ଭବାନୀପାଟଣା ଆକାଶବାଣୀ କେନ୍ଦ୍ର ଅଧୀନକୁ ଯିବ ଜୟପୁର କେନ୍ଦ୍ର, ଚିନ୍ତାରେ ସାମୟିକ ଉଦଘୋଷକ ଓ ଉପସ୍ଥାପକ

ଜୟପୁର: ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା। ଲୁକାୟିତ ପ୍ରତିଭାକୁ ମଞ୍ଚ ପ୍ରଦାନ ଓ ଦେଶିଆ ଭାଷାରେ ବିଭିନ୍ନ କାର୍ଯ୍ୟକ୍ରମ କରିବା, ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରା ଲୋକଲୋଚନକୁ ଆଣିବା ସହ ତାକୁ ସଂଗୃହିତ କରି ରଖାଯାଉଥିଲା। ସରକାରୀ କର୍ମଚାରୀ ସହିତ ସାମୟିକ ଉପସ୍ଥାପକ ଓ ଉଦଘ‌ୋଷକ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଗୁଡିକୁ ଆଗକୁ ନେଇ ପାରୁଥିଲେ ଓ ଦେଶ ବିଦେଶରେ ଜୟପୁର ଅଞ୍ଚଳର ଟେକ ରଖି ପାରୁଥିଲେ। କିନ୍ତୁ ଆଗକୁ ତାହା କିଭଳି ହେବ ଅନିଶ୍ଚିନ୍ତତାରେ ରହିଛି। କାହିଁକି ନା ଭବାନୀପାଟଣା ଆକାଶବାଣୀ କେନ୍ଦ୍ରରେ ନୂତନ କ୍ଲଷ୍ଟର ଖୋଲି ତାହାର ଅଧୀନକୁ ଜୟପୁର ଆକାଶବାଣୀ କେନ୍ଦ୍ର ରହିବା ପାଇଁ ପ୍ରସାରଭାରତୀ ନିଷ୍ପତ୍ତି ନିଆଯାଇଛି। ଏନେଇ ସମସ୍ତ କେନ୍ଦ୍ର ମାନଙ୍କରେ ନିର୍ଦ୍ଦେଶପତ୍ର ପହଞ୍ଚି ସାରିଥିବା ବେଳେ ଜୟପୁର ଆକାଶବାଣୀ କେନ୍ଦ୍ର ତାହାର କିଭଳି ସ୍ବାଧୀନତା ବଜାୟ ରଖିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜ୍ୟରେ କଟକ ଠାରେ ୧୯୪୮ ମସିହାରେ ଆକାଶବାଣୀ କେନ୍ଦ୍ର ଆରମ୍ଭ ହେବା ପରେ ୧୯୬୩ ମସିହାରେ ସମ୍ବଲପୁର ଏହାପରେ ଜୟପୁର ଠାରେ ୧୯୬୪ ମସିହାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଆକାଶବାଣୀ ଜୟପୁର ଓଡ଼ିଆ, ହିନ୍ଦୀ ତଥା ଇଂରାଜୀ କାର୍ଯ୍ୟକ୍ରମ ବ୍ୟତିରେକ ବିଶେଷ ପ୍ରାଧାନ୍ୟ ଦେଇଥାଏ ଅବିଭକ୍ତ କୋରାପୁଟ ତଥା ଗଜପତି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ଜନଜାତିଙ୍କ ପାଇଁ ସେମାନଙ୍କ ଭାଷାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ। ଯେମିତି ସକାଳର ରିଞ୍ଜୋଡ଼ିରେ ଆଦିବାସୀ ସଙ୍ଗୀତ, କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇଲେଞ୍ଜୁ, ସୌରା ଭାଷାର କାର୍ଯ୍ୟକ୍ରମ ତାରବା ଏବଂ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚଇତିଜହ୍ନ।

ପ୍ରତିଦିନ ସକାଳ ୭ଟା ୨୫ ମିନିଟ୍‌ରେ ପ୍ରଚାରିତ ହେଉଥିବା ବର୍ଣ୍ଣାଳିର ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଶ୍ରୋତାଙ୍କ ଦ୍ଵାରା ବେଶ ଆଦୃତ ହୋଇପାରିଛି। ଏଥିସହ କୃଷକଙ୍କ ପାଇଁ କିଷାନବାଣୀ, ମହିଳାଙ୍କ ପାଇଁ ଘର ଓ ଘରଣୀ, ଯୁବବର୍ଗ ପାଇଁ ଯୁବବାଣୀ, କିଶୋରଙ୍କ ପାଇଁ କିଶୋର ଭାରତୀ ଓ ‌ଛୋଟ ପିଲାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ନାଟକ, ନୈବଦ୍ୟ, ଚୟନ, ହିନ୍ଦୀଭାରତୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ, କ୍ରିଡା ଓ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ହେଉଛି। ଅଧିକାଂଶ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ ସଂସ୍କୃତି, ପରମ୍ପରା, ଲୋକକଥାକୁ ସ୍ଥାନିତ କରି ଏହି କେନ୍ଦ୍ର ଅନେକ ସର୍ବଭାରତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇଛି। ସୂଚନାଯୋଗ୍ୟ, ଜୟପୁର ଠାରେ କେନ୍ଦ୍ର ଖୋଲିବାର ବହୁ ବର୍ଷ ପରେ ଡେପ୍ୟୁଟି ଡାଇରେକ୍ଟର ଜେନରାଲ୍ (ଡିଡିଜି) ପଦବୀ ରହିଥିଲା। ସେଥିରେ ଜଣେ ଅଧିକାରୀ ମଧ୍ୟ ରହି କେନ୍ଦ୍ର ପରିଚାଳନା କରୁଥିଲେ କିନ୍ତୁ ପରେ ତାଙ୍କର ବଦଳି ଅନ୍ୟତ୍ର ହୋଇ ଯାଇଥିଲା। ଏହାପରେ ଅନ୍ୟ ଜଣେ ଅଧିକାରୀଙ୍କୁ ଏଠାକୁ ବଦଳି ହେବା ପରେ ସେ ଯୋଗଦାନ କରିନଥିଲେ ଏଥିସହ ଡିଡିଜି ପଦବୀକୁ ଅନ୍ୟତ୍ର କେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ଦିଲ୍ଲୀ ପ୍ରସାର ଭାରତୀ ନିଷ୍ପତ୍ତି ହୋଇଛି ଯେ, ଓଡିଶାରେ ୩ଟି କ୍ଲଷ୍ଟର ଖୋଲାଯିବ କଟକ, ଭୁବନେଶ୍ବର ଓ ଭବାନୀପାଟଣା। ଭବାନୀପାଟଣାରେ କ୍ଲଷ୍ଟର ଅଧୀନରେ ଜୟପୁର, ବ୍ରହ୍ମପୁର, ବଲାଙ୍ଗୀର ଓ ଭବାନୀପାଟଣା ଆକାଶବାଣୀ କେନ୍ଦ୍ର ସମେତ ଦୁରଦର୍ଶନର ନୂଆପଡା, ପାଟଣାଗଡ, ଖରିଆର, ଉମ‌ରକୋଟ, ନବରଙ୍ଗରପୁର, ପଦ୍ମପୁରମ, ରାୟଗଡା, ଜୟପୁର, କୋରାପୁଟ, ସେମିଳିଗୁଡା, ମାଲକାନଗିରି, ପାରଳାଖେମୁଣ୍ଡି ଓ ଭବାନୀପାଟଣା କେନ୍ଦ୍ର ରହିବ। ଏନେଇ କଲିକତା ଆକାଶବାଣୀ କେନ୍ଦ୍ରରୁ ଜୟପୁର କେନ୍ଦ୍ରକୁ ଚିଠି ଆସିଥିବା ଜଣାପଡିଛି।

ଆକାଶବାଣୀ ପୂର୍ବତନ ବରିଷ୍ଠ ଉଦ୍‌ଘୋଷକ ଉଦୟ ଶଙ୍କର ଜାନୀଙ୍କ କହିବାନୁଯାୟୀ, ଏହାଦ୍ବାରା ଜୟପୁର କେନ୍ଦ୍ର ତାହାର ସ୍ବାଧୀନତା ହରାଇବ, ନିଜ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ସେଠିକାର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡିବ। ଜୟପୁର କେନ୍ଦ୍ର ନିଜର ଭାବନାକୁ ରୂପାନ୍ତରୀତି କରିପାରିବ ନାହିଁ। ଯୋଗାଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କଳାକାର ମାନ‌େ କାମ କରିଲେ ସେମାନଙ୍କ ପ୍ରାପ୍ତ୍ୟ ପାଇବାରେ ବହୁଳ ବିଳମ୍ବ ହେବ। ଏହା ଓଡିଶାର ତୃତୀୟ ତଥା ବହୁ ପୁରୁଣା କେନ୍ଦ୍ର ହୋଇଥିବା ବେଳେ ସେଠିକାର କଳାକାର ମାନ‌େ ଏଠି ପରୀକ୍ଷା ଦେଇ ଉର୍ତ୍ତୀଣ୍ଣ ହେଉଥିଲେ। ଏଣୁ ଜୟପୁରରେ କ୍ଲଷ୍ଟର ଖୋଲି ଡିଡିଜି ରଖାଯାଉ ବୋଲି କହିଛନ୍ତି। ସାମୟିକ ଉପସ୍ଥାପକ ମନୋଜ କୁମାର ପାତ୍ରଙ୍କ କହିବାନୁଯାୟୀ, ବିଭିନ୍ନ ଜନଜାତି ପାଇଁ ସେମାନଙ୍କ ଭାଷାରେ ବହୁ କାର୍ଯ୍ୟକ୍ରମ ହୋଉଥିଲା, ଯାହାକି ଭବାନୀପାଟଣାରୁ କାର୍ଯ୍ୟକ୍ରମ ପ୍ରସାରି‌ତ ହେଲେ ଗ୍ରାମାଞ୍ଚଳର ଲୋକେ ବୁଝିବା କଷ୍ଟକର ହେବ। କୋଭିଡ୍ ସମୟରେ ଏହି କେନ୍ଦ୍ର ବହୁ କାର୍ଯ୍ୟକ୍ରମ କରି ଦେଶରେ ପ୍ରଂଶସିତ ହୋଇଛି। କିନ୍ତୁ ସେଠାରୁ ଯଦି କାର୍ଯ୍ୟକ୍ରମ ରିଲେ କରାଯିବ ଶତାଧିକ ସାମୟିକ କର୍ମଚାରୀ ରୋଜଗାର ହରାଇବେ ବୋଲି କହିଛନ୍ତି। ସଙ୍ଗୀତକାର ଧୀରେନ୍ ମୋହନ ପଟ୍ଟନାୟକ, ସେଠାରେ ସଙ୍ଗୀତକାର ମାନଙ୍କୁ କାମ ମିଳିପାରୁ ନାହିଁ ତାହାଲେ ଏଠାକାର କଳାକାରଙ୍କୁ କେମିତି କାମ ମିଳବ‌ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ସେଠାକୁ କଳାକାର ମାନ‌େ ଯାଇ କାର୍ଯ୍ୟକ୍ରମ କରିବା କଷ୍ଟକର ହେବ ଓ ଏଠାର ବହୁ କଳାକାର ନିଜର ପ୍ରତିଭା ପଦର୍ଶନ କରିପାରିବ‌େ ନାହିଁ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର