କୋଭିଡ୍ ହସ୍ପିଟାଲ ଆରମ୍ଭ ହେବାର ୩୫ଦିନ ମଧ୍ୟରେ ୪୪୦ସଂକ୍ରମିତ ଭର୍ତ୍ତି: ୨୮୫ସୁସ୍ଥ, ୬୦ମୃତ

ଜୟପୁର: କୋଭିଡ୍ ହସ୍ପିଟାଲ ଦ୍ବିତୀୟ ବାର ଆରମ୍ଭ ହୋଇ ଆଜିକୁ ୩୫ଦିନ ହୋଇଛି। ଜିଲ୍ଲାର ୧୪ଟି ବ୍ଲକ, ୨ଟି ପୌରାଂଚଳ, ୨ଏନଏସିରୁ ୪୪୦ଜଣ ସଂକ୍ରମିତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେ ମଧ୍ୟରୁ ୨୮୫ଜଣ ଜୀବନ ସହ ସଂଘର୍ଷ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୮ବର୍ଷର ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କଠାରୁ ଆରମ୍ଭ କରି ୩ମାସର ଶିଶୁ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗର ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ହସ୍ପିଟାଲ ପରିସରରେ ହିଁ ଜଣେ ସଂକ୍ରମିତ ଗର୍ଭବତୀ ମା’ ଶିଶୁକୁ ଜନ୍ମ ଦେଇଥିବା ସହ ସ୍ଥାନୀୟ ପାରାବେଢ଼ା ଅଂଚଳର ସଂକ୍ରମିତ ମା’ ଓ ୩ମାସର ଶିଶୁ ବି ଜୀବନ ସହ ସଂଘର୍ଷ କରି ଉଭୟ ଜୀବନବାଜିରେ ଜିତି ଘରକୁ ଫେରିଛନ୍ତି। ବୋରିଗୁମ୍ମା ବ୍ଲକର ନାରିଗାଁର ବାପା, ମା ଓ ପୁଅଙ୍କ ସହ ଜିଲ୍ଲାର ବହୁ କୋଣ ଅନୁକୋଣର ବହୁ ପରିବାରର ସଦସ୍ୟ ଯଥା ବାପା, ମା, ଝିଅ, ପୁଅ ଏବଂ ସ୍ବାମୀ ଓ ସ୍ତ୍ରୀ ମଧ୍ୟ ସଂକ୍ରମିତ ହୋଇ ଏଠାରୁ ସୁସ୍ଥ ହୋଇ ଫେରିଛନ୍ତି। ସେଭଳି ଗତ କାଲି ୨୦ଜଣ ଓ ଆଜି ୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।

ସେଭଳି ଆଜି କୋଭିଡ୍ ହସ୍ପିଟାଲରେ ୭୫ଜଣ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗୁରୁତର ୨୦ଜଣ ସଂକ୍ରମିତଙ୍କୁ ବିଶାଖାପାଟଣା, ବ୍ରହ୍ମପୁର,ଭୁବନେଶ୍ବର, କଟକ, କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ବି ସ୍ଥାନାନ୍ତର କରାଯାଇଛି। ଏହାରି ମଧ୍ୟରେ କୋଭିଡ୍ ହସ୍ପିଟାଲରେ ୬୦ଜଣଙ୍କର ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟାଠାରୁ ୪ଗୁଣାରୁ ଅଧିକା ସୁସ୍ଥ ହେଉଥିବାରୁ ସଂକ୍ରମିତମାନେ ମନୋବଳ ନ ହାରି କରୋନା ସହ ଲଢ଼େଇ କରି ଜିତିବାକୁ ପଢ଼ିବ ବୋଲି କିଛି ସୁସ୍ଥ ହୋଇଥିବା ସଂକ୍ରମିତ ଓ କୋଭିଡ୍ ହସ୍ପିଟାଲର ଏଏମଓ ଡ.ଆଶିଷ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର