ଜୟପୁର ବାଇପାସ୍ ରାସ୍ତା ପ୍ରସ୍ତାବ; ପରିବହନ ଓ ରାଜପଥ ମନ୍ତ୍ରଳାୟରେ ଅଟକିଛି ଅନୁମୋଦନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବାଇପାସ ରାସ୍ତା ପ୍ରସ୍ତାବ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଳାୟରେ ଅନୁମୋଦନ ପାଇଁ ବର୍ଷକ ହେଲା ଲଟକି ରହିଥିବା ସୂଚନା ମିଳିଛି। ତେବେ ଏହା ଅତି ଶୀଘ୍ର ଅନୁମୋଦନ ହୋଇ ଆସିଲେ ଏହାର କାମ ଆରମ୍ଭ ହୋଇ ପାରିବ ବୋଲି କହିଛନ୍ତି ଜାତୀୟ ରାଜପଥର ରାଜ୍ୟ ମୁଖ୍ୟଯନ୍ତ୍ରୀ ଇଂ. ରଂଜିତ ସାହୁ। ଜିଲ୍ଲାପ୍ରଶାସନ ନିକଟରୁ ଏହି ପ୍ରସ୍ତାବ ଜାତୀୟ ରାଜପଥର ରାଜ୍ୟ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଯିବା ପରେ ସେ ଏହାକୁ ପ୍ରଶାସନିକ ଅନୁମୋଦିତ କରି କେନ୍ଦ୍ର ନିକଟକୁ ପଠାଇଦେଇଥିବା କହିଛନ୍ତି। ସେଠାରୁ ଅନୁମୋଦନ ହୋଇଆସିବା ପରେ ଜିଲ୍ଲାପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ।

ମନ୍ତ୍ରଳାୟରେ ବି ଆଡାଭାନସ୍ ଷ୍ଟେଜରେ ରହିଥିବା ଏବଂ ଏହି ମାସ ଏହା ଅନୁମୋଦିତ ହୋଇ ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟଯନ୍ତ୍ରୀ। ଜୟପୁର ସହରର ବାଇପାସ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ, ଘର ଓ ଗଛ କଟା ବାବଦରେ କ୍ଷୟକ୍ଷତି ପ୍ରଦାନ ପାଇଁ ୩୯କୋଟି ୫୬ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ସେଠାରୁ ଏହି ପ୍ରସ୍ତାବର ଅନୁମୋଦନ ହୋଇ ଆସିବା ପରେ ଚିହ୍ନଟ ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ତ୍ରି-ତ୍ରି-ଜି ନୋଟିଫିକେସନ୍ ହେବ।

ପ୍ରକାଶଯୋଗ୍ୟ, ଜୟପୁର ଉପକଣ୍ଠରେ ଥିବା ହୋଟେଲ ହାଲୋ ଜୟପୁର ନିକଟରୁ ବାହାରି ଉମୁରୀ ରେଳବାଇ ଓଭରବ୍ରିଜ୍ ନିକଟରେ ଏହି ବାଇପାସ୍ ରାସ୍ତା ମିଶିବ। ପ୍ରାୟ ୪କିଲୋମିଟର ୯୪୭ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତାରେ ବେସରକାରୀ, ସରକାରୀ ଜମି, ଘର, ଗଛ ଆଦି ରହିଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି।

୪ ଲାଇନ୍ ବିଶିଷ୍ଟ ଏହି ରାସ୍ତାର ଓସାର ୪୫ମିଟର ରହିବ। ଏଥି ପାଇଁ ୨୧.୫୧୪ ହେକ୍ଟର ଜମି ଅଧିଗ୍ରହଣ ହେବ। ଏଥିରେ ଜୟପୁର, ଦୁବୁଲି, ମକାପୁଟ, ଉମୁରୀ ପ୍ରଭୃତି ରାଜସ୍ବ ସର୍କଲର ୧୨୯ଜଣଙ୍କର ଜମି ନିଆଯିବ ବୋଲି ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଅଭିବକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରରେ ଗେଟଗୁଡ଼ା ଠାରୁ ଆରମ୍ଭ କରି ଟ୍ରାଫିକ ଛକ ମଧ୍ୟରେ ବିଭିନ୍ନ ସ୍ଥାନରେ ଗ୍ୟାରେଜ୍ ରହିଛି। ଟ୍ରକ, ବସ ଓ ଅନ୍ୟ ଭାରୀଯାନ ଗୁଡ଼ିକ ରାସ୍ତା ପାର୍ଶ୍ବରେ ପାର୍କିଂ କରି ବହୁ ସମୟରେ ରହୁଛି। କ୍ରମବଦ୍ଧିଷ୍ଣୁ ଜୟପୁର ସହରରେ ଏହି ରାସ୍ତାଟି ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ବିଶାଖାପାଟଣା, ରାୟପୁର, ହାଇଦ୍ରାବାଦ ଆଦି ସ୍ଥାନକୁ ଯାଉଥିବା ବହୁ ବସ, ଟ୍ରକ ଆଦିର ବି ଚଳାଚଳ ହେଉଛି। ସେଥି ପାଇଁ ସବୁ ବେଳେ ଟ୍ରାଫିକ ଜାମ୍ ହେବା ସହ ଛୋଟ ବଡ଼ ଦୁର୍ଘଟଣା ହେଉଛି। ଗତ ୮ତାରିଖ ଦିନ ଭିଜିଲାନସ୍ କାର୍ଯ୍ୟାଳୟ ସମ୍ମୁଖରେ ଟିପର ଧକ୍କାରେ ୨ଜଣ ବାଇକ୍ ଚାଳକଙ୍କର ମୃତ୍ୟୁ ହେବା ସହ ଉତ୍ତେଜିତ ଲୋକେ ଟିପରକୁ ନିଆଁ ଲଗାଇ ଦେଇଥିଲେ। ନିହାତି ରୁପେ ସହର ପାଇଁ ବାଇପାସ୍ ରାସ୍ତାର ଆବଶ୍ୟକତା ରହିଥିବାରୁ ତୁରନ୍ତ ଏହି ପ୍ରସ୍ତାବକୁ କେନ୍ଦ୍ର ଯେଭଳି ଅନୁମୋଦିତ କରିବ ସେ ଦିଗରେ ଦଳମତ ନିର୍ବିଶେଷ ବିଧାୟକ, ସାଂସଦ ଆଦି ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର