ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ରେ ବିଅଳି ଧାନ ଅମଳ ଆରମ୍ଭ ହେଲାଣି। ଚଳିତବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ବିଅଳି ଧାନ ଅମଳ ପ୍ରଭାବିତ ହୋଇଛି। କିଛି ଖାଲୁଆ ଜମିରେ ବଞ୍ଚି ଯାଇଥିବା ବିଅଳି ଚାଷରୁ ଧାନ ଅମଳ ଆରମ୍ଭ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଧାନ ଅମଳ ଅଧାରୁ କମ ହେବା ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ଚଣ୍ତିପୁର ଗ୍ରାମର ଚାଷୀ ନୀଳମଣି ପରିଡ଼ା କୁହନ୍ତି। ସେ ଚାଷ କରିଥିବା ୧.୫ ଏକର ଜମିରୁ ଗତବର୍ଷ ପ୍ରାୟ ୧୨ କୁଇଣ୍ଟାଲ୍ ଧାନ ଅମଳ କରିଥିବା ବେଳେ ଚଳିତବର୍ଷ ୫ କୁଇଣ୍ଟାଲ ଧାନ ହେବକି ନାହିଁ ସନ୍ଦେହ। ଅନ୍ୟପକ୍ଷରେ ଧାନ ଅମଳ ଆରମ୍ଭ ହେଉଣୁ ବ୍ୟବସାୟୀ, ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି। କିଛି ଧାନ ବେପାରୀ ବିଲରୁ ଅମଳ ଧାନକୁ କିଣି ନେଲେଣି। ଚଳିତବର୍ଷ କଟା ଯାଇଥିବା (ଅଣଶୁଖିଲା)ଧାନ କୁଇଣ୍ଟାଲ୍ ପ୍ରତି ୧୬ଶହ ଟଙ୍କାରେ ବ୍ୟବସାୟୀମାନେ କିଣିନେଉଛନ୍ତି। ଯଦିଓ ଗତବର୍ଷ ତୁଳନାରେ ଦର ଅଧିକ ରହିଛି ତେବେ ସରକାରୀ ଦରଠାରୁ ଯଥେଷ୍ଟ କମ। ସରକାରୀ ମଣ୍ତିରେ ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ ୨୧୪୦ ଟଙ୍କା ପ୍ରତି କୁଇଣ୍ଟାଲ ରହିଛି। ହେଲେ ମଣ୍ତି ଖୋଲିବା ବେଳକୁ ଜାନୁଆରି କିମ୍ବା ଫେବ୍ରୁଆରି ମାସ ହୋଇଯାଉଛି।

Advertisment

ଶାରଦ ଧାନ ଅମଳ ସରିଲେ ସାଧାରଣତ ମଣ୍ତି ଖୋଲିଥାଏ। ସେତେବେଳକୁ ଚାଷୀମାନଙ୍କ ପାଖରେ ଆଉ ଧାନ ନଥିବ। ଧାନଚାଷରେ ହୋଇଥିବା କ୍ଷତିକୁ ଅନ୍ୟ ଚାଷରେ ଭରଣା କରିବାକୁ ଚାଷୀମାନେ ଆବଶ୍ୟକ କରୁଥିବା ଟଙ୍କା ଯୋଗାଡ଼ରେ ଲାଗିପଡ଼ିଛନ୍ତି। ତେଣୁ ମଣ୍ତି ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଏବେ କୁଇଣ୍ଟାଲ୍ ପ୍ରତି ୫ଶହ ଟଙ୍କା କମ ଦରରେ ବେପାରୀମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ମଣ୍ତି ସବୁ ସମୟରେ ଉପଲବ୍ଧ ହେଲେ ଚାଷୀମାନେ ବେପାରୀମାନଙ୍କ ଶୋଷଣରୁ ରକ୍ଷା ପାଇପାରନ୍ତେ ବୋଲି ବହୁଚାଷୀ କହିଛନ୍ତି। କମ ଦାମରେ ବେପାରୀଙ୍କୁ ଧାନବିକ୍ରି କରି ଚାଷୀମାନେ କ୍ଷତି ସହୁଥିବା ବେଳେ ମଣ୍ତି ଲାଗିଲେ ଏହି କ୍ଷତିରୁ ରକ୍ଷା ମିଳନ୍ତା। ତେଣୁ ବିଅଳି ଧାନ କିଣିବା ପାଇଁ ଶୀଘ୍ର ମଣ୍ତି ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି।