ଜେସିବି ସମେତ ୧୨ ବେଆଇନ ବାଲି ଓ ମାଟି ବୋଝେଇ ଗାଡ଼ି ଜବତ

ବାଲିଅନ୍ତା:ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ରାଜସ୍ବ ସର୍କଲ ଅଞ୍ଚଳରେ ଚଢ଼ଉ କରାଯାଇ ବେଆଇନ ଭାବେ ନଦୀରୁ ବାଲି ଓ ନଦୀପଠା ଅଞ୍ଚଳରୁ ମାଟି ନେଇ ଯାଉଥିବା ୮ଟି ଟ୍ରାକ୍ଟର , ୩ଟି ହାଇୱା ସମେତ ଗୋଟିଏ ଜେସିବି ଜବତ କରାଯାଇଛି । ଜବତ ଗାଡ଼ି ମାଲିକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି  ।

ପ୍ରାପ୍ତ ସୂଚନାନୁଯାୟୀ, ମହୁଖଣ୍ଡା , ବ୍ରାହ୍ମଣଷଡ଼ଙ୍ଗୀ , ପୁରୁଣା ଜଗନ୍ନାଥ ରାସ୍ତା, କାକରୁଦ୍ରପୁର, ପ୍ରତାପରୁଦ୍ରପୁର , ଝିଣ୍ଟିଶାସନ , ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତା ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଟ୍ରାକ୍ଟର ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା । ଗାଡ଼ି ମାଲିକ ତହସିଲରେ ଜରିମାନା ବାବଦ ଅର୍ଥ ପୈଠ କରିବା ପରେ ଛାଡ଼ି ଦିଆଯାଇଥିଲା । ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ‌ତତ୍ବାବଧାନରେ ୧୫ ଜଣିଆ ତହସିଲ ଓ ରାଜସ୍ବ ବିଭାଗ ଟିମ ଏକା ସମୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।

ଟ୍ରାକ୍ଟର ପିଛା ୧୦ରୁ ୧୫ ହଜାର ଲେଖାଏଁ ଜରିମାନା ଅସୁଲ ହୋଇଥିବା ବେଳେ ହାଇୱା ପିଛା ୩୦ ହଜାର ଓ ଜେସିବିରୁ ୫୦ ହଜାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । କିଛି ଗାଡ଼ି ମାଲିକ ଆଜି ଜରିମାନା ଅର୍ଥ ତହସିଲ କାର୍ଯ୍ୟାଳୟରେ ପୈଠ କରିଥିବା ବେଳେ ଆଉ କିଛି ଗାଡ଼ି ମାଲିକ ଜରିମାନା ପ୍ରଦାନ କରି ନଥିବା ଜଣାଯାଇଛି ।

ଉ‌ଲ୍ଲେଖଯୋଗ୍ୟ, ଏକ ସପ୍ତାହ ହେବ ତହସିଲ ପ୍ରଶାସନ ପକ୍ଷରୁ ସ୍ଥାନୀୟ କୁଆଖାଇ , କୁଶଭଦ୍ରା ଓ ଭାର୍ଗବୀ ନଦୀ ପଠା ଅଞ୍ଚଳରେ ଚଢ଼ଉ ଜାରି ରହିଛି । ହେଲେ ବେଆଇନ ମାଟି ଓ ମାଟି ଚାଲାଣ ମାମଲାରେ ଗାଡ଼ି ମାଲିକ କିମ୍ବା କର୍ମଚାରୀମାନଙ୍କୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର