ଆଳି: ଦୃଢ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର୍ ମାନିଯାଏ। ଏପରିକି ଶାରୀରିକ ଅକ୍ଷମତା ଓ ଆର୍ଥିକ ଅନଟନ ସତ୍ତ୍ୱେ ଜଣେ ଯେ କିପରି ସଫଳତାର ଶୀର୍ଷରେ ପହଞ୍ଚିପାରେ ତା’ର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଜୟ ପ୍ରକାଶ ସାହୁ। ଜନ୍ମରୁ ମୂକ,ବଧିର। କେନ୍ଦ୍ରାପଡା ଜିଲ୍ଲା ନରେନ୍ଦ୍ରପୁର ଗ୍ରାମରେ। ସ୍କୁଲରେ ପାଠ ପଢା ସମୟରୁ କ୍ରିକେଟରେ ରୁଚି ରଖି ଆସିଛନ୍ତି ଜୟପ୍ରକାଶ। ସ୍କୁଲ,କଲେଜରେ ନିଜର କ୍ରୀଡା ଦକ୍ଷତା ପ୍ରଦର୍ଶନ କରି ସଫଳତା ସାଉଁଟିବା ପରେ ଓ ଏକାଧିକବାର ଓ୍ବାର୍ଲଡ ଡିଫ୍ ଟି-ଟ୍ବେଣ୍ଟି କ୍ରିକେଟ ଚାମ୍ପିଅନସିପ୍ରେ ଭାଗନେଇ ସଫଳ କ୍ରିକେଟ ଖେଳାଳି ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ହେଲେ ନିଜର କ୍ରୀଡା ସରଞ୍ଜାମଠୁ ଆରମ୍ଭ କରି ଏଥିନିମନ୍ତେ ଆବଶ୍ୟକ ହେଉଥିବା ଖର୍ଚ୍ଚର ଆର୍ଥିକ ବୋଝ ସମ୍ଭାଳିବା ପାଇଁ ଅସମର୍ଥ ଜୟପ୍ରକାଶଙ୍କ ପରିବାର। ଜଳଧର ସାହୁ ଓ ଜ୍ୟୋତିପ୍ରିୟାଙ୍କ ଏକମାତ୍ର ପୁଅ ଜୟପ୍ରକାଶ। ବାପା ଜଳଧର ଗାଁରେ ଛୋଟିଆ ଚା’ ଦୋକାନ କରି ଦୁଇ ଝିଅ,ପୁଅ,ପତ୍ନୀଙ୍କ ସମେତ ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାନ୍ତି। ଜୟପ୍ରକାଶ ଭୁବନେଶ୍ୱରର ବିପିନ ବିହାରୀ ଚୌଧୁରୀ ସ୍କୁଲ ଅଫ ଡିଫ୍ରୁ ମାଟ୍ରିକ ପାସ୍ କରିବା ପରେ କଟକ ଖପୁରିଆରେ ଆଇଟିଆଇ ଓ ସତ୍ୟଭାମା ଦେବୀ କଲେଜ ଅଫ୍ ହିୟରିଂ ଇମ୍ପେୟାର୍ସରୁ ଯୁକ୍ତ ଦୁଇ କଳାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପୂର୍ବରୁ ହାଇଦ୍ରାବାଦ, କୋଲକତା, ବାଙ୍ଗାଲୋର, ଛତିଶଗଡରେ ଓ୍ବାର୍ଲଡ ଡିଫ୍ ଟି-ଟ୍ବେଣ୍ଟି କ୍ରିକେଟ ଚାମ୍ପିଅନ୍ସିପ୍ ଖେଳିଥିବା ଜୟପ୍ରକାଶ ନୂଆଦିଲ୍ଲୀରେ ଅନୁଷ୍ଠିତ ଚତୁର୍ଥ ଟି-ଟ୍ବେଣ୍ଟି ଚାମ୍ପିଅନସିପ୍ରେ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ। ଅଲ୍ ଇଣ୍ଡିଆ ସ୍ପୋର୍ଟ୍ସ କାଉନସିଲ ଫର ଦି ଡିଫ୍ ଆନୁକୂଲ୍ୟରେ ୨୦୨୩ ଜାନୁଆରି ୧୦ ତାରିଖରେ ଥିରୁଭନନ୍ତପୁରମ୍ରେ ଅନୁଷ୍ଠିତ ହେବ ଓ୍ବାର୍ଲଡ ଡିଫ୍ ଟି-ଟ୍ବେଣ୍ଟି ଟି’ କ୍ରିକେଟ ଚାମ୍ପିଅନସିପ୍। ଏହି ଟି-ଟ୍ବେଣ୍ଟି ଚାମ୍ପିଅନ ସିପରେ ଭାଗନେବେ ୟୁକେ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା, ଘନା, କେନିଆ, ବାଙ୍ଗଲାଦେଶ, ନେପାଳ ସମେତ ଆୟୋଜକ ଭାରତୀୟ ଟିମ୍। ଏହି ଖେଳରେ ଭାରତୀୟ ଟିମ୍ରେ ସାମିଲ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜୟପ୍ରକାଶ। ଆଗାମୀ ମାସରେ ବାଙ୍ଗାଲୋରରେ ହେବ ଚୟନ ପ୍ରକ୍ରିୟା। ଏଥିପାଇଁ ଅଭ୍ୟାସ ଜାରି ରଖିଛନ୍ତି ସେ। ସେ ନିଜ ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ପହଞ୍ଚିବେ ଜୟପ୍ରକାଶ ନିଜ ଭାବଭଙ୍ଗୀରେ ଦୃଢୋକ୍ତି ବାଢିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/3116IMG-20220811-WA0124_6.jpg)