ଜଲାପୁଟ-ମୁସିମ୍‌ ପୁଟ ରାସ୍ତା ନିର୍ମାଣ ପ୍ରସଙ୍ଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁଗ୍ମ ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜୁଲାପୁଟରୁ ମୁସିମପୁଟକୁ ଯୋଡୁଥିବା ରାସ୍ତାର ଉନ୍ନତିକରଣ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଧ୍ର ଓ ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଲାପୁଟ ଓ ଅନାକାଡେଲିରେ ପାନୀୟ ଜଳ ଯୋଗାଣ ପାଇଁ ଦୁଇ କୋଟି ଟଙ୍କାର ଅନୁଦାନ ପାଇଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପ୍ରସ୍ତାବ ପଠାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଆଜି କୋରାପୁଟ ଜିଲ୍ଲାପାଳଙ୍କ ସଭାକକ୍ଷରେ ଆନ୍ଧ୍ରପ୍ରଦେଶ ଇଲେକଟ୍ରିକ ଜେନେରେସନ କର୍ପୋରେସନ (ଏପିଜେନକୋ) ନାଗେଶ୍ବର ରାଓ ,ଓଏଚପିସିର ନିର୍ବାହୀ ଯନ୍ତ୍ରୀ ଆଦିତ୍ୟ ସମାନ୍ତରାୟ ଓ ପିଡବ୍ଲ୍ୟୁଡିର ବରିଷ୍ଠ ଅଧିକାରୀ ତଥା ଉପଜିଲ୍ଲପାଳ ଲଲିତ କୁମାର କଅଁର, କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପଟ୍ଟାଙ୍ଗି ବିଧାୟକ ପିତମ ପାଢୀ, ଏବଂ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ଵତନ୍ତ୍ର ବୈଠକରେ ମାଛକୁଣ୍ଡ ପ୍ରକଳ୍ପ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ନିମନ୍ତେ ବିସ୍ତ୍ରୁତ ଆଲୋଚନା ହୋଇଯାଇଛି ।

ଜଲାପୁଟ ଠାରୁ ଆନ୍ଧ୍ର ଆଡକୁ ଯୋଡୁଥିବା ମୁସିମପୁଟ ୧୫ କିଲୋମିଟର ରାସ୍ତାରୁ ୧୩ କିଲୋମିଟର ରାସ୍ତା କାମ ଶେଷ ହୋଇଥିବାବେଳେ ଆହୁରି ଦୁଇ କିଲୋମିଟର ରାସ୍ତା କାମ ହୋଇପାରିନି। ଏହି ରାସ୍ତାକୁ ଏପିଜେନକୋ ପକ୍ଷରୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯିବ। ଏହାପରେ ଏହି କାମ ହେବ ବୋଲି ଜଣାପଡିଛି। ଓଡିଶାର ଲୋକେ ଏକ ପୋଲ ନଥିବା ଯୋଗୁଁ ଯାତାୟାତ କରିବାରେ ଭାରି ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଏହି ପୋଲ ନିକଟସ୍ଥ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ଆନ୍ଧ୍ର ସରକାରଙ୍କ ଅଧୀନରେ ଥିବା ଯୋଗୁଁ ତାକୁ ଓଡିଶା ସରକାରଙ୍କୁ ହସ୍ତାନ୍ତର କରାଗଲେ ଏହି ରାସ୍ତାକାମ ସହିତ ପୋଲ କାମ ମଧ୍ୟ ଆରମ୍ଭ କରିବା ପାଇଁ ଓଡିଶା ସରକାର ପ୍ରସ୍ତୁତ ଥିବା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଜଣାଇବା ପରେ ଏଥି ନେଇ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଏପିଜେନକୋର ସୁପରିନଟେଣ୍ଡେଣ୍ଟ ଇଞ୍ଜିନିଅର ପ୍ରତିଶ୍ରୁତି ଦେଇଛନ୍ତି । ଜଲାପୁଟରେ ଏପିଜେନକୋ ଅଧୀନରେ ଥିବା ହସ୍ପିଟାଲକୁ ମଧ୍ୟ ଓଡିଶା ସରକାରଙ୍କୁ ହସ୍ତାନ୍ତର କରାଯିବା ପରେ ସେଠାକାର ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର