୩ ବର୍ଷ ଧରି ଶଯ୍ୟାଶାୟୀ ରହିବା ପରେ ଓଡ଼ିଶା ପୁଲିସର ଯବାନ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ

ମାଲକାନଗିରି: ଦିନେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ସହ ଲଢେଇ କରୁଥିଲେ । ସି.ଆର.ପି.ଏଫ ଓ ପାରା ମିଲିଟାରୀ ଫୋର୍ସକୁ ଜଙ୍ଗଲ ଭିତରେ ବାଟ ଦେଖାଉଥିଲେ । ତେବେ ସାମାନ୍ୟ ଏକ ଦୁର୍ଘଟଣା ପରେ ସେହି ବୀର ଯବାନ ଆଜି ଅସହାୟ ।

୩ ବର୍ଷ ଧରି ଶଯ୍ୟାଶାୟୀ ଓଡ଼ିଶା ପୁଲିସର ଯବାନ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ତେବେ ବାରମ୍ବାର ବିଭିନ୍ନ ଡାକ୍ତରଖାନା ଦୌଡି ଦୌଡି ନୟାନ୍ତ ହୋଇ ପଡିଛନ୍ତି ପରିବାର ଲୋକେ । ଆଉ ଚିକିତ୍ସା କରାଇବା ଲାଗି ସମ୍ବଳ ମଧ୍ୟ ନାହିଁ । ଏପରି ସ୍ଥିତିରେ ମାଲକାନଗିରି ଡାକ୍ତରଖାନାରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଯବାନଙ୍କ ପରିବାର ।

ଦୁର୍ଘଟଣାରେ ବଦଳି ଯାଇଛି ଯବାନଙ୍କ ଜୀବନ । ଶଯ୍ୟାଶାୟୀ ହୋଇଯାଇଛନ୍ତି ଓଏପିଏଫ୍ ଯବାନ । ମାଲକାନଗିରି ଜିଲ୍ଲା ଗୁଦନାଡ ଗାଁର ଓଏପିଏଫ ଯବାନ ରାମ ସିଂ ବୁରୁଦା । ୩ ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ସ୍ତ୍ରୀ ଓ ବାପାମାଆ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ନେଇ ନୟନ୍ତ ହେଲେଣି । ହେଲେ ଏବେ ଆଉ ସମ୍ବଳ ନାହିଁ ।

ସରକାରଙ୍କ ପକ୍ଷରୁ ରାମ ସିଂଙ୍କୁ ମାସିକ ୧୨ ହଜାର ଟଙ୍କା ମିଳୁଛି । ସେଥିରେ ତାଙ୍କ ଚିକିତ୍ସା ସହ ପରିବାର ପ୍ରତିପୋଷଣ ହେଉଛି । ଏବେ ଆର୍ଥିକ ସ୍ଥିତି ବିଗିଡି ଯିବାରୁ ରାମ ସିଂଙ୍କୁ ଅନ୍ୟ ଡାକ୍ତରଖାନାକୁ ନନେଇ ମାଲକାନଗିରି ଡାକ୍ତରଖାନାରେ ରଖି ଚିକିତ୍ସା କରାଉଛନ୍ତି ପରିବାର ଲୋକେ ।

ସମ୍ବନ୍ଧିତ ଖବର