ଘର ଛାତ ପକାଇବାକୁ ରାଜମିସ୍ତ୍ରୀଙ୍କୁ ନେଇ କାର୍‌ରେ ଆସୁ‌ଥିଲେ ଯବାନ, ଟିପ୍‌ର ଧକ୍କାରେ ୨ ମୃତ

ଓଡ଼ାପଡ଼ା: ଘର ଛାତ ପକାଇବା ପାଇଁ ରାଜମିସ୍ତ୍ରୀଙ୍କୁ କାର୍‌ରେ ବସାଇ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟିପ୍ର‌ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ପ୍ରାଣ ହାରିଛନ୍ତି ଯବାନ। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ରଥପଦା ନିକଟ ହାଡୁଆ କଇଁଆଁ ଛକଠାରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ମୃତକ ଯବାନ ହେଲେ ଗୋପବନ୍ଧୁ ରାଉତ (୩୭) ଓ ରାଜମିସ୍ତ୍ରୀ ମନୋଜ ବେହେରା (୩୫)।

ସୂଚନା ଅନୁସାରେ ରସୋଲ ଥାନା ଅଧିନ ଗଣ୍ଡନାଲି ଗ୍ରାମର ଗୋପବନ୍ଧୁ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଭାପୁର କୋତମ ଗ୍ରାମର ମନୋଜଙ୍କୁ ନେଇ‌ ଏକ କାର (ଓଡି୧୯-ଜେ ୩୧୩୫)ରେ ଘରକୁ ଆସୁଥିଲେ। ଏହି ସମୟରେ ରଥପଦା ନିକଟ ହାଡୁଆ କଇଁଆଁ ଛକଠାରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟିପ୍ର‌ (ଓଡି୦୫ଏମ-୫୦୧୮) ଉଭୟଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟ ଘଟିଥିଲା। ଗୁରୁତର ଅବସ୍ଥାରେ ଗୋପବନ୍ଧୁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟିପର ଡ୍ରାଇଭର ଫେରାର ଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗୋପବନ୍ଧୁ ସେନାରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସେ ପଂଜାବରେ ଚାକିରି କରୁଥିଲେ ଏବଂ କିଛି ଦିନ ପୂର୍ବରୁ ସେ ଛୁଟିରେ  ଘରକୁ ଆସିଥିଲେ। ଆଜି ଘର ଛାତ ପକାଇବାକୁ ସେଣ୍ଟରିଙ୍ଗ କାମ ପାଇଁ ରାଜମିସ୍ତ୍ରୀଙ୍କୁ ଆଣିବା ପାଇଁ ଯାଇଥିବା ବେଳେ ଫେରିବା ବାଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାର ହାରିଛନ୍ତି। ଗୋପବନ୍ଧୁଙ୍କ ପରିବାର ସମେତ ପୂରା ଗାଁରେ ଶୋକର ଛାୟା ଦେଖାଯାଇଥିବା ବେଳେ ରାଜମିସ୍ତ୍ରୀଙ୍କ ପରିବାର ଗରିବ ହୋଇଥିବାରୁ ଏବେ କେମିତି ଚଳିବ ତାଙ୍କର ପତ୍ନୀଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର