କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ଜେନାପୁର ପଞ୍ଚାୟତରେ ବସୁଧା ଯୋଜନାରେ ଆଦୌ ପାଇପ୍‌ ନବିଛାଇ ଲୋକଙ୍କୁ ପାଇପ୍‌ ପାଣି ଦିଆଯାଉଛି ବୋଲି ମିଛ ରିପୋର୍ଟ ଦେଇ ୧ କୋଟି ୫୪ ଲକ୍ଷ ୬୭ ହଜାର ଟଙ୍କାର ପ୍ରକଳ୍ପରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠିକାଦାର ଉଠାଇ ନେଇଥିବା ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋକାୟୁକ୍ତ ୧୦/୨୩ରେ ଏକ ମାମଲା ରୁଜୁ କରି ନିଜସ୍ବ ସଂସ୍ଥା ଦ୍ବାରା ଏହାର ତଦନ୍ତ ନିଦେର୍ଶ ଦେଇଥିଲେ। ଗତ ମାର୍ଚ୍ଚ ୧୭ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ କରାଯାଇଥିବା ବେଳେ ଆଜି ଡେପୁଟି ଡାଇରେକ୍ଟର ମାନଗୋବିନ୍ଦ ବିଶ୍ବାଳଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ ତଦନ୍ତ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଥିବାରୁ ଏହାପୂର୍ବରୁ ତଦନ୍ତ ଅଧିକାରୀ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ଜଣାଯାଇଛି।

Advertisment

ପ୍ରଥମ ତଦନ୍ତ ବେଳେ ୧୫ ଦିନ ମଧ୍ୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଚଣ୍ତିଖୋଲ ଆରଡବ୍ଲୁ ଏସ୍‌ଏସ୍‌ ଡିଭିଜନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ୩ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ ହୋଇନଥିବା ଅଭିଯୋଗକାରୀ ସର୍ବେଶ୍ବର ବେହେରା ପ୍ରକାଶ କରିଛନ୍ତି। ତଦନ୍ତକାରୀ ଦଳସହ ଥିବା ଆରଡବ୍ଲୁଏସ୍‌ଏସ୍‌ର ଏସ୍‌ଡିଓ ଅର୍ପିତ ବେହେରା ଓ କନିଷ୍ଠଯନ୍ତ୍ରୀ ରୁଦ୍ର କେଶରୀ ସେଠୀ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଣ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଏସଂପର୍କରେ ଜେନାପୁର ଗ୍ରାମର ଯୁବ ସମାଜସେବୀ ପ୍ରହଲ୍ଲାଦ ପାତ୍ରଙ୍କୁ ପଚାରିବାରୁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ସମସ୍ତଙ୍କ ଘରକୁ ପାଣି ଯାଉନି, ଅନେକ ସ୍ଥାନରେ ପାଇପ୍‌ ଫାଟି ରାସ୍ତାରେ ପାଣି ବହୁଛି। ଏହି ପ୍ରକଳ୍ପ ଉପରେ ଜେନାପୁର ପଞ୍ଚାୟତର ଜେନାପୁର, ଅରିମୂଳ, ପଥରଡିହସାହୁ, ଷ୍ଟେସନ ବଜାର, ଏରସଣ୍ତା ସମେତ ବିଭିନ୍ନ ଗ୍ରାମର ୪ ହଜାରରୁ ଊର୍ଦ୍ଧ୍ବ ଲୋକ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ବେଳେ ଅଧିକାଂଶ ଲୋକ ପାନୀୟ ଜଳରୁ ବଂଚିତ ହୋଇଛନ୍ତି।