ଜନତା କର୍ଫ୍ୟୁର ପ୍ରଭାବ: ରାଇରଙ୍ଗପୁର ଷ୍ଟେସନଠୁ ରାଜରାସ୍ତା ସବୁଠି ଶୂନଶାନ, ଦୋକାନ ବଜାର ବନ୍ଦ

ଘଣ୍ଟା-ଶଙ୍ଖ-ତାଳି-ଥାଳି ଆଦି ବଜାଇ ସେବା ଯୋଗାଉଥିବା କର୍ମବୀରମାନଙ୍କୁ ଉତ୍ସାହିତ କଲେ ଲୋକେ

ରାଇରଙ୍ଗପୁର: କରୋନା ମହାମାରୀ ଲଢେଇରେ ଆଜି ସକାଳଠୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ପ୍ରଭାବ। ରେଲୱେ ଷ୍ଟେସନଠାରୁ ଆରମ୍ଭ କରି ରାଜପଥ ସବୁଠି ଶୂନଶାନ। ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ଦୋକାନ ବଜାର ଆପଣାଛାଏଁ ବନ୍ଦ ରହିଥିଲା। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା କିମ୍ବା ଜିଲ୍ଲା ବାହାରର ବସ୍‌ ସେବା ବନ୍ଦ ଥିବା ବେଳେ ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ଇସ୍ପାତ ନଗରୀ ଜାମସେଦପୁର ସହ ବସ୍‌ ଓ ଟ୍ରେନ ସେବା ସବୁ ବନ୍ଦ ରହିଛି।

ରାଜରାସ୍ତାରେ ଭାରୀଯାନ ଚଳାଚଳ ମଧ୍ୟ କମ୍‌ ଥିବା ବେଳେ ସରକାରୀ କାର୍ଯ୍ୟାଳୟ ସବୁରେ ଭିଡ଼ ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଜନତା କର୍ଫ୍ୟୁକୁ ମାନି ଲୋକେ ସାମାଜିକ ମିଳାମିଶାକୁ କମାଇଥିବା ବେଳେ ଅପରାହ୍‌ଣ ୫ଟା ସମୟରେ ଆବାଳବୃଦ୍ଧ ବନିତା ସ୍ୱତଃପ୍ରୋତ ଭାବେ ଘଣ୍ଟା, ଶଙ୍ଖ, ତାଳି, ଥାଳି ଆଦି ବଜାଇ ଦେଶର ଏହି ସଂକଟ ଘଡ଼ିରେ ସେବା ଯୋଗାଉଥିବା କର୍ମବୀରମାନଙ୍କୁ ଉତ୍ସାହିତ କରିଥିଲେ। ଲୋକେ ୫ମିନିଟ କାଳ ଏହି ଘଣ୍ଟା,ଶଙ୍ଖ ଓ ତାଳିର ଶବ୍ଦରେ ଲୋକଙ୍କ ମଧ୍ୟରେ ସାକାରାତ୍ମକ ଶକ୍ତିର ସ୍ଫୁରଣ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରୁ ରାଇରଙ୍ଗପୁର ବସ୍‌ ସେବା ବନ୍ଦ ଥିବା ବେଳେ କରଂଜିଆ, କେନ୍ଦୁଝର ଆଦିକୁ ବସ୍‌ ସେବା ବନ୍ଦ ରହିଛି। ଏପରିକି ବାମନଘାଟୀ ଓ ପାଞ୍ଚପୀ ଉପଖଣ୍ଡର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ଯାହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ରାଇରଙ୍ଗପୁରରେ। ସକାଳୁ ଟାଟା ଜାମସେଦପୁରରୁ ବାଦାମପାହାଡ଼କୁ ଆସୁଥିବା ଦୁଇଟି ଯାକ ଡିଏମୟୁ ଟ୍ରେନ୍‌ ଚଳାଚଳ ବନ୍ଦ ଥିବାରୁ ରେଳ ଷ୍ଟେସନ ଖାଲି ପଡ଼ିଥିଲା।

ସବୁଠୁ ବ୍ୟସ୍ତ ବହୁଳ ରାଇରଙ୍ଗପୁର ବସଷ୍ଟାଣ୍ଡରୁ ବସ୍‌ ସେବା ବନ୍ଦ ଥିବା ବେଳେ ଅନ୍ୟ ଯାନବାହାନ ସେବା ମଧ୍ୟ ବନ୍ଦ ରହିଥିବାରୁ ଖାଁ ଖାଁ ଲାଗୁଥିଲା। କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ସଚେତନତା ବାର୍ତ୍ତାକୁ ଲୋକମାନେ ମାନି ସ୍ୱତଃପ୍ରୋତ ଭାବେ ଘରୁ ବାହାରି ନ ଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି। ଏପରିକି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମ୍‌ ରହିଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ପୁଲିସ୍‌ ପ୍ରଶାସନ କଡ଼ାକଡ଼ି ଭାବେ ଜନତା କର୍ଫ୍ୟୁକୁ ସଫଳ କରିବାରେ ଲାଗିଥିବା ବେଳେ ପୁଲିସ୍‌ ଫୋର୍ସ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ। ଗ୍ରାମାଞ୍ଚଳରେ କୋରୋନାକୁ ନେଇ ବିଶେଷ ସଚେତନତା ସୃଷ୍ଟି କରିବାରେ ଆଶା, ଅଙ୍ଗନୱାଡ଼ି, ସ୍ୱାସ୍ଥ୍ୟକର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏପରିକି ସ୍ୱୟଂ ସହାୟିକା ସଂଘର ମହିଳାମାନେ କରୋନା ସଚେତନତା ବାର୍ତ୍ତାକୁ କୋଣ ଅନୁକୋଣରେ ପହଞ୍ଚାଇବାକୁ ଲାଗିଛନ୍ତି।

ସମ୍ବନ୍ଧିତ ଖବର