ଦଶରଥପୁର: ମଙ୍ଗଳପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରର ଲକ୍ଷ୍ମୀଗଶେଣ ସୁନା ଦୋକାନ ମାଲିକଙ୍କୁ ବନ୍ଧୁକରେ ଆକ୍ରମଣ କରି ଆଜି ରାତିରେ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟେରାଙ୍କ ମାଡ଼ରେ ଗୁରୁତର ଆହତ ହୋଇ ସୁନା ଦୋକାନ ମାଲିକ ଏହି ଥାନା ଅନ୍ତର୍ଗତ ପାଲଟପୁର ପଞ୍ଚାୟତ ଧୋବାକୋଇଲି ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ପ୍ରଭାକର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ୩ ଟି ପଲସର ବାଇକ୍ରେ ଆସିଥିବା ୬ ଜଣ ଲୁଟେରାଙ୍କ ମଧ୍ୟରୁ ୨ ଜଣ ଧରାପଡ଼ିଥିବା ବେଳେ ଗୋଟିଏ ବାଇକ୍ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ସେହିପରି ସ୍ଥାନୀୟ ଲୋକଙ୍କ ମାଡ଼ରେ ଜଣେ ଲୁଟେରା ଆହତ ହୋଇଛି। ଆହତ ଲୁଟେରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ଅନ୍ୟ ଜଣେ ଲୁଟେରାକୁ ନିକଟସ୍ଥ ଶ୍ରୀରାମ ପୁଅ ଗ୍ରାମର ଲୋକମାନେ ଧାନବିଲରୁ କାବୁ କରି ପୁଲିସ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଧୋବାକୋଇଲି ଗ୍ରାମର ପ୍ରଭାକର ସାହୁ(୩୦) ଓ ତାଙ୍କ ଭାଇ ସୁଧାକର ମଙ୍ଗଳପୁର ବଜାରରେ ଥିବା ଥିବା ତାଙ୍କ ଲକ୍ଷ୍ମୀଗଣେଶ ସୁନା ଦୋକାନ ବନ୍ଦ କରି ଘରକୁ ଯାଉଥିଲେ। ରାସ୍ତାର ଷାଠିବାଟି ନିକଟରେ ୩ ଟି ପଲସର ବାଇକ୍ରେ ଆସିଥିବା ୬ ଜଣ ଲୁଟେରା ସେମାନଙ୍କୁ ଅଟକାଇବା ସହ ଭୟଭୀତ କରି ସୁନା ଓ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିିଥିଲେ। ପ୍ରଭାକର ଓ ଲୁଟେରାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଲୁଟେରାମାନେ ଏକ ବନ୍ଧୁକରେ ପ୍ରଭାକରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ପ୍ରଭାକର ଜଣେ ଲୁଟେରାକୁ ଜାବୁଡ଼ି ଧରିବା ସହ ଚିତ୍କାର କରିଥିଲେ। ନିକଟରେ ଥିବା ଷାଠିବାଟି ଗ୍ରାମର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଲୁଟେରାମାନେ ଖସି ପଳାଇ ଯାଇଥିଲେ। ପ୍ରଭାକର ଜାବୁଡ଼ି ଧରିଥିବା ଲୁଟେରା ଜଣକ ଧରାପଡ଼ିଯାଇଥିବା ବେଳେ ଗୋଟିଏ ବାଇକ୍ ଓ ଗୋଟିଏ ବନ୍ଧୁକକୁ ଛାଡ଼ି ଲୁଟେରାମାନେ ଫେରାର ହୋଇଯାଇଥିଲେ। ପରେ ଧାନବିଲରେ ଦୌଡ଼ୁଥିବା ଅନ୍ୟଜଣେ ଲୁଟେରାକୁ ନିକଟସ୍ଥ ଶ୍ରୀରାମପୁର ଗାଁଲୋକେ କାବୁ କରିବା ସହ ପୁଲିସ ଜିମା ଦେଇଥିଲେ। ଫେରାର ହୋଇଯାଇଥିବା ଲୁଟେରାମାନେ ପ୍ରଭାକରଙ୍କ ନିକଟରୁ ଗୋଟିଏ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିବା ବେଳେ ୨୦ ହଜାର ଟଙ୍କା ଓ ତାଙ୍କ ମୋବାଇଲ ଫୋନ୍କୁ ମଧ୍ୟ ନେଇଯାଇଛନ୍ତି। ହେଲେ ପ୍ରଭାକରଙ୍କ ଭାଇ ସୁଧାକର ଧରିଥିବା ଗହଣା ବ୍ୟାଗ୍ଟି ରହିଯାଇଛି। ଆହତ ପ୍ରଭାକର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ମାଡ଼ରେ ଗୁରୁତର ଆହତ ଜଣେ ଲୁଟେରାଙ୍କୁ ପ୍ରଥମେ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଲୁଟେରାକୁ ମଙ୍ଗଳପୁର ଥାନାରେ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି। ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dasarathpur-loot-photo.jpg)