ଜୟଦେବ ପୀଠରେ ସଂଗ୍ରହାଳୟ ଓ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଅନ୍ତା: ବହୁ ପ୍ରତୀକ୍ଷିତ ଜୟନେବ ପୀଠ ପରିସରରେ ନୂତନ ସଂଗ୍ରହାଳୟ ଓ ମୁକ୍ତାକାଶ ରଙ୍ଗମଞ୍ଚ (ସାଂସ୍କୃତିକ କଳାମଣ୍ଡପ) ନିର୍ମାଣ ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମ୍ୟୁଜିୟମ ଓ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟୟ ଅଟକଳ କରାଯାଇଥିବା ୭ କୋଟି ଟଙ୍କା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟଙ୍କା ମଂଜୁର ହୋଇଛି। ହେଲେ ଏଥିମଧ୍ୟରୁ ୧ କୋଟି ୯୫ ଲକ୍ଷ ଟଙ୍କାର ଟେଣ୍ଡର ପ୍ରକ୍ରିୟା ସରିଛି। ପ୍ରକଳ୍ପ ବାବଦ ଅବଶିଷ୍ଟ ଅନୁଦାନ ଅର୍ଥ ଖୁବ ଶୀଘ୍ର ଟେଣ୍ଡର କରାଯିବ ବୋଲି ସୂଚନା ମିଳିଛି। ଏହି ଅର୍ଥରେ ୧୧୯ ଫୁଟ ଲମ୍ବ ୬୯ ଫୁଟ ଚଉଡ଼ାରେ କାରୁକାର୍ଯ୍ୟପୂର୍ଣ୍ଣ ନାଟ୍ୟମଣ୍ଡପ ନିର୍ମାଣ ହେବ। ଜୟଦେବ ଜୟନ୍ତୀ ତଥା ଅନ୍ୟାନ୍ୟ ସାଂସ୍କୃତିକ ଉତ୍ସବ ପାଳନ ବେଳେ ଉକ୍ତ ମଣ୍ଡପରେ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିସହିତ ପାଥୱେ ଓ ଉଜ୍ବଳ ଆଲୋକୀକରଣ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି କାର୍ଯ୍ୟର ମଧ୍ୟ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବ। ଜୟଦେବ ପୀଠାର ସାମଗ୍ରୀକ ବିକାଶ କାର୍ଯ୍ୟ ବର୍ଷକ ଭିତରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲା।

Sambad

ଏହି ପରିପ୍ରେକ୍ଷୀରେ ଅନ୍ୟ ପ୍ରମୁଖ ସମ୍ମାନିତ ଅତଥିମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ଜେନା, ଜୟଦେବ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣି, ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର, ୧୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବେଣ୍ଟପୁର ସମିତି ସଭ୍ୟ ତୈଲୋକ୍ୟ ମଙ୍ଗରାଜ, ଭି୍ଙ୍ଗାରପୁର ସରପଞ୍ଚ ଜୟଶ୍ରୀ ନାୟକ, ସରକଣା ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ଓ ଯୁବନେତା ସଂଜିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଉପରୋକ୍ତ ଅତିଥିବୃନ୍ଦ ବ୍ରାହ୍ମଣଷଡ଼ଙ୍ଗୀ- ଖମଙ୍ଗଶାସନ ଗ୍ରାମ ଉନ୍ନୟନ ରାସ୍ତାର ଉନ୍ନତିକରଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏନେଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ନବୀକରଣ କାର୍ଯ୍ୟ କରାଯିବ। ଏହି ଅବସରରେ ଗ୍ରାମ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସାଦ ଆଚାର୍ଯ୍ୟ ଓ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର