ଜୟପୁର: ଗତ ଦେଢ଼ ବର୍ଷ ହେବ ଜୟପୁର ବିମାନ ବନ୍ଦର ୨ସି ବର୍ଗରେ ରହିଥିବା ବେଳେ ସଂପ୍ରତି ଏହାକୁ ୩ସିରେ ପରିଣତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ପାଇଁ ରନୱେର ଲମ୍ବ ଏବଂ ଓସାରକୁ ବୃଦ୍ଧି କରିବାକୁ ପଡ଼ିବ। ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ କିଛି ମାସ ହେବ ସର୍ଭେ କରାଯାଇଥିଲା। ସର୍ଭେ ସରିବା ପରେ ଏଥି ପାଇଁ ୨୪୨ଏକର ଜମିକୁ ଚିହ୍ନଟ କରି ଖୁଣ୍ଟ ପୋତାଯାଇଛି। ଜମି ମାପଚୁପ ବେଳେ ବାଙ୍କବିଜା ଗାଁ ମଧ୍ୟ ଦେଇ ଅଂଳାଭଟ୍ଟା କଲୋନୀ (ଏକମ୍ବା ସରକାରୀ ଉଚ୍ଚବିଦ୍ୟାଳୟର ପାଚେରୀ) ପର୍ଯ୍ୟନ୍ତ ଯାଉଛି। ତେବେ ଉଭୟ ଗାଁ ଉଠିବ ନାଁ ରହିବ ସେ ନେଇ ଗ୍ରାମବାସୀମାନେ ଚିନ୍ତାରେ, ଏବଂ ପ୍ରଶାସନ ବି କିଛି ସ୍ପଷ୍ଟ କରି ନାହିଁ। ଅପରପକ୍ଷରେ ଗତ ୬ମାସ ହେବ ରାଜ୍ୟ ସରକାରଙ୍କ ନିକଟକୁ ୨୪୨ଏକର ଜମି ଅଧିଗ୍ରହଣ କରିବା ପାଇଁ ଅନୁମୋଦନ ପାଇଁ ଯାଇଥିବା ବେଳେ ସେଠାରୁ ଏଯାଏଁ କିଛି ଉତ୍ତର ଆସି ନାହିଁ। କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଏହି ବିମାନବନ୍ଦର ନିର୍ମାଣ ସହ ବିମାନ ଚଳାଚଳ କରୁଥିବାରୁ ୨ସିରୁ ୩ସିକୁ ପରିବର୍ତ୍ତନ ପ୍ରକ୍ରିୟା ପାଇଁ ଡବଲଇଂଜିନ ସରକାର ଅନୁମୋଦନ କରିବ ବୋଲି ଅଂଚଳ ବାସୀ ଆଶା ପ୍ରକଟ କରିଛନ୍ତି। ସୂଚନା ଅନୁଯାୟୀ , ୯ସିଟ୍ ବିଶିଷ୍ଟ ଦୁଇଟି ବିମାନ ସଂପ୍ରତି ଚଳାଚଳ କରୁଛି। ଗୋଟିଏ ସପ୍ତାହକର ସାତ ଦିନ ଓ ଆଉ ଗୋଟିଏ ଦୁଇ ଦିନ। ଏହା ବାଦେ ବି ସବୁ ଦିନ ଯାତ୍ରୀଙ୍କୁ ସିଟ ମିଳିପାରୁନି। ଅଧିକା ସିଟ୍ ବିମାନ ଚଳାଚଳ କଲେ ଯାତ୍ରୀ ପରିବହନ ସୁଗମ ହେବା ସାଙ୍ଗକୁ ବ୍ୟବସାୟୀକ ଦୃଷ୍ଟିକୋଣରୁ ବି ଅଂଚଳର ବିକାଶ ହୋଇ ପାରିବ ବୋଲି ବିଭିନ୍ନ ମହଲରେ ଦାବି ହୋଇଥିଲା।

Advertisment

ଏହା ପରେ କେନ୍ଦ୍ର ଓ ରାଜ୍ୟସରକାର ଏହି ବିମାନବନ୍ଦରକୁ ୨ସି ବର୍ଗରୁ ୩ସି ବର୍ଗରେ ପରିଣତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସଂପ୍ରତି ୧୨୪ଏକର ପରିମିତ ପରିଧିରେ ବିମାନବନ୍ଦର ରହିଛି। ଏବେ ରନୱେ ୧୨୦୦ମିଟର ଲମ୍ବର ରହିଛି। ଗୋଟିଏ ପାର୍ଶ୍ବରେ କେନାଲ ଉପରେ୩୦ମିଟରର ୭ଟି ଟନେଲ ମଧ୍ୟରୁ ୫ଟି ଟନେଲର କାମ ସରିଛି। ଆଉ ୨ଟିର କାମ ଶେଷ ପର୍ଯ୍ୟାୟରେ ରହିଛି। ୨ସିରୁ ୩ସିକୁ ଗଲେ ରନୱେ ଆହୁରି ୧୫୦୦ମିଟର ଲମ୍ବ ଓ ୩୦୦ମିଟର ଓସାର ବୃଦ୍ଧି ପାଇବ। ଏହି ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନ ପକ୍ଷରୁ ପୁର୍ତ୍ତବିଭାଗ କେତେ ଟଙ୍କାର ଖର୍ଚ୍ଚ ଆସିବ ତାହାର ଡିପିଆର କରି ଅଟକଳ କରିଛନ୍ତି। ରନୱେ ବୃଦ୍ଧି ପାଇଁ ଆଉ ସର୍ଭେ କରି ୨୪୨ଏକର ଜମିକୁ ଚିହ୍ନଟ ସରିଛି। ଜମି ଅଧିଗ୍ରହଣ ପରେ କ୍ଷତିପୁରଣ ପ୍ରଦାନ ଓ ରନୱେ ସଂପ୍ରସାରଣ ପାଇଁ ଡିଜାଇନ୍ ଓଖର୍ଚ୍ଚ ଆଦିର ଅନୁମୋିଦନ କରିବାକୁ ରାଜ୍ୟସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିବା ସୂଚନା ମିଳିଛି।

ଅପରପକ୍ଷରେ ବିମାନବନ୍ଦରକୁ ଏନଏଚ୍ ୨୬ସହ ସଂଯୋଗ କରୁଥିବା ରାସ୍ତାର ଦୁଇ ପାର୍ଶ୍ବ ପ୍ରାୟ କିଲୋମିଟର ସଂପ୍ରସାରଣ ସହ ପ୍ରଶସ୍ତିକରଣ କରିବା ପାଇଁ ୧୦ଜଣ ଜମି ମାଲିକଙ୍କ ବର୍ଷକୁ ୨ଟି ଚାଷ କରୁଥିବା ୩.୫ଏକର ଜମି ଅଧିଗ୍ରହଣ କରାଯାଇଥିଲା। ତାସାଙ୍ଗକୁ ବିମାନବନ୍ଦରର ଆବଡ଼ାଖାବଡ଼ା ପରିଧି ସଜାଡିବା ପାଇଁ ସଉରାଗୁଡା ଓ ବାଙ୍କବିଜାର ୧୫ଜଣ ହିତାଧିକାରୀଙ୍କର ୧୦ଏକର ୭୫ସେଣ୍ଟ ଜମି ଅଧିଗ୍ରହଣ କରାଯାଇଥିଲା। ଏହି ହିତାଧିକାରୀମାନେ ଏଯାଏଁ କ୍ଷତିପୁରଣ ପାଇ ନାହାନ୍ତି। ରନୱେ ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପାଇଁ ଜମି ଚିହ୍ନଟ କରି ଖୁଣ୍ଟ ପୋତି ଦିଆଯାଇଛି। ସର୍ଭେରେ ଚିହ୍ନଟ ଓ ଖୁଣ୍ଟ ପୋତିବା ପରେ ୧୯୬୨ମସିହା ଏୟାରଷ୍ଟ୍ରିପ ସ୍ଥାପନ ପୂର୍ବରୁ ଥିବା ବାଙ୍କବିଜା ଓ ଅଁଳାଭଟ୍ଟା ଗାଁ ଉଠିବ ନା ନାହିଁ ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉ ବୋଲି ଉଭୟ ଗ୍ରାମବାସୀ , ପ୍ରଶ୍ନ କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କେହି ବି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି। ଅନ୍ୟପଟେ ଗ୍ରାମବାସୀମାନେ ବିମାନ ବନ୍ଦର ପାଇଁ ନିଜ ଭିଟାମାଟି ଛାଡ଼ିବାକୁ ପଡ଼ିବ କି ବୋଲି ସଂଦିହାନ।