ତେଲ ଟ୍ୟାଙ୍କର ଓଲଟି ପଡ଼ିବାରୁ ରାସ୍ତାରେ ଅଟକି ରହିଥିଲା ମଧ୍ୟାହ୍ନ ଭୋଜନ ଗାଡ଼ି, ଭୋକିଲା ରହିଲେ ୫୦ଟି ସ୍କୁଲର ଛାତ୍ରଛାତ୍ରୀ

ଜୟପୁର:  ଜୟପୁର ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ରାସ୍ତାର ଉଭୟପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିବା ବେଳେ ରଣ୍ଡାପାଲି ସେଣ୍ଟ୍ରାଲ କିଚେନରୁ ୫୦ଟି ସ୍କୁଲ ପାଇଁ ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ୫ଟି ଗାଡ଼ି ମଧ୍ୟ ଉକ୍ତ ରାସ୍ତାରେ ଅଟକି ରହିଥିଲା। ଫଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନଖାଇ ଭୋକିଲା ରହିଛନ୍ତି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦୁଇଟି ଜେସିବି ମେସିନ ଘଟଣାସ୍ଥଳରେ ପହଞ୍ଚି ତେଲ ଟ୍ୟାଙ୍କରକୁ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ। ୭ଘଣ୍ଟା ପରେ ଜେସିବ ମେସିନ୍‌ ସାହାଯ୍ୟରେ ଉକ୍ତ ତେଲ ଟ୍ୟାଙ୍କରକୁ ଉଠା ଯାଇଥିଲା।

ସୂଚନାଯୋଗ୍ୟ, ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ତେଲ ଟ୍ୟାଙ୍କରଟି ବିଶାଖାପାଟନମରୁ ରାୟପୁର ଯାଉଥିଲା। ଏହି ସମୟରେ କୌଣସି କାରଣରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ୟାଙ୍କରଟି ୨୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ତେଲ ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ସେଥିରୁ ତେଲ ବାହାରିବାରେ ଲାଗିଥିଲା।

ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କରରୁ ତେଲ ବାହାରୁଥିବା ଦେଖି ରାସ୍ତାର ଉଭୟ ପାର୍ଶ୍ୱକୁ କର୍ଡନ କରି ରଖିଥିଲା ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।

ସମ୍ବନ୍ଧିତ ଖବର