ସାଙ୍ଗ ହେବ ତ ଏମିତି ! ବନ୍ଧୁଙ୍କୁ ଭେଟିବା ପାଇଁ ସୁଦୂର କୋରିଆରୁ ଆସି ସୁନ୍ଦରଗଡ଼ ପହଞ୍ଚିଲେ ବିଦେଶୀ ଯୁବକ

ସୁନ୍ଦରଗଡ଼: ତିନି ବର୍ଷ ତଳେ ସୋସିଆଲ ମିଡିଆରେ ସୁନ୍ଦରଗଡର ରାଙ୍ଗାଢିପାର ଅଙ୍କିତ ପାଣ୍ଡିଆଙ୍କ ସହ ଇଂଲଣ୍ଡର ଜେମ୍‌ସ ଗେଭିନ୍‌ ଡେଭିଡଙ୍କ ବନ୍ଧୁତା ହୋଇଥିଲା । ଫେସବୁକ ଓ ହ୍ଵାଟସ୍‌ଆପରେ ଚାଟିଂ, ଭିଡିଓ କଲିଂ ମାଧ୍ୟମରେ ବନ୍ଧୁତା ଏତେ ନିବିଡ ହୋଇଗଲା ଯେ ଜଣେ ଅନ୍ୟ ଜଣଙ୍କୁ ନ ଭେଟି ରହି ପାରିଲେ ନାହିଁ । ଶେଷରେ ଏହି ବନ୍ଧୁତ୍ୱର ଆକର୍ଷଣ ଜେମ୍‌ସଙ୍କୁ ସୁନ୍ଦରଗଡକୁ ଟାଣି ଆଣିଛି।

ସୁନ୍ଦରଗଡର ରାଙ୍ଗାଢିପାର ବନ୍ଧୁ ଅଙ୍କିତଙ୍କ ପରିବାର ଗହଣରେ ବିଦେଶୀ ବନ୍ଧୁ ଜେମ୍‌ସ ପହଞ୍ଚି ଓଡ଼ିଆ ଖାଦ୍ୟ ଖାଇବା ସହିତ ଓଡ଼ିଆ ପରମ୍ପରା ଓ ସଂସ୍କୃତି ସଂପର୍କରେ ଅବଗତ ହୋଇଛନ୍ତି । ଡେଭିଡ ଅଙ୍କିତଙ୍କ ପରିବାର ସହ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ଏମିତି କି ଓଡ଼ିଆ ଶିଖି ଓଡ଼ିିଆରେ କଥା କହିବାକୁ ଚେଷ୍ଟା କରୁଛନ୍ତି ।

ଜେମ୍‌ସ ଗେଭିନ୍‌ ଡେଭିଡ୍‌ ଇଂଲଣ୍ଡର ବାସିନ୍ଦା । ବର୍ତମାନ ସେ କୋରିଆରେ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି। ସୁନ୍ଦରଗଡ଼ରେ ରହିବା ଭିତରେ ନୂଆବର୍ଷ ପାଳନ କରିବା ସହ ବିଭିନ୍ନ ଲୋକଙ୍କ ସହ ଓଡ଼ିିଆ ସଂସ୍କୃତି ଓ ଓଡ଼ିଶାର ଯୌଥ ପରିବାର ବାବଦରେ ପଚାରି ବୁଝିଛନ୍ତି । ଜେମ୍‌ସ, ଅଙ୍କିତଙ୍କ ପରିବାରକୁ ନିଜ ପରିବାର ଭଳି ସ୍ନେହ ଓ ସମ୍ମାନ ଦେଇଥିବା ବେଳେ ଅଙ୍କିତଙ୍କ ବାପା-ମାଆ ମଧ୍ୟ ଆଉ ଏକ ପୁଅ ପାଇଥିବା କହିଛନ୍ତି।

କୋରିଆ ଓ ସୁନ୍ଦରଗଡର ଏହି ଦୁଇ ବନ୍ଧୁଙ୍କ ସଂପର୍କ କିନ୍ତୁ ଅନେକ ଦୃଷ୍ଟି କୋଣରୁ ନିଆରା । କାରଣ ଏଠି ନା ବନ୍ଧୁ ଠାରୁ କିଛି ପାଇବାର ଆଶା ଅଛି ନା କିଛି ସ୍ୱାର୍ଥ ରହିଛି,  ଯଦି ରହିଛି କେବଳ ନିରୋଳା ଭଲପାଇବା ।

ସମ୍ବନ୍ଧିତ ଖବର