ବ୍ୟାସନଗର: ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜଣେ ଶ୍ରମିକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ପଶ୍ଚିମବଙ୍ଗ ହୁଗୁଳି ଥାନା ଅନ୍ତର୍ଗତ ନବାବପୁର ଅଞ୍ଚଳର ସେକ୍ ଅଇଦୁଲଙ୍କ ପୁଅ ମଇଉଦ୍ଦିନ(୩୦)। ସେ ଟିପିସିଏଲ୍ ଠିକାସଂସ୍ଥା ଅଧୀନରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ହେଉଥିବା ଡ୍ରେନ୍ କାର୍ଯ୍ୟରେ ନିୟୋଜିତ ଥିଲେ। ଭୁବନେଶ୍ବରର ଏହି ଠିକାସଂସ୍ଥାର ସୁପରଭାଇଜର ସୁରେଶ ନାୟକଙ୍କ ପରିଚାଳନାରେ ନିୟୋଜିତ ଶ୍ରମିକ ବିନା ସୁରକ୍ଷା ସାମଗ୍ରୀରେ କାର୍ଯ୍ୟ କରୁଥିଲେ।
ମଇଉଦ୍ଦିନ ଓ ଅନ୍ୟ ଜଣେ ଶ୍ରମିକ ଗତକାଲି ସକାଳୁ କାମ ଆରମ୍ଭ କରିଥିଲେ। ତେବେ ଖୋଳାଯାଇଥିବା ଡ୍ରେନ୍ରେ ପୂରିଥିବା ବର୍ଷା ପାଣିକୁ ମଇଉଦ୍ଦିନ ମୋଟର ଲଗାଇ ବାହାର କରିବାକୁ ଉଦ୍ୟମ କରୁଥିଲେ। ହେଲେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେ ଡ୍ରେନ୍ ପାଣିରେ ପଡ଼ି ଯାଇଥିଲେ। ବିଦ୍ୟୁତ୍ ଚାର୍ଜ ହୋଇଯାଇଥିବା ବୋର୍ଡ ଓ ମୋଟର ମଧ୍ୟ ପାଣିରେ ପଡ଼ି ଯାଇଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ପରେ ତାଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ମଇଉଦ୍ଦିନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଯାଜପୁରରୋଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଯାଜପୁରରୋଡ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ କାର୍ଯ୍ୟ କରୁଥିବା ସଂସ୍ଥାର ସୁପରଭାଇଜର ଓ କର୍ମଚାରୀମାନେ ମୃତଦେହ ନେଇଯିବାକୁ ଉଦ୍ୟମ କରିଥିଲେ। ଏଥିରେ ସଫଳ ନହେବାରୁ ସେମାନେ ଘଟଣାସ୍ଥଳ ଛାଡ଼ି ପଳାଇ ଯାଇଥିଲେ। ପୁଲିସ ପହଞ୍ଚିବା ପରେ ସୁପରଭାଇର ଶ୍ରୀ ନାୟକ ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/dead-sisat.jpg)