ଜଗତସିଂହପୁର: ପାଚିଲା ଧାନ ବିଲରୁ ପାଣି ଶୁଖିନାହିଁ। ଏଣେ ପୁଣି ଏକ ଝଡ଼ବାତ୍ୟା ଜୱାଦ୍‌ର ପାଣିପାଗ ପୂର୍ବାନୁମାନ ଚାଷୀଙ୍କ ନିଦ ହଜାଇ ଦେଲାଣି। ପାଣିଭର୍ତ୍ତି କ୍ଷେତରୁ ଧାନ କାଟି ପାରିନଥିବା ବେଳେ ଆକାଶରୁ ବର୍ଷା ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷା ଲାଗି ରହିଲେ ହଜାର ହଜାର କ୍ବିଣ୍ଟାଲ ଧାନ ବିଲରେ ପଚିବା ଥୟ। ଗତ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷ ଉଜୁଡ଼ି ଯାଇଥିଲା। ପ୍ରାୟ ୩୧ ହଜାର ହେକ୍ଟର ଧାନ ଚାଷ ଜମି ନଷ୍ଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ଏହାର କ୍ଷତିପୂରଣ ଚାଷୀ ପାଇନାହାନ୍ତି। ପାଣିପାଗ ବିଭାଗର ପୁଣି ଏକ ଭୟଙ୍କର ବର୍ଷାର ଆଶଙ୍କା ସତର୍କସୂଚନା ସହ ଧାନ କାଟିଆଣିବାକୁ ମାଇକ୍‌ରେ ଘନଘନ ଘୋଷଣା ଚାଷୀଙ୍କୁ ଅଡ଼ୁଆ ସ୍ଥିତିରେ ପକାଇଛି। ନିଜ ଦାୟିତ୍ବ ଶେଷ କରିବା ପାଇଁ ଜିଲ୍ଲା କୃଷି ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଲରେ ଥିବା ଧାନ କାଟି ଦେବା ପାଇଁ ଚାଷୀମାନଙ୍କୁ ସଚେତନ କରୁଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ସମ୍ପୂର୍ଣ୍ଣ ପ୍ରହସନ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଜିଲ୍ଲା କୃଷି ବିଭାଗର ସୂଚନା ମୁତାବକ, ଚଳିତ ଥର ୮୪ ହଜାର ହେକ୍ଟର ଧାନ ଓ ୧୫ ହଜାର ହେକ୍ଟର ଜମିରେ ପରିବା ଚାଷ କରାଯାଇଛି। ଗତ ଥର ଲଗାଣ ବର୍ଷାରେ ଜିଲ୍ଲାରେ ୩୧ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ସେଥିମଧ୍ୟରୁ ଏରସମା ବ୍ଲକରେ ସର୍ବାଧିକ ୧୨,୫୬୦ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହାର କ୍ଷତିପୂରଣ ଚାଷୀମାନଙ୍କୁ ମିଳି ନାହିଁ। ଏବେ ବି ଅଧିକାଂଶ ଜମିରେ ପାଣି ଜମି ରହିଛି। ବିଲରେ ଧାନ ପାଚି ଗଲାଣି।

Advertisment

ବିଲ କାଦୁଅ ଥିବା ଯୋଗୁଁ ଚାଷୀ ପାଚିଲା ଧାନ ନଷ୍ଟ ହେଉଥିଲେ ମଧ୍ୟ ଏହାକୁ କାଟିବାକୁ ସକ୍ଷମ ହେଉନାହିଁ। ଇତି ମଧ୍ୟରେ ଆଉ ଏକ ବଡ଼ ବର୍ଷା ଆସୁଛି। ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି ଓ ଲିଫଲେଟ୍ ବଣ୍ଟା ଯାଉଛି। ଯେଉଁଥିରେ ବିଲରୁ ଧାନକାଟି ଆଣିବା ପାଇଁ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ବାସ୍ତବରେ ଏମିତି କରିବା ଚାଷୀଟିଏ ପାଇଁ ଆଦୌ ସମ୍ଭବ ନୁହେଁ। ଧାନ କାଟିବା ପାଇଁ ହଠାତ୍ ଏତେ ମଜୁରିଆ ଆସିବେ କେଉଁଠୁ? ଧାନ କାଟି ଚାଷୀ ଏହାକୁ କେଉଁଠି ସଂରକ୍ଷଣ କରି ରଖିବ ତାହା ମଧ୍ୟ ବଡ଼ ସମସ୍ୟା ପାଲଟିଛି। ଏଣେ ଏପରି ସ୍ଥିତିର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇନାହିଁ। ପୂର୍ବରୁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଖଳା ନିର୍ମାଣ ଯୋଜନା କରିଥିଲେ। ଏକାଦିକ୍ରମେ ୧୦-୧୫ ଜଣ ଚାଷୀ ଯେପରି ଖଳାରେ ଧାନ ରଖି ଅମଳ କରିବା ପାରିବେ ସେପରି ବ୍ୟବସ୍ଥା ରଖି ୪ ବର୍ଷ ତଳେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରାୟ ୫୦ଟି ପଞ୍ଚାୟତରେ ଖଳା ନିର୍ମାଣ କରାଯାଇଛି। ଆଉ ୧୪୮ଟି ପଞ୍ଚାୟତରେ ଏବେ ବି ଖଳା ନିର୍ମାଣ କରାଯାଇ ନାହିଁ। ନିର୍ମିତ ଖଳାଗୁଡ଼ିକ ମଧ୍ୟ ନିମ୍ନମାନର ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଜିଲ୍ଲାରେ ୧୦୫ଟି ସେବା ସମବାୟ ସମିତି ରହିଛି। ସେଥିରୁ ମାତ୍ର ୩୦ ଟି ସମିତିରେ ଧାନ ରଖିବା ପାଇଁ ବ୍ୟବସ୍ଥା ରହିଛି। ତେଣୁ ସମସ୍ୟା ହେଲା ବିଲରୁ ଧାନ କାଟି ନେଇ ଚାଷୀ ରଖିବେ କେଉଁଠି? ଗତକାଲି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆୟୋଜିତ ବୈଠକରେ ଜିଲ୍ଲାପାଳଙ୍କର ଏ ନେଇ ଦୃଷ୍ଟିଆକର୍ଷଣ କରାଯାଇଥିବା ଜଣାପଡ଼ିଛି। ଏଣୁ ନିଜ ଉପରୁ ବୋଝ ଖସାଇ ଜମିରୁ ଧାନ କାଟି ଆଣିବା ପାଇଁ କୃଷି ବିଭାଗ ଯେତେ‌ ସଚେତନ କଲେ ବି ଏହାର ଅର୍ଥ କିଛି ବି ନାହିଁ ବୋଲିଚାଷୀମାନେ ମତ ରଖୁଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ ମଧ୍ୟ ଏପରି ଅଭିଯୋଗକୁ ସ୍ବୀକାର କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା କାହା ହାତରେ ନାହିଁ। ତଥାପି ଯେତେ ସମ୍ଭବ ଧାନ କାଟି ହେବ, ଏହା ଉପରେ ଗୁରୁତ୍ବ ଦେବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ବର୍ଷା ଯୋଗୁଁ ଫସଲ ନଷ୍ଟ ହୁଏ, ତେବେ ନିୟମ ମୁତାବକ କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ‌ସେ କହିଛନ୍ତି।