ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣର ଦ୍ବିତୀୟ ଜନଶୁଣାଣି: ପରିବାରର ଜଣକୁ  ନିଯୁକ୍ତି ଦେବାକୁ ଦାବି

ବଜାର ଦର ଅନୁସାରେ କ୍ଷତିପୁରଣ

ଜୟପୁର:‌ ଏହି ରେଳ ପ୍ରକଳ୍ପ ପାଇଁ ମୋର ୨ଟି ସ୍ଥାନରେ ଖରିଫ ଓ ରବିରେ ଧାନ ଅମଳ ହେଉଥିବା ଏକ ନମ୍ବର ଜମି ପଳାଇବ। ମଜୁରମୁଣ୍ଡାରେ ୨ଏକର, ଜୟନ୍ତଗିରୀରେ ୨ଏକର। ଏହି ଜମି ଉପରେ ହିଁ ମୁଁ ମୋ ପରିବାର ନିର୍ଭର ଥିଲୁ। ରେଳ ପ୍ରକଳ୍ପକୁ ମୁଁ ସ୍ବାଗତ କରୁଛି। କିନ୍ତୁ ଏଥି ପାଇଁ ମୁଁ ଓ ମୋ ପରିବାର ଦାଣ୍ଡର ଭୀକାରୀ ସାଜିବୁ। ଜମି ଚାଷ କଲେ ମୁଠାଏ ଭାତ ମିଳୁଥିଲା। ଆମେ ବଂଚୁଥିଲୁ। ଯଦି ଜମି ଅଧିଗ୍ରହଣ ହେବ ତେବେ ବଜାର ଦର ଅନୁଯାୟୀ କ୍ଷତିପୁରଣ ପ୍ରଦାନ କରିବା ସହ ତାଙ୍କ ଶିକ୍ଷିତ ବେକାର ପୁଅକୁ ଚାକିରୀ ଦିଆଯାଉ ବୋଲି ଜୟପୁର ତହସିଲ ଅର୍ନ୍ତଗତ ଜୟନ୍ତଗିରୀରେ ହୋଇଥିବା ନବରଙ୍ଗପୁର–ଜୟପୁର ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ଦ୍ବିତୀୟ ଜନଶୁଣାଣୀରେ କହିଛନ୍ତି ଜୟନ୍ତଗିରୀର ଧନପତି ଅମନାତ୍ୟ।

ଧନପତିଙ୍କ ଭଳି ଏହି ପ୍ରକଳ୍ପ ପାଇଁ ଜମି ଯାଉଥିବା ରଇଲୁ ଅମନାତ୍ୟଙ୍କ ଠାରୁ ଆରମ୍ଭ କରି ବହୁ ହିତାଧିକାରୀ ବଜାରଦର ଅନୁଯାୟୀ ଜମିକୁ ମୂଲ୍ୟ ଦେବା ସହ ସେମାନଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ରେଳବିଭାଗରେ ଚାକିରୀ ଦେବାକୁ ଦାବି କରିଥିଲେ  ଏହି ଜନଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଧିକାରୀ ଦେବେନ କୁମାର ପ୍ରଧାନ, ଉପଜିଲ୍ଲାପାଳ ତଥା ଜମି ଭୁ-ଅର୍ଜନ ଅଧିକାରୀ ହେମକାନ୍ତ ସୟ, ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ସ୍ବତନ୍ତ୍ର ଜମି ଭୁ-ଅର୍ଜନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ, ରେଳବିଭାଗର ଅଧିକାରୀ , ଜୟନ୍ତଗିରୀ ସରପଂଚ ଧନମଣି ଅମନାତ୍ୟ, କୁମୁଲିପୁଟ ସରପଂଚ ପ୍ରମୁଖ ଯୋଗ ଦେଇଥିଲେ।

ବହୁ ପ୍ରତିକ୍ଷୀତ ଜୟପୁର-ନବରଙ୍ଗପୁର ୪୧କିଲୋମିଟର ରେଳ ଚଳାଚଳ ପାଇଁ ଘୋଷଣା ହେବାର ଦୀର୍ଘ ୫ବର୍ଷ ପରେ ବି ଇଂଚେ ଜମି ଅଧିଗ୍ରହଣ ହୋଇ ନାହିଁ। ତେବେ ଆଜି ୫ବର୍ଷ ପରେ ଜମି ଅଧିଗ୍ରହଣ ପାଇଁ ଗତ ୭ତାରିଖ ଦିନ ପ୍ରଥମ ଜନଶୁଣାଣୀ ଆମ୍ବାଗୁଡାରେ ହୋଇଥିଲା ଦ୍ବିତୀୟ ଜନଶୁଣାଣୀ  ଜୟନ୍ତଗିରୀ ରାଜୀବଭନ ନିକଟରେ  ଅନୁଷ୍ଠିତ ହୋଇଯାଇଛି। ଗମନାଗମନର ବିକାଶ ‌ହେଲେ ନିଶ୍ଚିତ ରୁପେ ଅଂଚଳର ବିକାଶ ହେବ । ଜୟପୁରରୁ ନବରଙ୍ଗପୁର ରେଳପଥ ହେଲେ ପୁଣି ନବରଙ୍ଗପୁରରୁ ଜୁନାଗଡ଼ ବି ସଂଯୋଗ ହୋଇପାରିବ। ଏହା ଦ୍ବାରା ଅଂଚଳର ସାମଗ୍ରୀକ ବିକାଶ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କହିଥିଲେ।

ହିତାଧିକାରୀଙ୍କ କିଛି ଆପତ୍ତିଓଅଭିଯୋଗ ମାସକ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରାଗଲେ ପୁଣି ଥରେ ନୂଆରେ ସର୍ଭେ କରାଯାଇ ପୁର୍ନବାର ତାଲିକାରେ ଯୋଡା ଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଥିଲେ। ଜମି ମଧ୍ୟରେ ଯଦି ଘର, ଜଳାଶୟ, ପୋଖରୀ , ଫଳ ବଗିଚା କିମ୍ବା କିଛି ଅସ୍ଥାବର ସଂପତ୍ତି ତିଆରି କରାଯାଇଥାଏ ତାହାର ମୂଲ୍ୟ ବି ନୂଆ ନିୟମ ଅନୁଯାୟୀ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ହିତାଧିକାରୀଙ୍କ  ପ୍ରସ୍ତାବକୁ ସେ ଜିଲ୍ଲାପାଳଙ୍କ ଜରିଆରେ ରେଳବିଭାଗ ସହ ଆଲୋଚନା କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିଲେ।

ଏହି ପ୍ରକଳ୍ପ ପାଇଁ ଜୟପୁର ଓ ବୋରିଗୁମ୍ମା ତହସିଲ ଅର୍ନ୍ତଗତ ୨୦ଟି ଗାଁର ୭୩୨.୩୩୫ଏକର ଜମି ଅଧିଗ୍ରହଣ କରାଯିବ। ଆଜି ଜୟପୁର ତହସିଲର ଜୟନ୍ତଗିରୀ ଠାରେ ୧୫୧.୫୧୩ଏକର ଜମି ଅଧିଗ୍ରହଣ ପାଇଁ ୨ୟ ଜନଶୁଣାଣୀ ହୋଇଥିଲା। ଏଥିରେ ଜୟନ୍ତଗିରୀର ୧୧୧.୭୩୮ଏକର, ହରଡାପୁଟର ୩୩.୩୪୯ଏକର ,ହଡପାର ୬.୪୨୬ଏକର ଏଭଳି ୧୫୧.୫୧୩ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ହୋଇଥିଲା। ଆସନ୍ତା ୧୬ତାରିଖ ଦିନ ବୋରିଗୁମ୍ମାରେ ୨୬୭.୩୬ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଅନୁଷ୍ଠିତ ହେବ। ଏଥିରେ ବୋରିଗୁମ୍ମାର ୨୦୮.୨୦୮ଏକର, ଖୁଡିଗୁଡାର ୪.୮୮୦ଏକର, ଦୁଲ୍ଲାଗୁଡାର ୨୪.୬୧୬ଏକର, ଝିଲମିଲ୍ଲୀର ୨୯.୬୫୬ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ବୈଠକ ହେବ।  ୨୦ତାରିଖ ଦିନ କାମରା ଠାରେ ୮୧.୨୭୩ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ହେବ। ଏଥିରେ କୁନ୍ଦ୍ରାଗୁଡାର ୧୮.୭୮୯ଏକର, ଅଂଚଳାର ୨୨.୬୩୮ଏକର, ପର୍ଲ୍ଲୀର ୨୪.୬୦୯ଏକର, କାମରାର ୧୫.୨୩୭ଏକର ଜମି ଅଧିଗ୍ରହଣ ପାଇଁ ଆଲୋଚନା ହେବ। ୨୨ତାରିଖ ଦିନ ଝୁଜାରୀ ଠାରେ ୧୪୦.୫୫୫ଏକର ଜମି ଅଧିଗ୍ରହଣ ପାଇଁ ପ୍ରଥମ ପର୍ଯ୍ୟାୟର ଶେଷ ଜନଶୁଣାଣୀ ବୈଠକ ହେବ। ଏଥିରେ କହ୍ନେଇଯବାର ୧୯.୭୩୦ଏକର, କାଳିଆଗୁଡାର ୬୧.୯୮୪ଏକର, ମଝିଆର ୨୭.୦୮୬ଏକର, ଆଉଁଳିର ୧୯.୪୩୮ଏକର, ବରଗାଁର ୧୨.୩୧୭ଏକର ଜମି ପାଇଁ ଜନଶୁଣାଣୀ ହେବ। ଗ୍ରୀନ ଇଣ୍ଡିଆ ସଂସ୍ଥା ପକ୍ଷରୁ ବୈଠକକୁ ପରିଚାଳନା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୋରିଗୁମ୍ମା  ଏସଡିପିଓ ହରେକୃଷ୍ଣ ମାଝୀ, ବୋରିଗୁମ୍ମା ଥାନା ଅଧିକାରୀ ସଂଜୟ କୁମାର ମଣ୍ଡଳ ପୁଲିସ ଫୋର୍ସ ସହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର