ସମାଜସେବୀ ଜୟନ୍ତୀ ବୁରୁଦା ଭୁବନେଶ୍ବର ଏବଂ ଦିଲ୍ଲୀରେ ସମ୍ମାନିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ତଥା ସମାଜସେବୀ ଜୟନ୍ତୀ ବୁରୁଦାଙ୍କୁ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ବର ଏବଂ ନୂଆଦିଲ୍ଲୀରେ ସମ୍ମାନୀତ କରାଯାଇଛି।

ଭୁବନେଶ୍ବରଠାରେ ଆୟୋଜିତ ଆର୍ଯ୍ୟ ଆଵାର୍ଡ କାର୍ଯ୍ୟକ୍ରମର ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,ପୂର୍ବତନ ସାଂସଦ ପ୍ରଶନ୍ନ ପାଟଶାଣୀ ପ୍ରମୁଖ ଉପସ୍ଥିତ ରହି ଜୟନ୍ତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ନୂଆଦିଲ୍ଲୀ ଠାରେ ଆୟୋଜିତ ୧୦୦ ଗାର୍ଲସ କ୍ଲବ ତରଫରୁ ମଧ୍ୟ ତାଙ୍କୁ ସମ୍ନାନୀତ କରାଯାଇଥିଲା।

ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ଜୟନ୍ତୀ ଆଦିବାସୀ ମହିଳାଙ୍କ ଶିକ୍ଷା,ସ୍ବାସ୍ଥ୍ୟ,ଅନ୍ଧବିଶ୍ବାସ ଉପରେ କାମ କରୁଛନ୍ତି। ଦୁର୍ଗମରୁ ଅତି ଦୁର୍ଗମ ଅଂଚଳ ଯାଇ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ଦିଗଦର୍ଶନ ଦେବା ସହ କିପରି ବାଲ୍ୟ ବିବାହକୁ ରୋକିବା,କନ୍ୟା ଶିକ୍ଷା ଉପରେ ଗୁରୁତ୍ବ ଦେବା ବିଷୟରେ ବୁଝାଉଛନ୍ତି।

ଏଥିସହ ବଡିଦିଦି ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ କରି କିଛି ଆଦିବାସୀ ଯୁବତୀଙ୍କୁ ନେଇ ସେ ଗାଁ ଗାଁ ବୁଲି ଆଦିବାସୀ ମହିଳାମାନଙ୍କ ଭିତରେ ରହିଥିବା ବିଭିନ୍ନ କୁପ୍ରଥା,ଅନ୍ଧବିଶ୍ବାସକୁ ଦୂର କରୁଛନ୍ତି। ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ଅତିଥିମାନେ ଭୃୟସୀ ପ୍ରଶଂସା କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର