ଯାଜପୁର/କବାଟବନ୍ଧ: ଧର୍ମଶାଳା ତହସିଲ ଅଞ୍ଚଳରେ ପୁଣି କଳାପଥର ଚୋରା କାରବାର ବ୍ୟାପକ ରୂପ ଧାରଣ କରିଛି। ଆଜି ଜେନାପୁର ଥାନା ତଥା ବୈରୀ ରେଞ୍ଜ ଅଧୀନ ଗଡ଼ମଧୁପୁର ସେକ୍ସନ ଅଂଜିରା ମୌଜାର ମଉଳାଭଞ୍ଜର ବାଘୁଆ- ୨ ନମ୍ବର ପାହାଡ଼ ଜଙ୍ଗଲଜମିରେ ଚାଲିଥିବା କଳାପଥର ଚୋରାଖାଦାନରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୁକୁନ୍ଦପୁର ଗ୍ରାମର ସନାତନ ଦଳାଇ (୫୫) ଖାଦାନରେ କାମ କରୁଥିବା ବେଳେ ପ୍ରାୟ ଶହେ ମିଟର ଉପରୁ ଖସିପଡ଼ି ଜୀବନ ହରାଇଛନ୍ତି। ଶାବଳରେ ପଥର ହଟାଉଥିବା ବେଳେ ତଳକୁ ଖସିପଡ଼ିଥିଲେ। ତାଙ୍କର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେନାପୁର ପୁଲିସ ୨୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯାଇ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ଏସ୍‌ଆଇ ସୌମ୍ୟରଞ୍ଜନ ଭୋଳ କହିଛନ୍ତି। ଏହି ଘଟଣା ଚାପିବା ପାଇଁ ୧ଲକ୍ଷ ଟଙ୍କାର ଭିତିରି ବୁଝାମଣା ହୋଇଥିବାର ଚର୍ଚ୍ଚା ହେଉଛି।
ଅପରପକ୍ଷରେ ମୃତ ସନାତନଙ୍କ ପତ୍ନୀ ଜେମା ଦଳାଇ ଜେନାପୁର ଥାନାରେ ଜଣାଇଛନ୍ତି ଯେ ତାଙ୍କ ସ୍ବାମୀ ଆଜି ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। ସେଠାରେ ଶୌଚ ବେଳେ ପାହାଡ଼ ତଳକୁ ଖସିପଡ଼ି ଜୀବନ ହରାଇଛନ୍ତି। ତାଙ୍କ ଏତଲାକୁ ଭିତ୍ତି କରି ଯାଜପୁରରୋଡ୍‌ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଏସଆଇ ସୌମ୍ୟରଞ୍ଜନ ଭୋଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
ଏହି ଜଙ୍ଗଲ କିସମ ପାହାଡ଼ରେ କିଛି ଦିନ ହେଲା କଳାପଥର ଖନନ ବନ୍ଦ ଥିଲା। ଏବେ ପୁନର୍ବାର ଚୋରାଖାଦାନ ଚାଲୁଥିବା ‌ବେଳେ ଦୁର୍ଘଟଣା ଘଟିଛି। ଜଙ୍ଗଲ ଜମିରେ ଦୀର୍ଘ ଦିନ ହେଲା ଚୋରାଖାଦାନ ଚାଲିଥିଲେ ବି ଜଙ୍ଗଲ ବିଭାଗ ପାଖରେ କୌଣସି ଖବର ନାହିଁ। ଡାଳିଯୋଡ଼ା ରେଂଜ ଅଧିକାରୀ ଅଭିରାମ ଜେନା କହିଛନ୍ତି, ଖାଦାନରେ ଶ୍ରମିକଙ୍କ ମୃତ୍ୟୁ ବିଷୟରେ ସେ ଖବର ପାଇନାହାନ୍ତି। ଏହି ପାହାଡ଼ ଜଙ୍ଗଲ କିସମ ହୋଇଥିବା ବେଳେ ଏଠାରେ ୧୪୪ ଧାରା ଲାଗୁ ସ‌ତ୍ତ୍ବେ କିପରି ଚୋରା ଖାଦାନ ଚାଲିଥିଲା ବୋଲି ପ୍ରଶ୍ନ ଉଠିଛି।