୍‌ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବଂ କିଛିକିଛି ଘଟଣାକୁ ଆଜି ଉଗ୍ରରୂପ ଧାରଣ କରିଥିଲା।

ଅଭିଯୋଗ ଅନୁସାରେ, ସକାଳେ ସୁଧାଂଶୁ ଏବଂ ତାଙ୍କର ଅନ୍ୟ ୪ ଭାଇ ହିମାଂଶୁ, ନାରାୟଣ, ଦେବେନ୍ଦ୍ର ଓ କମଳାକାନ୍ତ ସରପଞ୍ଚ ରୁନୁବାଳା ଓ ସ୍ୱାମୀ ରମେଶଙ୍କ ଘର ପାଖକୁ ଆସି ପଚରାଉଚରା କରିଥିଲେ। ସେମାନେ ସମସ୍ତେ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିଲେ ଏବଂ ଅଚାନକ ରମେଶଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଛୁରାମାଡ କରିବାରୁ ରମେଶଙ୍କ ପେଟରେ ବାଜି ଅନ୍ତଃନାଡି ବାହାରି ଆସିଥିଲା। ଗୁରୁତର ଅବସ୍ଥାରେ ରମେଶଙ୍କୁ ପ୍ରଥମେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣରେ ସରପଞ୍ଚ ରୁନୁବାଳା ମଧ୍ୟ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ମାମଲାରେ ପୁଲିସ୍‌ ଅଭିଯୁକ୍ତ ହିମାଂଶୁ ଓ କମଳାକାନ୍ତଙ୍କୁ ଥାନାରେ ଅଟକ ରଖିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ନାରାୟଣ ଏବଂ ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ଆକ୍ରମଣରେ ବ୍ୟବହାର ଛୁରୀ ସହିତ ଆହତଙ୍କ ରକ୍ତଭିଜା କପଡା ଜବତ୍‌ କରିଛି।

ଏହି ଘଟଣାକୁ ନେଇ କୋରେଇ ରାଜନୀତି ସରଗରମ ହୋଇଉଠିଛି। ରୁନୁବାଳାଙ୍କ ସମର୍ଥକ ମେଡିକାଲ୍‌ ପରିସରରେ ପହଁଚି ହୋ-ହାଲ୍ଲା କରିବା ସହିତ ଅଭିଯୁକ୍ତଙ୍କ ଗିରଫ ଦାବିରେ କୋରେଇ ଥାନା ମଧ୍ୟ ଘେରାଉ କରିଥିଲେ। ପରେ ଏସ୍‌ଡିପିଓ ଯୁଗଳ କିଶୋର ଦାସ ଘଟଣାସ୍ଥଳରେ ପହଁଚି ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୁଲିସ୍‌ ଏହି ଘଟଣାରେ କେଶ୍‌ ନମ୍ବର ୨୫୩/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର