ସମ୍ବାଦ ପ୍ରଭାବ, ବଦଳିଲା ହୀରାଖଣ୍ଡ ଏକ୍ସପ୍ରେସ୍ ଭାଗ୍ୟ, ଯୋଡ଼ିହେବ ଜର୍ମାନ ଟେକ୍ନୋଲୋଜିର ୧୨ ଏଲ୍ଏଚଭି କୋଚ୍

ରାୟଗଡ଼ା: ଦୀର୍ଘ ୨୧ ବର୍ଷ ପରେ ବଦଳିବ ହୀରାଖଣ୍ଡର ଭାଗ୍ୟ। ଟ୍ରେନରୁ ହଟିବ ପୁରୁଣା କୋଚ୍। ଯୋଡ଼ିହେବ ଜର୍ମାନ ଟେକ୍ନୋଲୋଜିରେ ତିଆରି ଏଲ୍‌ଏଚଭି କୋଚ୍। ସେପ୍ଟେମ୍ବର ୧୦ ତାରିଖରୁ ଭୁବନେଶ୍ବର-ଜଗଦଲପୁର ରୁଟରେ ଏବଂ ୧୧ ତାରିଖରୁ ଜଗଦଲପୁର- ଭୁବେନଶ୍ବର ରୁଟରେ ନୂଆ କୋଚ୍ ସହ ଗଡ଼ିବ ହୀରାଖଣ୍ଡ। ଏ ନେଇ ଇଷ୍ଟକୋଷ୍ଟ୍ ରେଲୱେ ୱାଲଟିୟର ଡିଭିଜନର ସିନିୟର୍ ଡିଭିଜିନାଲ୍ କର୍ମସିଆଲ୍ ମ୍ୟାନେଜର୍ ଏ. କେ. ତ୍ରିପାଠୀ ସୂଚନା ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ୍ ଲାଇନ୍ ଭାବେ ପରିଚିତ ହୀରାଖଣ୍ଡ ଏକ୍ସପ୍ରେସ୍। ଦୈନିକ ଛତିଶଗଡ଼ର ଜଗଦଲପୁର ସମେତ ଓଡ଼ିଶାର କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ଏବଂ ଆନ୍ଧ୍ରର ବିଜୟନଗରମ୍, ଶ୍ରୀକାକୁଲମ୍ ଜିଲ୍ଲାର ହଜାରହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଛି ହୀରାଖଣ୍ଡ ଟ୍ରେନ୍। ୨୧ ବର୍ଷ ପୁରୁଣା ଏହି ଟ୍ରେନରେ କୋଚ୍ ଗୁଡ଼ିକ ବହୁ ପୁରୁଣା ହୋଇଥିଲେ ମଧ୍ୟ ବଦଳୁ ନଥିବାରୁ ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇ ଆସୁଥିଲା। କିନ୍ତୁ ରେଳ ବିଭାଗ ଅଭିବକ୍ତ କୋରାପୁଟର ଦାବିକୁ ଅଣଦେଖା କରି ଆସୁଥିଲା।

ଅଗଷ୍ଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହୀରାଖଣ୍ଡ ଏକ୍ସପ୍ରେସରେ ଅବିଭକ୍ତ କୋରାପୁଟ ଗସ୍ତରେ ଆସିବା ପରେ ହୀରାଖଣ୍ଡର ଭାଗ୍ୟ ବଦଳିବା ନେଇ ଚର୍ଚ୍ଚା ହୋଇଥିଲା। ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଗଷ୍ଟ ୪ ତାରିଖରେ ସମ୍ବାଦରେ ‘ବଦଳିବ କି ହୀରାଖଣ୍ଡର ଭାଗ୍ୟ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। କେନ୍ଦ୍ର ରେଳମନ୍ତ୍ରୀ ଗସ୍ତ ସାରି ଫେରିବା ପରେ ହୀରାଖଣ୍ଡ ଏକ୍ସପ୍ରେସରୁ ପୁରୁଣା କୋଚ୍ ହଟି ୧୨ଟି ଏଲ୍‌ଏଚଭି କୋଚ୍ ଲାଗିବା ନେଇ ଆଜି ଘୋଷଣା ହୋଇଛି। ଜର୍ମାନ ଜ୍ଞାନ କୌଶଳରେ ପ୍ରସ୍ତୁତ ଏଲ୍‌ଏଚଭି କୋଚ୍ ଅଧିକ ଆରାମ ଦାୟକ, ଅତ୍ୟନ୍ତ ହାଲୁକା, ଅଧିକ ଗତିଶୀଳ ଓ ମାଲ ପରିବହନ କ୍ଷମତା ଶ୍ରେଣୀର। ଜଗଦଲପୁରରୁ-ଭୁବନେଶ୍ବରର ଦୂରତା ୭୮୬ କିମି ହୋଇଥିବା ବେଳେ ୧୭ ଘଣ୍ଟା ୫୫ ମିନିଟର ଯାତ୍ରା ପରେ ହୀରାଖଣ୍ଡ ଏକ୍ସପ୍ରେସ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ। କିନ୍ତୁ ପୁରୁଣା କୋଚ୍ ସହ ଅତ୍ୟାଧୁନିକ ସେବା ଟ୍ରେନରେ ଉପଲବ୍ଧ ନଥିବାରୁ ଶୀତତାପ ନିୟନ୍ତ୍ରିତ ଓ ସଂରକ୍ଷିତ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏଲ୍‌ଏଚଭି କୋଚ୍ ଲାଗିବା ପରେ ଏହା ଦୂର ହେବ ବୋଲି ‌ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୨ଟି ଏଲ୍‌ଏଚଭି କୋଚ୍ ମଧ୍ୟରେ ଦ୍ବିତୀୟ ଶ୍ରେଣୀ ଏସି ‌ଗୋଟିଏ କୋଚ୍, ତୃତୀୟ ଶ୍ରେଣୀ ଏସି କୋଚ୍ ୨ଟି, ଶୟନ ଶ୍ରେଣୀର ୪ଟି, ସେକେଣ୍ଡ କ୍ଲାସ ଶ୍ରେଣୀର ୩ଟି କୋଚ୍, ଲଗେଜ୍ ଓ ଭିନ୍ନକ୍ଷମ ବର୍ଗ ପାଇଁ ଗୋଟିଏ କୋଚ୍ ଏବଂ ଜେନେରେଟର ମୋଟର କାର୍ ଗୋଟିଏ କୋଚ୍ ରହିବ। ଓଡ଼ିଶାର ସବୁଠୁ ବିପଦ ଓ ରୋମାଞ୍ଚପୂର୍ଣ୍ଣ ରେଳ ଲାଇନ ରାୟଗଡ଼ା-କୋରାପୁଟ ରୁଟରେ ଥିବାରୁ ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟକ ରାଜ୍ୟ ଓ ରାଜ୍ୟ ବାହାରର ଏବଂ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ଟ୍ରେନରେ ଯାତାୟତ କରୁଛନ୍ତି। ନୂଆ କୋଚ୍ ଲାଗିବା ପରେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ। ୧୯୯୮ ମସିହାରେ କୋରାପୁଟ- ରାୟଗଡ଼ା ମଧ୍ୟରେ ରେଳପଥ ନିର୍ମାଣ ଶେଷ ହେବା ପରେ ୧୯୯୯ରୁ ଭୁବନେଶ୍ବରକୁ ହୀରାଖଣ୍ଡ ଏକ୍ସପ୍ରେସ୍ ଚଳାଚଳ କରୁଛି। ସୂଚନାଯୋଗ୍ୟ, ହୀରାଖଣ୍ଡ ପୂର୍ବରୁ ଇଷ୍ଟକୋଷ୍ଟ୍ ରେଲୱେ ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍, ବିଶାଖାପାଟଣା- କୋରବା-ବିଶାଖାପାଟଣା ଏକ୍ସପ୍ରେସ୍, ବିଶାଖାପାଟଣା-ତିରୁପତି-କାଡପା ଏକ୍ସପ୍ରେସ୍, ବିଶାଖାପାଟଣା-ନାନ୍ଦେଡ୍ ଏକ୍ସପ୍ରେସରେ ଏଲ୍‌ଏଚଭି କୋଚ୍ ଯୋଡ଼ିଛି।

ସମ୍ବନ୍ଧିତ ଖବର