କେନ୍ଦୁପତ୍ର କିଣା ଆରମ୍ଭ: ୯୭ହଜାର ଷ୍ଟାଣ୍ଡର୍ଡ ବ୍ୟାଗ୍ କିଣିବା ଲକ୍ଷ୍ୟ, ୬୬ହଜାର ତୋଳାଳିରୁ ୨୮ହଜାର ତୋଳିବା ଆରମ୍ଭ କଲେ

ଜୟପୁର: କୋରନା ସଂକ୍ରମଣର ଦ୍ବିତୀୟ ଲହର ଜାରୀ ରହିଛି। ଏବେ ବି ସହର ଠାରୁ ଗାଁ ପର୍ୟ୍ୟନ୍ତ ସଂକ୍ରମଣର ଭୟ ଲାଗି ରହିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ୬୬ହଜାର ୯୦୨ଜଣ ତୋଳାଳିଙ୍କ ଠାରୁ ୯୭ହଜାର ଷ୍ଟାଣ୍ଡାର୍ଡ ବ୍ୟାଗ ୧୨କୋଟି ୧୨ଲକ୍ଷ ୫ହଜାର କେନ୍ଦୁପତ୍ର କେରି କିଣା ଯିବା ଲକ୍ଷ୍ୟ ରହିଛି।  ଏହି ଧାର୍ୟ୍ୟ ଲକ୍ଷ୍ୟ ପୁରଣ ହେଲେ  କେରି ପିଛା ୨ଟଙ୍କା ୪୦ ପଇସା ହିସାବରେ ୨୫ କୋଟି ୨୫ଲକ୍ଷ ଟଙ୍କା ତୋଳାଳି ପାଇବେ। ପୁଣି ଏହା ସାଙ୍ଗକୁ ୫୦ ପ୍ରତିଶତ ବୋନସ ଏବଂ ଅନ୍ୟାନ୍ୟ ଯୋଜନାର ବି ଲାଭ ଉଠାଇ ପାରିବେ। ଏହାରି ମଧ୍ୟରେ ଜୟପୁର କେନ୍ଦୁପତ୍ର ଡିଭିଜନ ଅଧିନରେ ଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ରାୟଗଡା ଓ ମାଲକାନଗିରୀ ତିନୋଟି ଜିଲ୍ଲାର ୮ଟି ରେଂଜର ୩୩ଟି ସେକସନ୍ରେ ୧୪୯ଟି ପଂଚାୟତର ୫୧୦ଟି ଫଡ଼ି ଘରରେ  ଏବେ ପର୍ୟ୍ୟନ୍ତ ୨୮୬୪୬ଜଣ କେନ୍ଦୁପତ୍ର ତୋଳାଳି ୨କୋଟି ୬୪ଲକ୍ଷ ୭୯ହଜାର ୬୩ଟି କେରି ବିକ୍ରୀ କରିଛନ୍ତି। ଏବେ ବି କରୋନା ସଂକ୍ରମଣ ଭୟରେ ଆହୁରି ୩୮ହଜାର ୨୫୬ଜଣ ତୋଳାଳି ସାମିଲ ହୋଇ ନାହାନ୍ତି। ଏହି ସ୍ଥିତିରେ ବିରାଟବର୍ଗ ରହିଥିବା କେନ୍ଦୁପତ୍ର ତୋଳାଳିଙ୍କ ପେଟପାଟଣାକୁ ନେଇ ପ୍ରଶ୍ନ ଉଠିଛି।  ରୋଜଗାର ନଥିବାରୁ ଏହି ଆଦିବାସୀ ପରିବାରର ଆର୍ଥିକ ସ୍ଥିତି ଦୟନୀୟ ହେବାରେ ଲାଗିଛି। ଜୟପୁର ଡିଭିଜନରେ ଦୀର୍ଘ ୬ମାସ ହେବ ଖାଲି ପଡ଼ିଥିବା ଡିଏଫଓ ପଦବୀକୁ ସରକାର ଏବେ ପୁରଣ କରିଛନ୍ତି। ଗତ କାଲି ସଂଧ୍ୟାରେ ହିଁ ଏହି ପଦବୀରେ ଦେବଦତ୍ତ ପଟ୍ଟନାୟକ ନୂଆରେ ଯୋଗଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ କରୋନାର ଲକଡାଉନ୍, ସଟଡାଉନ୍ ମଧ୍ୟରେ ବହୁ ବାଧାବିଘ୍ନରେ ୫୮ହଜାର୨୪୮ଜଣ ତୋଳାଳି ୧୭କୋଟି ୬୦ଲକ୍ଷ ୮୩ହଜାର ୫୬୪ ଟଙ୍କାର ପତ୍ର ବିକ୍ରୀ କରିଥିଲେ। ଗତ ପେବୃଆରୀ ମାସରେ ଏହି ତୋଳାଳୀ ମାନେ ୫୦ପ୍ରତିଶତ ବୋନସ୍ ୮କୋଟି ୮୦ଲକ୍ଷ ୪ହଜାର ୧୭୮ଟଙ୍କା ପାଇଛନ୍ତି।

କୋରାପୁଟ ଜିଲ୍ଲାରେ ୩୩ଟି ପଂଚାୟତର ୬୦ଟି ଫଡ଼ି ମାଧ୍ୟମରେ ୧୧ହଜାର ୮୪୯ଜଣ ତୋଳାଳିଙ୍କ ମାଧ୍ୟମରେ ୬୪୦୦ ଷ୍ଟାଣ୍ଡାର୍ଡ ବ୍ୟାଗ କିଣାଯିବା ନେଇ ଯୋଜନା କରାଯାଇଛି।  ରାୟଗଡା ଜିଲ୍ଲାରେ ୩୪ଟି ପଂଚାୟତର ୭୭ଟି ଫଡ଼ି ମାଧ୍ୟମରେ ୧୦ହଜାର ୧୮୧ଜଣ ତୋଳାଳିଙ୍କ ମାଧ୍ୟମରେ ୧୨୦୦ ଷ୍ଟାଣ୍ଡାର୍ଡ ବ୍ୟାଗ ଓ ମାଲାକାନଗିରି ଜିଲ୍ଲାରେ ୮୨ଟି ପଂଚାୟତର ୩୭୩ଟି ଫଡ଼ି ମାଧ୍ୟମରେ ୪୪ହଜାର ୮୭୨ଜଣ ତୋଳାଳିଙ୍କ ମାଧ୍ୟମରେ ୮୫୦୦୦ ଷ୍ଟାଣ୍ଡାର୍ଡ ବ୍ୟାଗ କିଣାଯିବା ଯୋଜନା ରହିଛି।  କେନ୍ଦୁପତ୍ର କ୍ରୟ କରିବା ପାଇଁ ଗତ ବନଖଣ୍ଡର ୩୩ଟି ସେକସନ୍ ନିଲାମ କରାଯିବା ସହ ଅଗ୍ରୀମ ଏକତୃତୀୟାଂଶ ଟଙ୍କା ବିଭିନ୍ନ ରାଜ୍ୟର ନିଲାମଧାରୀ ଜାମା କରି ସାରିଲେଣି। ଖାସ୍ କରି ଏଥରକ ସିଧାସଳଖ ଭାବେ ପଶ୍ଚିମବଙ୍ଗର ବିଭିନ୍ନ ବିଡ଼ି ତିଆରି କଂପାନୀ ଓ ହାଇଦ୍ରାବାଦ ଓ ରାୟପୁରର ବି ଦୁଇଟି ସଂସ୍ଥା କେନ୍ଦୁପତ୍ର କିଣିବା ପାଇଁ ନିଲାମ ପାଇଛନ୍ତି। ଏପ୍ରିଲରୁ ମେ ମାସ ମଧ୍ୟରେ ତୋଳିବା ଆରମ୍ଭ ହୋଇଥାଏ। ଏହି କ୍ରମରେ ଧିରେ ଧିରେ ଏହା ଆରମ୍ଭ ହୋଇଛି। ୩୩ଟି ସେକସନ୍ରେ ନିଲାମ ସରିଥିବାରୁ କେନ୍ଦୁଲିଫ୍ ଡିଭିଜନ ବି ନିଲାମଧାରୀଙ୍କୁ ୧୨୯ଟି ଗୋଦାମ ହସ୍ତାନ୍ତର କରିଛି। ଖାସ୍ କରି ପତ୍ର ବନ୍ଦାଳି ଏବଂ ବସ୍ତାରେ ପ୍ୟାକ କରିବା କାମରେ ମହାରାଷ୍ଟ୍ର, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କଂପାନି କର୍ମଚାରୀ  ମାନେ ଉସ୍ତାଦ। ତେବେ ସେମାନେ ଆସିଥିବା ରାଜ୍ୟ ଗୁଡ଼ିକରେ କରୋନା ମହାମାରୀ ବ୍ୟାପିଥିବାରୁ ଉକ୍ତ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏବେ ପତ୍ର କିଣିବା ପାଇଁ ଏହା ଏକ ପ୍ରମୁଖବାଧା ସୃଷ୍ଟି କରିଛି। ଏଥି ପାଇଁ ଏବେ ଏହି ତିନି ଜିଲ୍ଲାପ୍ରଶାସନ ଚିନ୍ତାରେ। ସ୍ଥାନୀୟ ଶ୍ରମିକଙ୍କ ଦ୍ବାରା ଏହି କାମ କିଭଳି ହେବ ତାହାକୁ ନେଇ ବିଭାଗ ଏବଂ ଠିକାଦାର ମାନେ ଚିନ୍ତାରେ। ସେଭଳି ଅନ୍ୟ ପ୍ରତିବନ୍ଦକ ମଧ୍ୟରେ ଏସମୟରେ ହେଉଥିବା କାଳବୈଶାଖୀ ତା ସାଙ୍ଗକୁ ସଂକ୍ରମଣ ଭୟରେ ସାମିଲ ହୋଇନଥିବା ୩୮ହଜାରରୁ ଉର୍ଦ୍ଧ୍ବ ତୋଳାଳି ସାମିଲ ହୋଇନଥିବାରୁ  ଧାର୍ୟ୍ୟଲକ୍ଷ୍ୟ ପୁରଣରେ ବାଧା ସୃଷ୍ଟି କରିବ କି ବୋଲି ବିରାଟ ବଡ଼୍ ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର