ଜଟଣୀ: ମା ଜଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଚଳିତ ମାସ ୫ ତାରିଖ ଠାରୁ ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ବହୁ ଆଡମ୍ବର ସହିତ ଆରମ୍ଭ ହୋଇଯାଇଛି।

ଶୁକ୍ରବାର ମଧ୍ୟାହ୍ଣ ୨ଟା ୩୦ରେ ଜଳଯାତ୍ରା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ବେଢାରେ ପହଞ୍ଚି ଥିଲେ। ପ୍ରଥମେ ସୂର୍ଯ୍ୟ ପୂଜା ତା’ପରେ ଘଟ ସ୍ଥାପନ କରାଯାଇଥିଲା। ସର୍ବ ଦେବା-ଦେବୀ ଆବାହନ, ମାଙ୍କ ଚଣ୍ଡୀପାଠ, ସଂଧ୍ୟାରେ ମହାସ୍ନାନ ପରେ ମାଙ୍କ ଦୁର୍ଲଭ ଶୈଳପୁତ୍ରୀ ବେଶ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ରାତି ୮ ଟା ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ଦିଆଯାଇଥିଲା। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନେ ବ୍ରହ୍ମଚାରିଣୀ ବେଶରେ ମାଙ୍କୁ ଦର୍ଶନ କରିଥିଲେ।

ଆଜି ସନ୍ଧ୍ୟାରେ ମା ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି ଏବଂ ସୋମବାର ମା କୁଷ୍ମାଣ୍ଡା ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଏଲ ଡି ମହାନ୍ତି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ଏହି ମହୋତ୍ସବକୁ ବିଜୟ କୁମାର ରାଜା, କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଣ୍ଡା, ସୁନୀଲ ମହାନ୍ତି, ତ୍ରିନାଥ ପାଟସାହାଣୀ, ସରୋଜ ପାଇକରା, ଅଶୋକ ଦାସ, କୃତିବାସ ପୃଷ୍ଟି, ପୁନିଆ ସାହାଣୀ, ଦିପୁ ପାଲ, ଶିବ ପ୍ରସାଦ, ତପନ ଦଳାଇ, ଇନା ବେହେରା, ବାଉରୀ ବନ୍ଧୁ ସାହାଣୀ, ବିଦ୍ୟାଧର ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର