ଶିକ୍ଷକଙ୍କୁ ମାଡ଼ମାରି ଜେଲ ଗଲା ଯୁବକ

ବିଂଝାରପୁର : ଶିକ୍ଷକଙ୍କୁ ମାଡ଼ ମାରି ଜଣେ ଯୁବକ ଜେଲ୍‌ ଯାଇଛି। ଅନ୍ୟପକ୍ଷରେ ଗିରଫ ଯୁବକଙ୍କ ପିତା ଶିକ୍ଷକଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ ବିଂଝାରପୁର ଥାନା କଲ୍ୟାଣପୁରସ୍ଥ ବାଳିକା ଉଚ୍ଚ ବିଦ୍ୟାଲୟର ଶିକ୍ଷକ ମାନସ କୁମାର ନାୟକଙ୍କୁ ସେହି ଗ୍ରାମର କିଷନ୍‌ ସାହୁ(୧୯) ଗତ ୨୫ତାରିଖରେ ରାସ୍ତାରେ ଅଟକାଇ ଗାଳିଗୁଲଜ କରିଥିଲା। ପରେ ୨୬ ତାରିଖ ସଂଧ୍ୟାରେ ଯୁବକ ଶ୍ରୀ ସାହୁ ପୁନର୍ବାର ଗାଳି ଗୁଲଜ କରିବା ସହ ମାଡ ମାରିଥିଲା। ଯୁବକଙ୍କ ମାଡରେ ଶିକ୍ଷକ ଶ୍ରୀ ନାୟକଙ୍କ ମୁଣ୍ଡ ଫାଟିଯାଇଥିଲା। ଏହି ଘଟଣାରେ ଶିକ୍ଷକ ଶ୍ରୀ ନାୟକ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି।
ଅନ୍ୟ ପକ୍ଷେ ଅଭିଯୁକ୍ତଙ୍କ ପିତା ବିଜ୍ଞାନ ସାହୁ ଶିକ୍ଷକ ଶ୍ରୀ ନାୟକ ଓ ପୁଲିସ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ଯୁବକଙ୍କ ପିତା ଶ୍ରୀ ସାହୁଙ୍କ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ଜଣକ ଗ୍ରାମର ଜଣେ ଯୁବତୀ ସହିତ ଅନୈତିକ ସଂପର୍କ ରଖିଥିଲେ। ଏହାକୁ ବିରୋଧ କରିବାରୁ ଶିକ୍ଷକ ଜଣକ ମିଛ ମାମଲା ରୁଜୁ କରି ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଏସ୍‌ଆଇ ସୁବାଷ ଚନ୍ଦ୍ର ଦାଶଙ୍କୁ ପଚାରିବାରୁ ଅଭିଯୋଗ ଅନୁଯାୟୀ ତଦନ୍ତ କରି ମାମଲା ରୁଜୁ ହୋଇଛି । ଏଥିରେ କୌଣସି ପକ୍ଷପାତିତା କରାଯାଇ ନାହିଁ ବୋଲି ଏଏସ୍‌ଆଇ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର