ବଲାଙ୍ଗୀର: ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୨୫ ବର୍ଷ ଧରି କାମ କରି ଆସିଥିବା ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ଗୁରୁବାର ରାତି ୧୦ଟାରେ ପରଲୋକ ଘଟିଥିଲା। କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ସକାଳୁ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କଲା ପରେ କୋଭିଡ ଗାଇଡ୍‌ଲାଇନ୍‌ ଅନୁସାରେ ତାଙ୍କ ଶବ ସତ୍କାର ଭୁବନେଶ୍ୱର ସତ୍ୟନଗରଠାରେ କରାଯାଇଥିଲା। ଶେଷ ସମୟରେ ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ପୁରୋହିତ, ଭାଇ ଶିରିଶ ଖମାରୀ, କ୍ଷିତୀଶ ଖମାରୀ, ପୁତୁରା ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ, ସାମ୍ବାଦିକା ଗାର୍ଗୀ ଶତପଥୀ ଡାକ୍ତରଖାନା ପହଞ୍ଚି ସ୍ୱର୍ଗତ ଖମାରୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହାସହ ଅମରଆତ୍ମାର ସଦଗତି କାମନା କରିଥିଲେ। ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ମଧ୍ୟ ପରିବାରବର୍ଗଙ୍କୁ ସାକ୍ଷାତ କରି ସ୍ୱର୍ଗତ ଖମାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭୁବନେଶ୍ୱରରେ ଥିବା ତାଙ୍କ ସଂପର୍କୀୟ ବନ୍ଧୁବାନ୍ଧବ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ଭାଇ ଶିରିଶ ଖମାରୀ ମୁଖାଗ୍ନି ଦେଇଥିଲେ।

Advertisment

ଏପଟେ ବଲାଙ୍ଗୀର ଓ ପାଟଣାଗଡରେ ସ୍ୱର୍ଗତ ଖମାରୀଙ୍କ ବିୟୋଗ ଖବର ପରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଂଜଳି ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ସ୍ୱର୍ଗତ ଖମାରୀଙ୍କ ଫଟୋଚିତ୍ରରେ ଉପସ୍ଥିତ ସାମ୍ବାଦିକ ବୃନ୍ଦ ଶ୍ରଦ୍ଧାଂଜଳି ପ୍ରଦାନ ପୂର୍ବକ ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜଣେ ନିର୍ଭୀକ, ନିଷ୍ଠାପର, ପରୋପକାରୀ, ଶ୍ରଦ୍ଧାଳୁ ସାମ୍ବାଦିକଙ୍କୁ ବଲାଙ୍ଗୀର ଜିଲ୍ଲା ହରାଇଛି ବୋଲି ଉପସ୍ଥିତ ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି। ଏହି ଶୋକସଭାରେ ସଂଘ ସଭାପତି ଶ୍ରୀ ପୂଜାରୀଙ୍କ ସହ ମଂଚାସୀନ ଥିଲେ ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଓ ଗୋପବନ୍ଧୁ ଶତପଥୀ। ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ସଂଦୀପ କୁଅଁର, ଦୀପକ ପୁରୋହିତ, ସୁଧୀର ମିଶ୍ର, ବିଶ୍ୱଜିତ ଦାଶ, ଚନ୍ଦ୍ରଭାନୁ ମୋଲାନା ପ୍ରମୁଖ ସ୍ମୃତିଚାରଣ କରିଥିଲେ।

publive-image

ସାଂଗଠନିକ ସଂପାଦକ ଶରତ ମିଶ୍ର, ସାମ୍ବାଦିକ ଘଟେଶ୍ୱର ମିଶ୍ର, ନିରୋଜ ମିଶ୍ର, କରୁଣାକର ପଧାନ, ସଚ୍ଚିଦାନନ୍ଦ ବଗର୍ତ୍ତି, ଗୁପ୍ତେଶ୍ୱର ପୃଷ୍ଟି, ରାଜୀବ ଷଡ଼ଙ୍ଗୀ, ଚିତ୍ତରଂଜନ ସାହୁ, ସଂଜୟ ମିଶ୍ର, ବୀରେନ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀ ସୁଶାନ୍ତ ସିଂହ, ବିଡିସିସି ବ୍ୟାଙ୍କ ପୂର୍ବ ସଭାପତି ଲକ୍ଷ୍ମଣ ମେହେର, ଡ. ବାସୁଦେବ ପତି, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ, ପ୍ରଦୀପ୍ତ ମିଶ୍ର, ସୁମନ୍ତ ଭୋଇ, ଶରତ ମିଶ୍ର, ଯୁବନେତା ଲୋଟସ ଷଡ଼ଙ୍ଗୀ, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ସମ୍ବାଦ ପରିବାର ପକ୍ଷରୁ ମଧ୍ୟ ଗଭୀର ଶୋକପ୍ରକାଶ ପାଇଛି।