ମଙ୍ଗଳବାର ଜୟଦେବ ଜୟନ୍ତୀ : ଅସଜଡ଼ା ଜନ୍ମପୀଠ, ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ଅଧାପନ୍ତରିଆ

ବାଲିଅନ୍ତା :ରାତି ପାହିଲେ ଜୟଦେବ ଜୟନ୍ତୀ। ଜୟଦେବ ଜୟନ୍ତୀ ଉତ୍ସବ ପାଳନ ନେଇ ସ୍ଥାନୀୟ କେନ୍ଦୁବିଲ୍ବ ସ୍ଥିତ ବିଶ୍ବକବି ଜୟଦେବଙ୍କ ଜନ୍ମପୀଠ ଚଳଚଞ୍ଚଳ ହୋଇପଡ଼ିଛି। ହେଲେ ପୀଠ ପରିସର ଅସଜଡ଼ା ଅବସ୍ଥାରେ ପଡ଼ି ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବ୍ଲକ, ତହସିଲ, ଜିଲ୍ଲା, ପର୍ଯ୍ୟଟନ ବିଭାଗ ତରଫରୁ ଏଯାଏ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ। ହେଲେ ଅନନ୍ତ ପରିବାର ଆନୁକୂଲରେ ଜୟନ୍ତୀ ଉତ୍ସବ ପାଳନ  ନେଇ ପୀଠ ପରିସରରେ ଏକ ସ୍ବେଚ୍ଛାକୃତ ସଫେଇ କାର୍ଯ୍ୟ କରାଯାଇଥିଲା। ସମାଜସେବୀ ଭାବଗ୍ରାହୀ ଗୋଚ୍ଛାୟତଙ୍କ ତତ୍ବାବଧାନରେ ଜୟଦେବ ପ୍ରଚ୍ଛଦ ପାର୍ଶ୍ବରେ ସଫେଇ କରାଯାଇଥିଲା। ଆଜିଠାରୁ ପୀଠ ପରିସରରେ ଆରମ୍ଭ ହୋଇଥିବା ବିଶ୍ବଶାନ୍ତି ଯଜ୍ଞ ଆସନ୍ତା ୪ ତାରିଖରେ ଉଦଯାପିତ ହେବ। ଏହି ପାର୍ଶ୍ବରେ ପ୍ରସ୍ତାବିତ ୭ କୋଟି ଟଙ୍କା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ମଂଜୁର ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ୨୦୧୮/୧୯ ଆର୍ଥିକ ବର୍ଷରେ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ବିଧାୟକ ଡ. ଅରବିନ୍ଦ ଢାଲି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଏହା ମଧ୍ୟରେ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ କଳାମଣ୍ଡପ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି ।

ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତାଷ ଦେଖା ଦେଇଛି। ଅନ୍ୟପକ୍ଷରେ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କାର୍ଯ୍ୟ ସରି ନଥିବାରୁ ସମ୍ମୁଖ ପାର୍ଶ୍ବରେ ଜୟଦେବ ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି। ହେଲେ ଜୟନ୍ତୀ ଉତ୍ସବ ପାଳନକୁ ଆଉ ମାତ୍ର କିଛି ଘଣ୍ଟା ବାକିଥିବା ବେଳେ ପ୍ରଶାସନ ପକ୍ଷରୁ ଆନ୍ତରିକତା ଦେଖାଦେଇ ନାହିଁ। ମହାମାରୀ କରୋନା ସଂକ୍ରମଣ ପାଇଁ ଗତ ଦୁଇବର୍ଷ ଧରି ପୀଠରେ  ଜୟନ୍ତୀ ଉତ୍ସବ ପାଳନ ବନ୍ଦ ରହିଥିଲା। ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଭୁବନେଶ୍ବର ଅନନ୍ତ ବାସୁଦେବ ମନ୍ଦିରରୁ  ପୀଠକୁ ଆସୁଥିବା ସଂକୀର୍ତ୍ତନ ପଦଯାତ୍ରା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରାଶାସନ ପକ୍ଷରୁ କୁହାଯାଇଛି।  ସୂଚନାଯୋଗ୍ୟ ସର୍କିଟ ହାଉସରେ ଗତ ୧ ତାରିଖ ପୂର୍ବାହ୍ନରେ ଖୋର୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ  ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବାଲିପାଟଣା ଶିଶୁଅନନ୍ତ ପୀଠ ଓ ଜୟଦେବ ପୀଠରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସ୍ଥିର ହୋଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ବାଇଁ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଜୟଦେବ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ, ବାଲିଅନ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକ, ବାଲିପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର