ରାୟଗଡା: ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ୟ ସାମ୍ବିଧାନିକ ଓ ମୌଳିକ ଅଧିକାରରୁ ବଞ୍ଚିତ ରହିଛି କାଶୀପୁର ବ୍ଲକର ଦୁର୍ଗମ କାହ୍ନୁଗୁଡ଼ା ଗ୍ରାମ। ଏହି ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ନେଇ ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବଧ୍ୟ ହୋଇ ଲୋକେ ଏକ ବିଶାଳ ସ୍ୱାଭିମାନ ଜନସମାବେଶର ଆୟୋଜନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଏବଂ ଠିକାଦାରଙ୍କ ମିଳିତ ମଧୁଚନ୍ଦ୍ରିକାରେ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇ ପାରିଲା ନାହିଁ। ତାର ପ୍ରତିବାଦରେ ସରକାର ବିରୋଧରେ ନୁହଁ ବରଂ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ବାଟ ଖୋଲିବା ଉଦେଶ୍ୟରେ ୧୮ ଟି ଗାଁ ବାସିନ୍ଦାଙ୍କୁ ନେଇ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ରାୟଗଡ଼ାର ବିଶିଷ୍ଟ ଯୁବ ସମାଜ ସେବୀ ବଳରାମ ପଣ୍ଡା, ରାଜ୍ୟ ସ୍ତରୀୟ ସମାଜସେବୀ ଚିତୃପା ଷଡ଼ଙ୍ଗୀ, ଚିନ୍ମୟ ବୋଡେଙ୍କ ସମେତ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, ଆଦିବାସୀ ସଂଘ, କୁଇ ଓ ଝୁଡ଼ିଆ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନେ ତଥା ଜିଲ୍ଲାର ଅନେକ ସରପଞ୍ଚ ଯୋଗଦାନ ଦେଇଥିଲେ। ଅଞ୍ଚଳବାସୀଙ୍କ ସାମ୍ବିଧାନିକ ଅଧିକାର ହାସଲ ପାଇଁ ହେଉଥିବା ଶାନ୍ତି ପ୍ରତିବାଦର ସ୍ବର କିଭଳି ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିବ ତା’ ପାଇଁ ଆଗାମୀ ପଦକ୍ଷେପ ନିଆଯିବା ସ୍ଥିର ହୋଇଥିଲା।ସମଗ୍ର ସମାବେଶରେ ସରକାରୀ ବିରୋଧୀ ନୁହଁ ବରଂ ବିଭାଗୀୟ ଅଧିକାର ମାନେ କିଭଳି ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ବେଆଇନ କାର୍ଯ୍ୟ କରିଛନ୍ତି ତା’ ବିରୋଧରେ ନ୍ୟାୟ ପାଇବା ପାଇଁ ଲୋକତନ୍ତ୍ର ଏକାଠି ହୋଇ ନିଜ ସାମର୍ଥ୍ୟବଳରେ ସରକାରଙ୍କୁ ମାର୍ଗ ଦର୍ଶନ କରିବା ସହ ଗଣ ତନ୍ତ୍ରର ସାମର୍ଥ୍ୟ ସାବ୍ୟସ୍ତ କରିବା ସ୍ଵାଭିମାନ ସମାବେଶର ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଛି।

Advertisment

ଗ୍ରାମ୍ୟ ଉନ୍ନୟନ ବିଭାଗ କାହ୍ନୁଗୁଡ଼ା ଗ୍ରାମକୁ ଯାଉଥିବା ରାସ୍ତାକୁ ଅନ୍ୟାୟ କରି ସରକାରୀ ନିୟମକୁ ଉଲଙ୍ଘନ କରି କିଭଳି ଠିକାଦାରଙ୍କ ନ୍ୟସ୍ତ ସ୍ବାର୍ଥ ହାସଲ ପାଇଁ ସରକାରୀ ଖାତାରେ ଥିବା ରାସ୍ତାକୁ ଅଣଦେଖା କରି ଗ୍ରାମର ପିତୃପୁରୁଷରୁ ଥିବା ରାସ୍ତାକୁ ଛାଡି ବେସରକାରୀ ରାସ୍ତାରେ ବିନା ପଲ୍ଲୀସଭା କି ଜମି ଅଧିଗ୍ରହଣ ନକରି କିମ୍ବା କୌଣସି କ୍ଷତିପୂରଣ ନଦେଇ ଅନ୍ୟତ୍ର ବଦଳାଇଛନ୍ତି। ଯାହାର ପରିଣାମ ଲୋକଙ୍କ ମୂଲ୍ୟବାନ ଚାଷ ଜମି ରାସ୍ତାରେ ମିଶିଯିବା ପ୍ରତିବାଦରେ ସ୍ୱାଭିମାନ ପ୍ରଜା ସମାବେଶକୁ ୧୮ ଗୋଟି ଗାଁର ଲୋକଙ୍କୁ ଆହ୍ଵାନ କରାଯାଇ ସମଗ୍ର ଅଞ୍ଚଳବାସୀଙ୍କ ସର୍ବସମ୍ମତିକ୍ରମେ ସ୍ୱଳ୍ପ ଦିନ ମଧ୍ୟରେ ଅଧିକାର ଓ ନ୍ୟାୟ ପାଇବା ନିମନ୍ତେ କଠୋର ନିଷ୍ପତି ନେବା ସ୍ଥିର କରାଯିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଗତ କିଛିଦିନ ତଳେ କାହ୍ନୁଗୁଡାକୁ ଲାଗି ରହିଥିବା ନଦୀରେ ପ୍ରାୟ ୭ ଜଣ ମହିଳା ଭାସି ଯାଉଥିବା ବେଳେ ସେହି ସ୍ଥାନରେ ଉପସ୍ଥିତ ଥିବା ଯୁବକମାନେ ସେମାନଙ୍କୁ ରକ୍ଷା କରିଥିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା। କାହ୍ନୁଗୁଡାର ସମସ୍ୟା ନେଇ ‘ସମ୍ବାଦ’ ପ୍ରଥମେ ଖବର ପ୍ରକାଶ କରିଥିଲା। ଆଜି ବି ଗ୍ରାମକୁ ସରକାରୀ ଯୋଜନା ପହଞ୍ଚି ପାରିନିଥିବା ଦେଖିବାକୁ ମିଳିଛି। ତେଣୁ ଲୋକେ ଏବେ ଠାରୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଏବଂ ପ୍ରଶାସନକୁ ଘେରିବା ନେଇ ଯୋଜନା ଆରମ୍ଭ କଲେଣି।