କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଇଯାଇଛି। ଭୋର ସମୟରୁ ପୂଜାର୍ଚ୍ଚନା କରାଯିବା ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେଇଛି। ମନ୍ଦିର ପରିସର‌ ଆଜି ଦିନସାରା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଜିଠାରୁ ତିନିଦିନ ଧରି ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ। ମନ୍ଦିର ପରିସରରେ ମହାପ୍ରଭୁଙ୍କ ପରମଭକ୍ତ ମାଧବେନ୍ଦ୍ର ପୁରୀ, ଶ୍ରୀଶ୍ରୀ ରସିକାନନ୍ଦ ପୁରୀ ଗୋସେଇଁ ସମାଧି ମନ୍ଦିର, ତାଙ୍କ ବିଶ୍ରାମ କକ୍ଷରେ ଶୋଭା ପାଉଥିବା ଖଟ, ପଲଙ୍କ, ମାଡ଼ୁଥିବା କଠଉ ଓ ମହାପ୍ରଭୁ ଶ୍ରୀଶ୍ରୀ ଚେତନ୍ୟ ମହାପ୍ରଭୁଙ୍କ ମନ୍ଦିର ଆଗମନରେ ତାଙ୍କର ପାଦପଦ୍ମ ସହିତ ଭଗବାନ କୃଷ୍ଣଙ୍କର ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ, କୃଷ୍ଣଙ୍କର ଗୋପିଲୀଳା ମୂର୍ତ୍ତିକୁ ଭକ୍ତମାନେ ଦର୍ଶନ କରି ନିଜକୁ କୁତାର୍ଥ କରୁଥିବା ବେଳେ ମନ୍ଦିରରେ ଭକ୍ତମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ କ୍ଷୀରାଭୋଗ, ପେଡ଼ା ଭୋଗ, ପ୍ରସାଦ କୁଡ଼ିଆ ଯୋଗାଇ ଦିଆଯାଇଛି।

ଭକ୍ତମାନେ ଏହାକୁ ଅତି ଆନନ୍ଦର ସହିତ ସେବନ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ସନ୍ଧ୍ୟାରେ ମହାପ୍ରଭୁ ଗୋପୀନାଥଙ୍କୁ ଦର୍ଶନ କରି ମନ୍ଦିର ବିକାଶ ଦିଗରେ ମନ୍ଦିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ସହିତ ଆଲୋଚନା କରିଥିଲେ। ଆଜି ଜନ୍ମାଷ୍ଟମୀ ଉତ୍ସବ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର