ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ, ଲକ୍ଷାଧିକ ଟଙ୍କ‌ାର ନକଲି ଜର୍ଦ୍ଦା ଜବତ, ୨ ଅଟକ

ଭଦ୍ରକ: ଭଦ୍ରକର ପୁରୁଣାବଜାର  ଅଞ୍ଚଳରୁ ଏକ ନକଲି ଜର୍ଦ୍ଦା  ତିଆରି କାରଖାନା ଉପରେ ପୁରୁଣାବଜାର ପୁଲିସ ଚଢାଉ କରିଛି।  ଚଢାଉ ବେଳେ ଲକ୍ଷାଧିକ  ଟଙ୍କାର ନକଲି  ଜର୍ଦ୍ଦା ଜବତ କରାଯାଇଥିବା ବେଳେ ଜର୍ଦ୍ଦା ତିଆରି କରିବା ‌ପାଇଁ ବିଭିନ୍ନ କଂପାନିର ଲୋଗ, ମେସିନ୍ ଓ କେମିକାଲସ୍ ଜବତ କରାଯାଇଛି। ଏଇ ନକଲି ଜର୍ଦ୍ଦା କାରବାର ଘଟଣାରେ ସଂପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରି କରିଛି।  ଜବତ ହୋଇଥିବା ନକଲି ଜର୍ଦ୍ଦାର ପରିମାଣ ପ୍ରାୟ ଏକ ଟ୍ରକ୍ ହେବ ବୋଲି ଅନୁମାନ କରାଯାଉଛି। ଏଇ  ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି  ପୁଲିସ ପ୍ରାଥମିକ ଆକଳନରୁ ଜାଣିପାରିଛି।

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ପୁରୁଣାବଜାର ଥାନା ଅଞ୍ଚଳ ହେଉଛି ନକଲି ଜର୍ଦ୍ଦା ପ୍ରସ୍ତୁତକାରୀଙ୍କର  ପେଣ୍ଠସ୍ଥଳ। ଏଠାରେ ବର୍ଷକୁ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ପ୍ରସ୍ତୁତ  ହୋଇ କଲିକତାଠାରୁ ଆରମ୍ଭ କରି  ବିହାର  ଓ ଝାଡଖଣ୍ଡ ପର୍ଯ୍ୟନ୍ତ ଚାଲାଣ କରାଯାଉଛି। ‌ ସେହିପରି  ଓଡ଼ିଶାର ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କଟକ, କେନ୍ଦ୍ରାପଡା,  ଭୁବେନଶ୍ବର ଓ ବ୍ରହ୍ମପୁର ଆଦି ସହରକୁ ଭଦ୍ରକରୁ ପ୍ରସ୍ତୁତ ହେଉଥିବା ନକଲି ଜର୍ଦ୍ଦା ସପ୍ଲାଏ କରାଯାଉଛି। ଏଇ ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା ମାଫିଆଙ୍କ ସହ ଅନେକ ବଡବଡିଆଙ୍କ ସଂପୃକ୍ତି ରହିଛି। ପୁଲିସ ପ୍ରତି ବର୍ଷ  ଦୁଇତିନି ଥର ଚଢାଉ କରି  ନକଲି ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରି ଜଣେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଇ କଳା ବେପାରୀମାନେ ଜେଲରୁ ବାହାରି ପୁଣି ତାଙ୍କର  ନକଲି ଜର୍ଦ୍ଦା ତିଆରି  ସାମ୍ରାଜ୍ୟ ବିସ୍ତର କରିବାରେ ଲାଗି ପଡନ୍ତି।

ପୁରୁଣାବଜାର ଥାନା ଅଞ୍ଚଳରେ  ନକଲି ଜର୍ଦ୍ଦା ପ୍ରସ୍ତୁତି  ନିତି ଦିନିଆ ଘଟଣା ପାଲଟିଛି । ଏ ଦିଗରେ ପୁଲିସ  ଅଧିକ ଚଢାଉ କଲେ ଆହୁରି ଅନେକ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ ସଂସ୍ଥାର ଠାବ୍ ମିଳିବ। ଏ ଦିଗରେ ପୁଲିସର ଆନ୍ତରିକତାର ଅଭାବ ପାଇଁ ଭଦ୍ରକର ପୁରୁଣାବଜାର ଥାନା ଅଞ୍ଚଳରେ ନକଲି ଜର୍ଦ୍ଦା  ତିଆରି କାରବାର ବୃଦ୍ଧି ପାଉଛି ବୋଲି ସାଧାରଣରେ ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର