ଭବାନୀପାଟଣା କ୍ଲଷ୍ଟର ଅଧୀନକୁ ଜୟପୁର ଆକାଶବାଣୀ ଯିବା ପ୍ରସଙ୍ଗ: ନିଜସ୍ୱ କାର୍ଯ୍ୟକ୍ରମ ସମୟ କମିବା ଆଶଙ୍କା! 

ଜୟପୁର: ଭବାନୀପାଟଣା କେନ୍ଦ୍ର ଅଧୀନକୁ ଜୟପୁର ଆକାଶବାଣୀ ଯିବା ନିଷ୍ପତ୍ତି ପ୍ରସଙ୍ଗକୁ ନେଇ କର୍ମଚାରୀଙ୍କ ମହଲରେ ବହୁ ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ପ୍ରତିବାର ସ୍ବର ମଧ୍ୟ ଉଠିଛି। ଏହାକୁ ନେଇ ବହୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ଚର୍ଚ୍ଚା ଆରମ୍ଭ କରିଛନ୍ତି। ନୂତନ କ୍ଲଷ୍ଟର ହେଲେ ଭବାନୀପାଟଣା କେନ୍ଦ୍ର ଅଧୀନକୁ ଜୟପୁର କେନ୍ଦ୍ର ଯିବାର ନିଷ୍ପତ୍ତି ହୋଇଥିବା ବେଳେ ଜୟପୁର କେନ୍ଦ୍ରର କ’ଣ ସ୍ବାଧୀନତା ରହିବ ସେ ନେଇ ପ୍ରସାର ଭାରତୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହି କେନ୍ଦ୍ର ରିଲେ ସେଣ୍ଟର ଭାବେ ରହିବ କିମ୍ବା କାର୍ଯ୍ୟକ୍ରମର ସମୟ କମିବ ନେଇ ଆଶଙ୍କା ସଂଶୟ ହେଲାଣି। ଯଦିଓ କାର୍ଯ୍ୟକ୍ରମ କମିବ ତାହେଲେ ସାମୟିକ ଉଦଘୋଷକ/ଉଦଘୋଷିକା ଓ ଉପସ୍ଥାପକ/ଉପସ୍ଥାପିକା କାମ କମ୍ ପାଇବେ, ଯାହା ଫଳରେ ସେମାନଙ୍କ ରୋଜଗାର ପାଇଁ ସଂକଟ ସୃଷ୍ଟି କରୁଛି। ଜୟପୁର ଆକାଶବାଣୀ କେନ୍ଦ୍ର ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ କିଭଳି କାର୍ଯ୍ୟକ୍ରମ କରିବେ ଓ ପ୍ରାପ୍ତ୍ୟ ପାଇବେ ସେ ନେଇ ଚିନ୍ତା ସୃଷ୍ଟି କରିଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

ଓଡିଶାରେ କଟକ, ସମ୍ବଲପୁର ପରେ ଜୟପୁର ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଏହି କେନ୍ଦ୍ର ତାହାର ନିଜସ୍ବ ପରିଚୟ ସୃଷ୍ଟି କରିପାରିଛି। ସର୍ବଭାରତୀୟ ଠାରୁ ଆର୍ନ୍ତଜାତୀୟ ସ୍ତରରେ ଅବିଭକ୍ତ କୋରାପୁଟ ପାଇଁ ଗୌରବ ଆଣିଛି। ସକାଳର ‌ବନ୍ଦେ ମାତରଂ ଠାରୁ ଆରମ୍ଭ କରି ରାତିର ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଦିନତମାମ ଲୋକଙ୍କୁ ମଧୁର ସ୍ବରରେ ବାନ୍ଧି ରଖିପାରିଛି। ଭୋର ୫ଟା ୫୫ ମିନିଟ୍‌ରେ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେଉଥିବା ବେଳେ ରାତି ୧୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଲୋକଙ୍କୁ ସେବା ‌ଯୋଗାଇ ଦେଇ ଆସୁଛି। ଦୈନିକ ପାଖାପାଖି ୧୭ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟକ୍ରମ ପ୍ରସାରଣ ହେଉଥିବା ବେଳେ ସେଥିରୁ ମୁମ୍ବାଇ ପ୍ରସାର ଭାରତୀ ପ୍ରାୟ ଅଢ଼େଇ ଘଣ୍ଟା, ଦିଲ୍ଲୀ ପ୍ରସାର ଭାରତୀ ପ୍ରାୟ ୩ ଘଣ୍ଟା ଓ କଟକ କେନ୍ଦ୍ର ପ୍ରାୟ ୨ ରୁ ୪ ଘଣ୍ଟାର କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ବେଳେ ଜୟପୁର କେନ୍ଦ୍ର ପାଇଁ ପାଖାପାଖି ୭ରୁ ୯ ଘଣ୍ଟା ସମୟ ମିଳୁଛି। ଯେଉଁଥିରେ ଚଳଚ୍ଚିତ୍ର ଓ ଆଲବମ୍ ସଙ୍ଗୀତ ପାଖାପାଖି ୪ ଘଣ୍ଟା ପ୍ରସାରଣ ହେଉଥିଲା।

ବଳକା ସମୟରେ ଜୟପୁର କେନ୍ଦ୍ର ଦ୍ବାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ସେହି ଅବଧିରେ ପ୍ରାୟ ୮ରୁ ୧୦ ଜଣ ସାମୟିକ ଉପସ୍ଥାପକ/ଉପସ୍ଥାପିକାମାନେ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ନିଜର ପ୍ରାପ୍ୟା ପାଇପାରୁଛନ୍ତି।‌ ସେଥିରେ କିଏ ୧୫ ମିନିଟରୁ ଆରମ୍ଭ କରି ୩୦ ମିନିଟ୍‌ର କାର୍ଯ୍ୟକ୍ରମ କରୁଛନ୍ତି। ଏଥିସହ ସକାଳୁ ରାତି ପର୍ଯ୍ୟନ୍ତ ୩ଟି ଅଧିବେଶନରେ ଦୈନିକ ୩ ଜଣ ସାମୟିକ ଉଦଘୋଷକ/ଉଦଘୋଷିକା କାମ କରୁଛନ୍ତି। ଏହି କେନ୍ଦ୍ରରେ ୯୬ରୁ ଅଧିକ ଜଣ ସାମୟିକ କର୍ମଚାରୀ ରହିଥିବା ବେଳେ ୫ଟି ଜିଲ୍ଲାର ଅନେକ କଳାକାର ଆସି ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏଠାରେ ଓଡିଆ, ଦେଶିଆ, କନ୍ଧ ଓ ସଉରା ଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। କନ୍ଧ ଭାଷାରେ ପୁନେଁଇ ଲେଞ୍ଜୁ, ସଉରା ଭାଷାରେ ତାରବା, ଆଦିବାସୀ ଭାଷାରେ ରିଞ୍ଜୋଡି, ଦେଶିଆ ଭାଷାରେ ଚଇତିଜହ୍ନ, କୃଷକ ପାଇଁ କିଷାନବାଣୀ, ଯୁବପିଢ଼ି ପାଇଁ ଯୁବବାଣୀ, କିଶୋରଙ୍କ ପାଇଁ କିଶୋର ଭାରତୀ, ଶିଶୁଙ୍କ ପାଇଁ ଟିକିରାଇଜ, ମହିଳାଙ୍କ ପାଇଁ ଘର ଓ ଘରଣୀ, ସମସ୍ତ ବର୍ଗ ପାଇଁ ବର୍ଣ୍ଣାଳୀ, ହିନ୍ଦୀ ଭାଷାରେ ଭାରତୀ, ଇଂରାଜୀ ଭାଷାରେ ଟକ୍ ଇନ୍ ଇଂଗ୍ଲିସ୍, ବିଜ୍ଞାନ ଭିତ୍ତିକ ବିଜ୍ଞାନିକା, ସ୍ବାସ୍ଥ୍ୟ ପାଇଁ ଆମ ଘର ଆମ ସଂସାର, ସାହିତ୍ୟ ପାଇଁ ଚୟନ ଓ ବିଭିନ୍ନ ଲାଇଭ୍ ଫୋନଇନ୍ କାର୍ଯ୍ୟକ୍ରମ ରହିଛି। ଏଥିସହ ସଙ୍ଗୀତ ଓ ନାଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି।

ଯଦି ଏହି କେନ୍ଦ୍ର ରିଲେ ସେଣ୍ଟର ଭାବେ ରହିବ ‌ତାହେଲେ ଜୟପୁର କେନ୍ଦ୍ରକୁ ‌କେତେ ସମୟ ମିଳିବ ଓ କେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ଓ କେଉଁ କାର୍ଯ୍ୟକ୍ରମ ବନ୍ଦ ହେବ ତାହା ସ୍ପଷ୍ଟ ହୋଇନାହିଁ। ଏଠାରେ ଭାଷା ଓ ସାଂସ୍କୃତିକଭିତ୍ତିକ କାର୍ଯ୍ୟକ୍ରମ ହେବ କିମ୍ବା ଏହି କେନ୍ଦ୍ରର କାର୍ଯ୍ୟକ୍ରମର ଅବଧି କମିଯାଇ ତାହାକୁ ଅନ୍ୟ କେନ୍ଦ୍ରରେ ପ୍ରସ୍ତୁତ କରାଯିବ ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ଏହାଦ୍ବାରା କଳାକାରମାନେ ପ୍ରଭାବିତ ହେବା ସହ ସାମୟିକ କର୍ମଚାରୀଙ୍କ ରୋଜଗାର ପନ୍ଥା କଣ ହେବ ସେନେଇ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର