ଜଗତପୁରରୁ ପୁଣି ବିପୁଳ ପରିମାଣରେ ଜର୍ଦ୍ଦା ଜବତ, ୨ ଅଟକ

କଟକ: ଜଗତପୁରସ୍ଥିତ ତାଳବଣିଆ ମୁଣ୍ଡାସାହିରୁ ପୁଣି ନକଲି ବେଆଇନ ଜର୍ଦ୍ଦା ଓ ମୁଦୁକ କାରଖାନା ଠାବ କରିଛି କମିସନରେଟ ପୁଲିସ। ବିନା ଲାଇସେନ୍‌ସରେ ଚାଲିଥିଲା କାରଖାନା। କାରଖାନାର ନଥିଲା କୌଣସି କାଗଜପତ୍ର। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ଥାନା ଆଇ.ଆଇ.ସି ଓ କଟକ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ମିଳିତଭାବେ ଚଢ଼ାଉ କରିଥିଲେ ଏହି ନକଲି କାରଖାନା ଉପରେ । ଚଢ଼ାଉ ବେଳେ କାରଖାନା ଚଳାଉଥିବା ସେକ ଅବଦୁଲ ଜମିର ଓ ସହଯୋଗୀ ପାର୍ଥ ମାନାକୁ ଅଟକ ରଖିଛି।

ସେକ ଅବଦୁଲ ଜମିର ଖୋର୍ଦ୍ଧା, ନାଚୁଣୀ ଓ ପାର୍ଥ ମାନା କୋଲକାତାରୁ ଆସି ଜଗତପୁର ଅଞ୍ଚଳରେ ଚଳାଇଆସୁଥିଲେ ନକଲି ଜର୍ଦ୍ଦା ଓ ମୁଦୁକ ପ୍ରସ୍ତୁତି । କାରଖାନାରୁ ବିପୁଳ ପରିମାଣର ପାନ ମସଲା, ପ୍ରସ୍ତୁତ ହୋଇଥିବା ଗୁଟୁଖା, ଜରଦା, ଅପମିଶ୍ରିତ କେମିକାଲ, ପ୍ୟାକିଂ ଜରି, ମେସିନ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ବୋଲି ଜଣାପଡିଛି।

ପୁଲିସ କହିବା ଅନୁଯାୟୀ ୪ ମାସ ହେବ ଲୁକାୟିତ ଭାବେ କାରଖାନା ଚାଲିଆସୁଥିଲା। ଏମାନେ ଜର୍ଦ୍ଦା, ପାନ ମସଲା, ଗୁଟୁକା ଓ ଏକ ପ୍ରକାର ମଦୁକ ପ୍ରସ୍ତୁତି କରୁଥିଲେ ଯାହାକୁ ଖାଇଲେ ପ୍ରବଳ ମାତ୍ରାରେ ନିଶା ହୋଇଯାଏ। ଏହି ମଦୁକ ଭାଙ୍ଗ, ଅଫିମ ଓ କେମିକାଲରେ ପ୍ରସ୍ତୁତି। ତିଆରି ଗୁଟୁଖା ସମ୍ପୂର୍ଣ୍ଣ ବେଆଇନ ଭାବେ ବିଭିନ୍ନ ନାମରେ ବଜାରକୁ ବିକ୍ରି ପାଇଁ ଛଡାଯାଉଥିଲା। ଗୋକୁଳ, କ୍ରିଷ୍ଣା ଡିଲକ୍ସ, ଖୁସି, ସିଗମା ନାମରେ ଜର୍ଦ୍ଦା ଓ ପାନ ମସଲା ଏବଂ ରକେଟ ନାମରେ ମୁଦୁକ ବଜାରରେ ଓ ସମଗ୍ର ରାଜ୍ୟରେ ବିକ୍ରି କରାଯିବା ସହିତ ରାଜ୍ୟ ବାହାରକୁ ମଧ୍ୟ ପଠାଯାଉଥିଲା।

ତିଆରି ଗୁଟୁଖାର କୌଣସି ମାନୁଫାକଚରିଂ ଡେଟ, ଏକ୍ସପାରି ଡେଟ କିମ୍ବା ବ୍ୟାଚ ନମ୍ବର ନାହିଁ। ଫୁଡ ସେଫଟି ଲାଇସେନ୍‌ସ ନାହିଁ। ସେହିପରି କାରଖାନାରେ ପ୍ରସ୍ତୁତ ଜିନିଷ ଗୁଡିକରରେ ବ୍ୟବହୃତ କେମିକାଲ ଏକସପାରି ଡେଟ ନଥାଇ ମଧ୍ୟ ବ୍ୟବହାର କରାଯିବା ଜଣାପଡିଛି।

ଅନ୍ୟ ପକ୍ଷରେ ସ୍ଥାନୀୟ ଜଗତପୁରବାସୀଙ୍କ ମଧ୍ୟରେ ମଧ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀକୁ ନେଇ ଭୟ ଦେଖାଦେଇଛି। ଜଗତପୁର ଶିଳ୍ପାଞ୍ଚଳରେ ଶିଳ୍ପ ବନ୍ଦ ହୋଇ ଗୋଦାମ ବୃଦ୍ଧି ପାଇବାରେ ଲାଗୁଛି ଏବଂ ଏହାର ସୁଯୋଗ ନେଇ ବିଭିନ୍ନ ଅସାଧୁ ବ୍ୟବସାୟୀ ନିଜର ଅପମିଶ୍ରିତ ବେଆଇନ ବ୍ୟବସାୟ କରୁଛନ୍ତି।

ସମ୍ବନ୍ଧିତ ଖବର