ଜାଟିଗୁଡ଼ା ଗ୍ରାମବାସୀଙ୍କ ଉପରେ ସରକାରଙ୍କ କୃପାଦୃଷ୍ଟି ପଡ଼ିବ କେବେ ? ଏବେବି ପହଞ୍ଚି ପାରନି ମୌଳିକ ସୁବିଧା

ଘୁ.ଉଦୟଗିରି : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିକାଶର ନାରା କେବଳ ପ୍ରଚାରପ୍ରସାରରେ ସୀମିତ ହୋଇ ରହିଯାଇଛି। ପ୍ରକୃତରେ ଗ୍ରାମାଞ୍ଚଳରେ କେତେ ବିକାଶ ହୋଇଛି, ତାହା କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଞ୍ଚଳ ବୁଲି ଆସିଲେ ନିଶ୍ଚିତ ଭାବେ ହୃଦୟଙ୍ଗମ ହେବ। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି, ରାଇକିଆ ବ୍ଲକ୍‌ ପେଟାପାଙ୍ଗା ପଞ୍ଚାୟତର ୧୧ ନମ୍ବର ୱାର୍ଡ଼ ଜାଟିଗୁଡ଼ା ଗାଁ। ଦୁଃଖର କଥା ହେଲା ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ସବୁ ମୌଳିକ ସୁବିଧା ଅପହଞ୍ଚ। ଗାଁରେ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ବି ନିର୍ମାଣ ହୋଇପାରିନି। ସ୍ଥିତି ଏମିତି ହୋଇଛି ଯେ, ବର୍ଷକୁ ଦୁଇଥର ଚାନ୍ଦା ଆଦାୟ କରି ଗ୍ରାମବାସୀ ରାସ୍ତା ତିଆରି କରୁଛନ୍ତି। ଜଙ୍ଗଲ ଓ ପାହାଡ଼ ଘେରା ସବୁଜିମା ପରିବେଶ ଭିତରେ ଅବସ୍ଥିତ ଜାଟିଗୁଡ଼ା ଗାଁ। ଟିଣ୍ଡିକାମ୍ବା, ମଡ଼ରମାହା ଓ ଜାଟିଗୁଡ଼ାରେ ୨୫ରୁ ଅଧିକ ପରିବାର ରହୁଛନ୍ତି। ଜନସଂଖ୍ୟା କହିଲେ ୧୩୦ରୁ ଅଧିକ। ଜାଟିଗୁଡ଼ା ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ସମସ୍ତେ ଆଦିବାସୀ। ଚାଷକାମ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକିବା ହେଉଛି ସେମାନଙ୍କ ପ୍ରମୁଖ ଜୀବିକା। କାମଧନ୍ଦା ଅଭାବରୁ ବହୁ ଯୁବକ ଦାଦନ ଖଟିବାକୁ କେରଳ ଏବଂ ବେଙ୍ଗାଲୁରୁ ପଳାଇଛନ୍ତି। ତେବେ ରାସ୍ତା ଅଭାବରୁ ଗ୍ରାମବାସୀ ଏକ ପରାଧୀନ ଜୀବନଯାପନ କରୁଛନ୍ତି।

ଜାଟିଗୁଡ଼ା ଗ୍ରାମରୁ ବ୍ଲକ୍‌ ସଦରମହକୁମା ରାଇକିଆର ଦୂରତା ୨୯କିମି। ସେହିପରି ପେଟାପାଙ୍ଗା ପଞ୍ଚାୟତର ଦୂରତା ୮ କିମି। ପଞ୍ଚାୟତ ହେଉ କି ବ୍ଲକ୍‌କୁ ଯିବାକୁ ହେଲେ ଗ୍ରାମବାସୀଙ୍କୁ ୫କିମି ଚାଲିଚାଲି ଯିବାକୁ ପଡ଼ୁଛି। ପ‌ରେ ସେମାନେ ଯାନବାହନରେ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛନ୍ତି। ରାସନକାର୍ଡ଼ରେ ଚାଉଳ ଆଣିବା ନିମନ୍ତେ ୫ କିମି ରାସ୍ତା ଗଦଗୁଡ଼ା ଯିବାକୁ ପଡ଼ୁଛି। ସବୁଠୁ ଚିନ୍ତାଜନକ କଥା ହେଲା, ଗାଁକୁ ରାସ୍ତା ନଥିବାରୁ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ୍ କିମ୍ବା ଅନ୍ୟ କୌଣସି ଗାଡ଼ି ଆସିପାରୁନି। ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଦୋଳାରେ ୫ କିମି ବୋହି ନେବା ପରେ ଗାଡ଼ି ମିଳୁଛି। ସେହିପରି ନିଜ ଜମିରେ ଉତ୍ପାଦିତ ପନିପରିବା ହେଉ କି, ଜଙ୍ଗଲଜାତ ଦ୍ରବ୍ୟକୁ ବଜାରକୁ ବିକ୍ରି କରିବାକୁ ହେଲେ ମୁଣ୍ଡରେ ବୋହି ନେବାକୁ ବାଧ୍ୟ ହେଉଛନ୍ତି। ସହରରେ ରାସ୍ତା ଉପରେ ରାସ୍ତା ନିର୍ମାଣ ହେଉଛି ଅଥଚ ଜାଟିଗୁଡ଼ା ଗ୍ରାମକୁ ମୂଳରୁ ରାସ୍ତା ନାହିଁ।

ମନରେଗାରେ ମଧ୍ୟ ରାସ୍ତାର ଉନ୍ନତୀକରଣ କଥା ବ୍ଲକ୍ ପ୍ରଶାସନ ଚିନ୍ତା କରୁ ନଥିବା ବେଳେ ଗ୍ରାମବାସୀ ଏକାଠି ହୋଇ ଚାନ୍ଦା ଆଦାୟ କରି ଶ୍ରମଦାନ କରୁଛନ୍ତି। ବର୍ଷକୁ ଥରେ ଦୁଇଥର କଚ୍ଚାରାସ୍ତାରେ ମାଟି ପକାଇ ସମତୁଲ କରୁଛନ୍ତି। ୧୧ ନମ୍ବର ୱାର୍ଡ଼ମେମ୍ବର ବୁଲେନ ପ୍ରଧାନ କହିଛନ୍ତି, ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳ ସମସ୍ତଙ୍କୁ ବାରମ୍ବାର କହିବା ପରେ ମଧ୍ୟ କିଛି ସୁଫଳ ମିଳିନି। ଆମେ ତ ଗରିବ ଆଦିବାସୀ। ଜଙ୍ଗଲ ଭିତରେ ଗାଁରେ ରହୁଛୁ। ଆମ କଥା କିଏ ଶୁଣୁଛି? କାମଧନ୍ଦା କିଛି ନାହିଁ। ମନରେଗାରେ କାମ ହେଉନି। କାମ କଲେ ଟଙ୍କା ମିଳୁନି। ଏଣୁ ଗାଁ ଲୋକ ଦିନମଜୁରିଆ ଭାବେ କାମ କରିବାକୁ ପଳାଉଛନ୍ତି। ବହୁ ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। ସେହିପରି ଟିଣ୍ଡିକାମ୍ବାରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ହେଲେ ପିଲା ସଂଖ୍ୟା କମିବାରୁ ସରକାରଙ୍କ ନୂତନ ନିୟମ ପ୍ରକାରେ ବିଦ୍ୟାଳୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର