ୟାଜଦାନୀ କାରଖାନାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା:ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା

ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ୟାଜଦାନୀ ଷ୍ଟିଲ୍‌ ଆଣ୍ତ ପାଵାର କାରଖାନାରେ ଗତକାଲି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଶ୍ରମିକ ଜଣକ ହେଲେ ସୁକିନ୍ଦା ବ୍ଲକ୍‌ ହାତିବାରୀ ଗ୍ରାମର ଜଗନ୍ନାଥ ପାତ୍ର(୫୨)। ଜଗନ୍ନାଥ ଗତକାଲି ‘ବି’ ସିଫ୍‌ଟରେ କାର୍ଯ୍ୟ କରିବାକୁ ଆସିଥିଲେ। ସନ୍ଧ୍ୟାରେ ଜଳଖିଆ ଖାଇସାରି ବିଶ୍ରାମ ନେବାକୁ ଯାଇଥିଲେ। ରାତି ୯ଟା ବେଳେ ତାଙ୍କୁ କାରଖାନା ପରିସରରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅପରାହ୍‌ଣରେ ହାତିବାରୀ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ କାରଖାନାର କିଛି ଶ୍ରମିକ ମୁଖ୍ୟ ଫାଟକ ସମ୍ମୁଖରେ କ୍ଷତିପୂରଣ ଦାବି କରି ଧାରଣାରେ ବସିଥିଲେ। ମୃତ ଜଗନ୍ନାଥଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହ ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ପାଇଁ ଦାବି କରାଯାଇଥିଲା। କାରଖାନା କର୍ତ୍ତୃପକ୍ଷ ରାଜି ନହେବାରୁ ଅପରାହ୍‌ଣ ସାଢ଼େ ୪ ଟାରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦିଆଯାଇଥିଲା। ଚାପା ଉତ୍ତେଜନା ଲାଗି ରହିଥିବାରୁ ଯଖପୁରା ପୁଲିସ୍‌ କାରଖାନା ଗେଟ୍‌ ସମ୍ମୁଖରେ ଉପସ୍ଥିତ ରହିଥିଲା। ସାଇ ଶିବଙ୍କର ନାମକ ଠିକା ସ˚ସ୍ଥା ଅଧୀନସ୍ଥ ପାଵାର ପ୍ଲାଣ୍ଟରେ ଜଗନ୍ନାଥ କାର୍ଯ୍ୟରତ ଥିଲେ। ଆଜି ବିଳମ୍ବିତ ରାତିରେ ଧାରଣାରତ କର୍ମଚାରୀ ଓ ହାତିବାରୀ ଗ୍ରାମବାସୀଙ୍କ ସହ କାରଖାନା କର୍ତ୍ତୃପକ୍ଷ ଆଲୋଚନା କରିଥିଲେ। କମ୍ପାନି ପକ୍ଷରୁ ଦେଢ଼ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଠିକାଦାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସେହିପରି ଜଗନ୍ନାଥଙ୍କ ପୁଅକୁ କାରଖାନାରେ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର