ଗଞ୍ଜାମରେ ଜନ୍ମ ନେଇଥିଲେ
ଗଞ୍ଜାମ ଜିଲ୍ଲା ଆସ୍କାରେ ୧୯୩୨ ଏପ୍ରିଲ ୭ରେ ଜନ୍ମ ଗ୍ରହଣ କରିଥିଲେ। ପିତା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକ ଓ ମାତା କିଶୋରୀମଣି ଦେବୀଙ୍କ କନ୍ୟା ଜୟନ୍ତୀ ପିଲା ଦିନରୁ ପାଠପଢ଼ା ମନସ୍କ ଥିଲେ। ଅଳ୍ପ ବୟସରେ ପିତୃ ବିୟୋଗ ଘଟିବାରୁ ମା କିଶୋରମଣୀ ଦେବୀ ତାଙ୍କୁ ଓ ତାଙ୍କର ତିନି ଭଉଣୀ ଓ ଦୁଇ ଭାଇଙ୍କୁ ନେଇ କଟକ ନେଇ ଆସିଥିଲେ। ସେଠାରେ ରାଣୀହାଟ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ିଛନ୍ତି। ତା’ପରେ ଆସ୍କାରେ ଦାଦା, ଖୁଡ଼ୀଙ୍କ ପାଖରେ ରହି ହରିହର ବିଦ୍ୟାପୀଠରୁ ସେ ମାଟ୍ରିକ ପାସ୍‌ କରିଥିଲେ। ଏହାପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଦର୍ଶନ ଓ ସଂସ୍କୃତରେ ସ୍ନାତକ ପାସ୍‌ କରିଥିଲେ। ବମ୍ବେର ‘ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ’ରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।

Advertisment

ଘରେ ଘରେ ପରିଚିତ ଜୟନ୍ତୀଙ୍କ ଅନୁବାଦ' କୃଷ୍ଣବତାର'
୧୯୫୩ରେ ସାହିତ୍ୟିକ, ସମ୍ପାଦକ ତଥା ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ବିବାହ ତାଙ୍କ ଜୀବନ ଓ ସାହିତ୍ୟକୁ ନିୟନ୍ତ୍ରିତ କରିଥିଲା। ସ୍ବାମୀଙ୍କ ପ୍ରେରଣାରେ ସେ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ସହ ସାଂସାରିକ ଜଞ୍ଜାଳରୁ ସମୟ ବାହାର କରି ବମ୍ବେର ଅନାଥ ଶିଶୁଙ୍କ ବାବଦରେ ଗବେଷଣା ନିବନ୍ଧ ପ୍ରସ୍ତୁତ କରିଥିଲେ। ଏଥିସହ ଲେଖାଲେଖିରେ ବି ମନ ଦେଇଥିଲେ। ତାଙ୍କର ଏହି କାର୍ଯ୍ୟ ପଛରେ ଶାଶୁ ରମ୍ଭାଦେବୀଙ୍କ ପ୍ରେରଣା ରହିଥିଲା। ବିଶେଷ କରି ଜାନକୀବଲ୍ଲଭ ‘ପ୍ରଜାତନ୍ତ୍ର’ରୁ ବିଦାୟ ନେଇ ୧୯୬୭ରେ ‘ପୌରୁଷ’ ପତ୍ରିକା ପ୍ରକାଶ କରିଥିଲେ ଓ ନେପଥ୍ୟରେ ରହି ତାହାର ପରିଚାଳନା ଓ ପ୍ରକାଶନରେ ସକ୍ରିୟ ଭୂମିକା ନିର୍ବାହ କରିବା ସହ ‘ମହାଭାରତ କାହାଣୀ’ ଲେଖିଥିଲେ ଜୟନ୍ତୀ। କେ. ଏମ୍‌. ମୁନ୍‌ସିଙ୍କ ଦ୍ବାରା ‘କୃଷ୍ଣବତାର’ର ଅନୁବାଦ ଧାରାବାହିକ ଭାବେ ସେଥିରେ ସେ ପ୍ରକାଶ କରିଥିଲେ। ପ୍ରଥମେ ‘ପୌରୁଷ’ରେ ଏବଂ ପରବର୍ତୀ କାଳରେ ‘ପୌରୁଷ ପ୍ରକାଶନୀ’ ପକ୍ଷରୁ ବିକ୍ଷିପ୍ତ ଭାବେ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଛି। ପରବର୍ତୀ ସମୟରେ ‘ଆମ ଓଡ଼ିଶା’ ପକ୍ଷରୁ ତାହାର ନୂତନ ସଂସ୍କରଣ(୨୦୧୪) ସାତଖଣ୍ଡରେ ପ୍ରକାଶ କରାଯାଇଛି।

publive-image

ସାଂସ୍କୃତିକ, ରାଜନୈତିକ କର୍ମଭୂମି ଥିଲା କଟକ

କଟକ: କଟକ ଥିଲା ଜୟନ୍ତୀ ପଟ୍ଟନାୟକଙ୍କ ରାଜନୈତିକ ଓ ସାଂସ୍କୃ୍ତିକ କର୍ମଭୂମି। ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକ କଟକରେ ରହି ସାମ୍ବାଦିକତାର ଶୀର୍ଷରେ ରହିବା ସହ ଯେତେବେଳେ ପୌରୁଷ ପ୍ରକାଶନ ଆରମ୍ଭ କରଥିଲେ, ସେତେବେଳେ ଜୟନ୍ତୀ ପଟ୍ଟନାୟକ ଥିଲେ ତାଙ୍କର ପ୍ରମୁଖ ସହଯୋଗୀ। ପୌରୁଷର ପ୍ରଚାରପ୍ରସାର କ୍ଷେତ୍ରରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା। ଜୟନ୍ତୀ ଦେବୀ ଶୈଳବାଳା ମହାବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଶିକ୍ଷା ଗ୍ରହଣ କରିବା ଦିନରୁ କଟକ ସହରର ଜନଜୀବନ ସହ ସଂପୃକ୍ତ ଥିଲେ। ଜୟନ୍ତୀ ଦେବୀ ଯେତେବେଳେ ପରବର୍ତ୍ତୀ ସମୟରେ ରାଜନୈତିକ ଜୀବନଯାତ୍ରା ଆରମ୍ଭ କଲେ ସେତେବେଳେ କଟକ ସହର ଥିଲା ତାଙ୍କର କର୍ମଭୂମି। ୧୯୮୦ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ଜାନକୀବଲ୍ଲଭ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାରୁ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ଫଳରେ କଟକ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଦଳ ପ୍ରାର୍ଥୀ ହୋଇ ଜୟନ୍ତୀ ପଟ୍ଟନାୟକ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୮୪ସାଧାରଣ ନିର୍ବାଚନରେ ମଧ୍ୟ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ୧୯୮୯ସାଧାରଣ ନିର୍ବାଚନରେ ଜୟନ୍ତୀ ଦେବୀ କଟକ ଲୋକସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଥିଲେ। ସେହି ନିର୍ବାଚନରେ ଜୟନ୍ତୀ ଦେବୀ ଜନତା ଦଳ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ। କିନ୍ତୁ କଟକର ସାମାଜିକ ରାଜନୈତିକ ଓ ସାଂସ୍କୃତିକ ଜନଜୀବନ ସହ ଜୟନ୍ତୀ ଦେବୀ ସବୁ ବେ​ଳେ ସଂପୃକ୍ତ ରହିଆସିଥିଲେ।

publive-image

ପୌରୁଷ’ର ସମ୍ପାଦକ‌ ଥିଲେ
ସ୍ବାମୀ ତଥା ପୌରୁଷ’ର ସମ୍ପାଦକ ଜାନକୀ ବଲ୍ଲଭ ୧୯୭୧ ସାଧାରଣ ନିର୍ବାଚନରେ କଟକ ଲୋକ‌ସଭା ଆସନରୁ ଜିତିବା ପରେ କେନ୍ଦ୍ର ରାଜନୀତିରେ ସକ୍ରିୟ ହୋଇଥିଲେ। ୧୯୭୩ରେ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ ଜାନକୀବଲ୍ଲଭ। ଏଣୁ ସ୍ବାଭାବିକ ଭାବେ ପତ୍ରିକା କାର୍ଯ୍ୟରେ ବିଶେଷ ସମୟ ଦେଇପାରି ନ ଥିଲେ। ଯେଉଁଥିପାଇଁ ଜୟନ୍ତୀଙ୍କ ହାତରେ ‘ପୌରୁଷ’ର ଭାଗ୍ୟ ଡୋରି ଲାଗିଥିଲା। ସମ୍ପାଦକ ଦାୟିତ୍ବ ତୁଲାଇବା ସହ ନିଜର ଲେଖନୀ ମାଧ୍ୟମରେ ଜଣେ ସୁସାହିତ୍ୟିକା ଭାବେ ଘରେ ଘରେ ପରିଚିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ବି ଅନୁବାଦିକା ଭାବେ ତାଙ୍କର ଖ୍ୟାତି ମଳିନ ପଡ଼ି ନାହିଁ।

କଂଗ୍ରେସର ମା’ ଥିଲେ

ଜାନକୀ ପଟ୍ଟନାୟକ ଦୀର୍ଘଦିନ ଧରି କଂଗ୍ରେସର ନେତୃତ୍ବ ନେଉଥିବାରୁ ସମସ୍ତଙ୍କ ବାପା ଭାବେ ପରିଚିତ ଥିଲେ। ତାଙ୍କ ଧର୍ମପତ୍ନୀ ଭାବେ ଜୟନ୍ତୀ ପଟ୍ଟନାୟକଙ୍କୁ ସମସ୍ତେ ମା’ ବୋଲି ସମ୍ବୋଧନ କରୁଥିଲେ। ଏକ ରାଜନୈତିକ ପରିବାରରୁ ଆସିଥିଲେ ଓ ତାଙ୍କ ପିତା ଗୋପବନ୍ଧୁଙ୍କ ସମୟରୁ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିଲେ। ତାଙ୍କ ଝିଅ ହିସାବରେ ସେ ଏକ ରାଜନୈତିକ ପରିବାର ଓ ପରମ୍ପରାରୁ ଆସିଥିଲେ। ବିବାହ ପରେ ମଧ୍ୟ ଜାନକୀ ପଟ୍ଟନାୟକଙ୍କ ସହ ସେ ରାଜନୀତିରେ ଯୋଗଦେଇ ଶେଷ ପର୍ଯ୍ୟନ୍ତ ରହିଥିଲେ। ସେଥିପାଇଁ କଂଗ୍ରେସର ସମସ୍ତ ବ୍ୟକ୍ତି ତାଙ୍କୁ ମା’ ପରି ଭଲ ପାଉଥିଲେ। ଗତ କିଛି ବର୍ଷ ଧରି ସେ ଅସୁସ୍ଥ ଥିବାରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ।
-ସୌମ୍ୟରଞ୍ଜନ ପଟ୍ଟନାୟକ

publive-image

ବାପାଙ୍କ ଦେହାନ୍ତ ପରେ ତାଙ୍କୁ ବଡ଼ ଆଘାତ ଲାଗିଥିଲା। କାରଣ ବାପାଙ୍କ ମୃତ୍ୟୁ ଆକସ୍ମିକ ଥିଲା। ସେ ଆଘାତକୁ ସେ ହଠାତ୍‌ ବରଦାସ୍ତ କରିପାରିଲେ ନାହିଁ। ସେବେଠାରୁ ଅସୁସ୍ଥ ହୋଇପଡ଼ିଥିଲେ। କରୋନର ତୃତୀୟ ଲହରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଫେରିଥିଲେ ସତ, କିନ୍ତୁ ଶଯ୍ୟାଶାୟୀ ହୋଇରହିଥିଲେ। ପୂର୍ବଭଳି ନିଜ କାମ କରିବାରେ ଅସମର୍ଥ ହୋଇଥିଲେ। ଧୀରେ ଧୀରେ ସ୍ବାସ୍ଥ୍ୟ ଅବସ୍ଥାର ଅବଗତି ଘଟୁଥିଲା। ଜଣେ ସୁଗୃହିଣୀ ରାଜନେତା ଓ ପତ୍ରପତ୍ରିକାରେ ନିଜର କାର୍ଯ୍ୟ ତୁଲାଇଛନ୍ତି। ସାଙ୍ଗଠନିକ କାର୍ଯ୍ୟ ମଧ୍ୟ ଦାୟିତ୍ବର ସହ ନିର୍ବାହ କରିଛନ୍ତି। ତାଙ୍କର ଜୀବନ ସଫଳ ହୋଇଛି।
-ସୁଦତ୍ତା ପଟ୍ଟନାୟକ, ବଡ଼ ଝିଅ