ଦ୍ରୁତଗାମୀ ବସରେ ହେଉଛି ବ୍ୟାପକ ଗଂଜେଇ ଚାଲାଣ; ମାସକରେ ୪ଟି ମାମଲା

ରାୟପୁରରେ କାଜୁ ଡ଼ବା ମଧ୍ୟରେ ମିଳିଲା ସବୁଜ ଜହର ଜୟପୁର ହବ୍

ଜୟପୁର: ଜୟପୁର ଅବିଭକ୍ତ କୋରାପୁଟ ଜିଲ୍ଲାର ଗଂଜେଇ ହବ ପାଲଟିଛି। ବିଭିନ୍ନ ତାରିକାରେ ଚାଲାଣକାରୀ ମାନେ ସବୁଜଜହରକୁ ଚାଳାଣ କରୁଛନ୍ତି। ଜୟପୁର ଦେଇ ଯାଉଥିବା ବିଭିନ୍ନ ଦ୍ରୁତଗାମୀ ବସ ଗୁଡ଼ିକରେ ବି ଚାଲାଣକାରୀଙ୍କୁ ଯାତ୍ରୀଭାବେ ପଠାଉଛନ୍ତି। ଗତକାଲି ରାୟପୁର ପୁଲିସ ଜୟପୁରରୁ ଯାଇଥିବା କାଜୁ ଟିଣ ଡବା ମଧ୍ୟରୁ ଗଂଜେଇ ଜବତ କରିଛି। ଏହି କାଜୁ ଟିଣ ଡବା ଗୁଡ଼ିକ ଜୟପୁରରୁ ରାୟପୁର ଯାଉଥିବା ଏକ ଦ୍ରୁତଗାମୀ ବସରେ ଯାଇଥିବା ଧରା ପଡ଼ିଥିବା ଜଣେ ଅଭିଯୁକ୍ତ କହିଥିବା ସୂଚନା ମିଳିଛି। ରାୟପୁର ପୁଲିସ ଉକ୍ତ ବସର କର୍ମଚାରୀଙ୍କୁ ଥାନାକୁ ନେଇ ପଚାରାଉଚରା କରୁଥିବା ସୂଚନା ମିଳିଛି। ସେ କୁଆଡେ ଜୟପୁରରୁ ଏହି ଗଂଜେଇ ନେଇଥିବା କହିଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଥମ ନୁହେଁ। ଏହି ମାସକ ମଧ୍ୟରେ ଏଭଳି ୪ଟି ଗଂଜେଇଚାଳାଣ ମାମଲା ଦ୍ରୁତଗାମୀ ବସ ଜରିଆରେ ହୋଇଥିବା ସୂଚନା ମିଳିଛି।

ଗତକାଲି ଦାମନଯୋଡ଼ିରୁ ସମ୍ବଲପୁର ଯାଉଥିବା ଏକ ବସରୁ ମଇଦଲପୁର ନିକଟରେ ୨୭କିଲୋ ଗଂଜେଇ ବ୍ୟାଗ ମିଳିଥିଲା। ଏହି ମାମଲାରେ ପୁଲିସ ବସର ଚାଳକ, କଣ୍ଡକ୍ଟର, ହେଲଫରଙ୍କ ସମେତ ଆଉ ୨ ଚାଳାଣକାରୀଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି। ସେଭଳି ଗତ ୩ଦିନ ତଳେ ଜ‌ୟପୁରରୁ ହାଇଦ୍ରାବାଦ ଯାଉଥିବା ଏକ ଘରୋଇ ବସରୁ ମୋଟୁରୁ ୩୭.୫୦କିଲୋ ଗଂଜେଇ ଜବତ କରାଯାଇଛି। ଏହି ମାମଲାରେ ବସ କର୍ମଚାରୀଙ୍କ ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲାକାନଗିରି ପୁଲିସ।

ସେଭଳି ଉମରକୋଟ ପୁଲିସ ରାୟପୁର ଯାଉଥିବା ଆଉ ଗୋଟିଏ ବସରୁ ବି ସେଭଳି ଗଂଜେଇ ଜବତ କରିଛି। ରିଙ୍ଗ ମାଷ୍ଟର ମାନେ ଏବେ ତାରିକା ବଦଳାଇ ପ୍ରତ୍ୟେକ ଦିନ ବିଭିନ୍ନ ଦ୍ରୁତଗାମୀ ବସ ଗୁଡ଼ିକରେ ଗଂଜେଇ ଚାଳାଣ କରୁଛନ୍ତି। ଜୟପୁରରୁ ରାୟପୁର, ବିଶାଖାପାଟଣା, ଭୁବନେଶ୍ବର, ସମ୍ବଲପୁର, ହାଇଦ୍ରାବାଦ ଆଦି ସ୍ଥାନକୁ ଯାଉଥିବା ବିଭିନ୍ନ ବସରେ ଏବେ ଏହି ଚାଳାଣକାରୀ ମାନେ ଯା’ଆସ କରୁଥିବା ଦେଖିବାକୁ ମିଳିଛି। ବହୁ ସମୟରେ ବସର ଡ୍ରାଇଭର ଓ କଣ୍ଡକ୍ଟର ଏହି ଚାଳାଣକାରୀ ମାନଙ୍କୁ ଚିହ୍ନି ପାରି ଏବଂ ବ୍ୟାଗ ଯାଂଚ କରି ଜାଣିବା ପରେ ରାସ୍ତାଘାଟରେ ଓହ୍ଲାଇ ଦେବା କିମ୍ବା ଗଂଜେଇକୁ ପିଙ୍ଗି ଦେଉଥିବା ଘଟଣା ଜାରୀ ରହିଛି। ପୁଲିସ କିମ୍ବା ଅବକାରୀ ବିଭାଗକୁ ସୂଚନା ଦେଲେ ଅଯଥାରେ ସେମାନଙ୍କୁ ବି ସେହି ମାମଲାରେ ଯୋଡି ଦିଆଯାଉଥିବା କହିଛନ୍ତି କିଛି ବସ ଚାଳକ ଓ କଣ୍ଡକ୍ଟର। ଥାନା ଓ ଅବକାରୀ କାର୍ଯ୍ୟାଳୟ ପାର୍ଶ୍ବ ଦେଇ ବସ ଗୁଡିକ ଯାଉଥିଲେ ହେଁ କେହି ବି ପୁଲିସ କିମ୍ବା ଅବକାରୀକୁ ସୂଚନା ଦେବାକୁ ବିଶ୍ବାସକୁ ନେଉ ନାହାନ୍ତି।

ଅନ୍ୟପକ୍ଷରେ ଏହାରି ମଧ୍ୟରେ ନବରଙ୍ଗପୁର ଓ ଆନ୍ଧ୍ର ପୁଲିସ ଜୟପୁର ସହରକୁ ଆସି କିଛି ଆଡ୍ଡାରେ ଗୁପ୍ତରେ ଚଢ଼ାଉ କରି ଫେରିଥିବା ସୂଚନା ମିଳିଛି। ଏପରିକି ଏହି ଚାଳାଣକାରୀଙ୍କ ପଛରେ ସ୍ଥାନୀୟ କିଛି ମାଫିଆ ମାନେ ରହିଥିବାରୁ ବସର କର୍ମଚାରୀ ମାନେ ବି ଭୟଭୀତ ହେଉଛନ୍ତି। ନିୟମିତ ଭାବେ ସବୁ ଦିନ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବସ ଗୁଡ଼ିକର ଯାଂଚ କରାଗଲେ ବହୁ ଚାଲାଣକାରୀ ଧରା ପଡ଼ିଥାନ୍ତେ ବୋଲି ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର