କେନ୍ଦ୍ରାପଡ଼ା: ଯାହା ଆଶଙ୍କା କରାଯାଉଥିଲା, ସେୟା ହେଲା। ବାତ୍ୟା ‘ଜଵାଦ’ ପ୍ରଭାବରେ ଆଜି ଦିନତମାମ ମୂଷଳଧାରାରେ ବର୍ଷା ହଜାର ହଜାର ହେକ୍ଟର୍ ଧାନ ଫସଲକୁ ଉଜାଡ଼ି ଦେଇଛି। କ୍ଷେତରେ ଆଣ୍ଠୁଏ ପାଣି। କେଉଁଠି ଫସଲ ସ˚ପୂର୍ଣ୍ଣ ବୁଡ଼ିଯାଇଛି ତ’ କେଉଁଠି ମୂଳ ନଇଁଯାଇଥିବାରୁ ଧାନ କେଣ୍ତା ଉପରେ ପାଣି ଚାଲିଛି। ଯେଉଁ ହାରରେ ବର୍ଷା ହୋଇଛି ଏବ˚ କ୍ଷେତରେ ପାଣି ଜମିଛି; ଅନ୍ୟୁନ ଦଶ ପନ୍ଦର ଦିନ ପୂର୍ବରୁ ବିଲରୁ ପାଣି ଛାଡ଼ିବା ମୁସ୍କିଲ୍। ଆଉ ସେତିକିଦିନ ଯାଏ ପାଣିରେ ବୁଡ଼ି ରହିଲେ ପାଚିଲା ଧାନ ଗଜା ମାରିବା ଥୟ। ଏଭଳି ସ୍ଥିତିରେ ଖଳାରେ ଧାନ ଅମଳ କରିବାର ଯେଉଁ ସ୍ବପ୍ନ ଦେଖିଥିଲା, ପ୍ରକୃତି ତାକୁ ଛଡ଼ାଇ ନେଇଥିବାରୁ ଚାଷୀ ମୁଣ୍ତରେ ହାତ ଦେଇ ବସିଛି। ଅନେକ ତ ନିଜ ଆଖିଆଗରେ ବର୍ଷକର ଆହାର ପ୍ରକୃତି ମାଡ଼ରେ ଉଜୁଡ଼ିଯିବାର ଦୃଶ୍ୟ ଦେଖି କୋହ ସମ୍ଭାଳି ପାରୁନାହାନ୍ତି। ଜିଲ୍ଲାର ୧ ଲକ୍ଷ ୨୪ ହଜାର ୬୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ଏଥିରୁ ପ୍ରାୟ ୯୧ ହଜାର ହେକ୍ଟର ଜମି ଏବେ ପାଣିରେ ବୁଡ଼ି ରହିଛି। ଏହିସବୁ ଜମିରେ ଫସଲ ଉଜୁଡ଼ିଯିବା ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପଟେ ରେକର୍ଡ କହୁଛି, ଗତ ୨୪ଘଣ୍ଟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨୧ ମିଲିମିଟର୍ ବର୍ଷା ହୋଇଛି। ସର୍ବାଧିକ ବର୍ଷିଛି ରାଜନଗରରେ। ୬୫ମିଲିମିଟର୍ ବର୍ଷା ଏହି ବ୍ଲକ୍ ଅ˚ଚଳରେ ହୋଇଥିବା ବେଳେ ଗରଦପୁରରେ ୪୮ମିଲିମିଟର୍, ମହାକାଳପଡ଼ାରେ ୪୬ମିଲିମିଟର୍, ରାଜକନିକାରେ ୪୨ମିଲିମିଟର୍, ମାର୍ଶାଘାଇରେ ୩୬ମିଲିମିଟର୍, ପଟ୍ଟାମୁଣ୍ତାଇରେ ୨୭ମିଲିମିଟର୍, ଆଳିରେ ୨୦ମିଲିମିଟର୍, କେନ୍ଦ୍ରାପଡ଼ାରେ ୧୯ ମିଲିମିଟର୍ ଏବ˚ ଡେରାବିଶରେ ୧୮ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି। ବାତ୍ୟା ‘ଜଵାଦ’ ପ୍ରଭାବରୁ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ଆରମ୍ଭ ହୋଇଥିଲା। ଶନିବାର ଝିପଝିପ ବର୍ଷା ହୋଇଥିଲା। କିନ୍ତୁ ଆଜି ଦିନତମାମ ବର୍ଷା ଢାଳିଛି। ଏମିତି ଯେ ଜିଲ୍ଲାର ଅଧିକା˚ଶ ଅ˚ଚଳରେ ଧାନ ଫସଲକୁ ବୁଡ଼ାଇ ଦେଇଛି ବର୍ଷା। ଅମଳ ବେଳେ ଏଭଳି ବର୍ଷା ଧାନ ଫସଲକୁ ଉଜାଡ଼ି ଦେଇଥିବାରୁ ଚାଷୀ ହତାଶ ହୋଇପଡ଼ିଛି।