ଭଞ୍ଜନଗର: ଭଞ୍ଜନଗର-ଫୁଲବାଣୀ ରାସ୍ତାରେ ଥିବା ଚକରା ବିଷୋୟୀ ଛକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ବିପ୍ଳବୀ ବୀର ଚକରା ବିଷୋୟୀ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ବିଭାଗ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଚକରା ବିଷୋୟୀ କଲଚରାଲ୍ ଏକାଡେମୀ ପକ୍ଷରୁ ବିପ୍ଳବୀର ଏହି ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନଗରପାଳ ଗୋପବନ୍ଧୁ ମହାପାତ୍ର, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଜିଲ୍ଳା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ରବି ନାରାୟଣ ବେହେରା, ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ, ଡଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଚକରା ବିଷୋୟୀ କଲଚରାଲ୍ ଏକାଡେମୀ ସଭାପତି ଜଗବନ୍ଧୁ ଜେନା, ବ୍ଳକ୍ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚକରାଙ୍କ ତ୍ୟଗ ବଳିଦାନ ସର୍ମ୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ସ୍ଥାନୀୟ ବିଧାୟକ ତଥା ବାଚସ୍ପତିଙ୍କ ଉଦ୍ୟମକ୍ରମେ ଭଞ୍ଜନଗର ସହରରେ ଚକରାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିଥିବା ବେଳେ ଗତ ୨୦୧୭ ମସିହାରୁ ରାଜ୍ୟ ସ୍ତରୀୟ ଚକରା ଜୟନ୍ତୀ ପାଳନ ହୋଇ ଆସୁଛି। ବଳିଷ୍ଠ ପରାକ୍ରମ ସହ ଗରୀଲା ଯୁଦ୍ଧ ରଣ କୌଶଳରେ ଇଂରେଜ ମାନଙ୍କୁ ଦୋହଲାଇ ଦେଲା ଭଳି କ୍ଷମତା ରଖିଥିବା ଏହି ମହାନ୍ ସଂଗ୍ରାମୀଙ୍କୁ ଇତିହାସରେ ସଠିକ ଭାବେ ସମ୍ମାନ ଦିଆଯାଇ ପାରିନାହିଁ। ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଏକଜୁଟ କରି ଚକରାଙ୍କ ସଂଗ୍ରାମ ଇତିହାସକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରିବା ଜରୁରୀ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଘୁମୁସର ମାଟିରୁ ବିଦ୍ରୋହ ଆରମ୍ଭ କରି ରାଜ୍ୟର ବିଭିନ୍ନ କୋଣ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିଥିବା ଚକରାଙ୍କୁ ଆଗାମୀ ପିଢି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ସାମୁହିକ ଭାବେ ତୃଣମୂଳ ସ୍ତରରୁ ଉଦ୍ୟମ କରିବାକୁ ପଡିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥି ସଂଯୋଜନା କରିଥିଲେ।