ସମଗ୍ର ଶିକ୍ଷା ଅଭିଯାନ: ସ୍କୁଲ ନିର୍ମାଣରେ ହରିଲୁଟ୍‌, ଝାଡ଼ଖଣ୍ଡର ଠିକାସଂସ୍ଥାକୁ ଓଡ଼ିଶାର ନିର୍ମାଣ କାମ

ରାଉରକେଲା: ହାଇସ୍କୁଲ ପରେ ପ୍ରାଥମିକ ସ୍କୁଲର ଭିତ୍ତିଭୂମିର ବିକାଶ ନାଁରେ ଚାଲିଛି ହରିଲୁଟ୍‌। କେଉଁଠି ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାମକୁ ଠିକାସଂସ୍ଥାର ହାତକୁ ଟେକି ଦିଆଯାଉଛି ତ କେଉଁଠି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦିଆଯାଉଛି। ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ନିର୍ମାଣ କାମରେ ଏମିତି ସାଂଘାତିକ ଅଭିଯୋଗ ଆସୁଛି। ଜିଲ୍ଲାର ୧୭ ବ୍ଲକ, ରାଉରକେଲା ଓ ସୁନ୍ଦରଗଡ଼ରେ ପାଖାପାଖି ୧୨୦ରୁ ଅଧିକ ସ୍କୁଲ କୋଠା ନିର୍ମାଣ ହେଉଛି।

ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌), ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଓମ୍‌ବାଡ୍‌ସି) ପାଣ୍ଠିରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଭିତିରି ସଲାସୁତୁରା ଯୋଗୁଁ ସ୍କୁଲ କୋଠା ନିର୍ମାଣ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ନୂଆଗାଁ ବ୍ଲକର ଉଦାହରଣକୁ ନିଆ ଯାଇପାରେ। ବ୍ଲକରେ ସମଗ୍ର ଶିକ୍ଷା ଅଭିଯାନ ଅଧିନରେ ମୋଟ ୨୧ ସ୍କୁଲର କୋଠା ନିର୍ମାଣ କାମ ଚାଲିଛି। ୧୫ଟି ସ୍କୁଲର କାମ ଚାଲିଛି। ୬ଟି ସ୍କୁଲର କାମ ବାକି ରହିଛି। ବାରିଲେପ୍‌ଟା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ, ବାଗ୍‌ଡେଗା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ କାମରୁ ପାଣ୍ଠି କିପରି ହରିଲୁଟ୍‌ ହେଉଛି ସ୍ପଷ୍ଟ ବାରି ହୋଇ ପଡୁଛି। ଦୁଇଟି ସ୍କୁଲ କୋଠା ନିର୍ମାଣ ପାଇଁ ମୋଟ ୧ କୋଟି ୫୪ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ ହେଉଛି।

ବାରିଲେ୍‌ପଟା ସ୍କୁଲରେ ୭୮ ଲକ୍ଷ ୫୪ ହଜାର , ବାଗଡେଗା ସ୍କୁଲରେ ୭୬ ଲକ୍ଷ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଠିକା ସଂସ୍ଥା ନିଜେ କାମ ନ କରି ଅନ୍ୟ ୨/୩ ଜଣଙ୍କୁ ବାଣ୍ଟି ଦେଉଛନ୍ତି। ଯେଉଁମାନେ ମନଇଚ୍ଛା କାମ କରୁଛନ୍ତି। ନିମ୍ନମାନର ଇଟା, ସିମେଣ୍ଟ ସହ ରଡ୍‌ ବ୍ୟବହାର କରୁଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ସ୍ଥାନୀୟ ଅଞ୍ଚଳର କିଛି ବିଜେଡି ନେତା। ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କନିଷ୍ଠ ଯନ୍ତ୍ରୀ ସ୍କୁଲରେ ପହଞ୍ଚି ବ୍ୟବହାର ଇଟା ଓ ସିମେଣ୍ଟକୁ ଫେରାଇ ଦେବାକୁ ଠିକା ସଂସ୍ଥାକୁ ଦାଗିଦ୍‌ କରିଥିଲେ। ଠିକାସଂସ୍ଥା ବ୍ୟବହାର କରୁଥିବା ଇଟା ଓ ସିମେଣ୍ଟକୁ ଫେରାଇ ବାଧ୍ୟ ହୋଇଥିଲେ।

କେବଳ ବାଗ୍‌ଡେଗା ନୁହେଁ ବ୍ଲକର ଅଧିକାଂଶ ସ୍କୁଲରେ ସେହି ସମାନ ସ୍ଥିତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଏହି ଉପାନ୍ତ ବ୍ଲକରେ ଅଧିକାଂଶ ସ୍କୁଲ କୋଠା କାମ ଝାଡ଼ଖଣ୍ଡ ଠିକାଦାରଙ୍କ ହାତରେ ରହିଛି। ବ୍ଲକର ଟିସ୍‌କୋ, ଗୋପପୁର, ଝାହାରିଟୋଲି, କୋକେରମା, ମେନ୍‌ମେନା, ବାଲିମୁଣ୍ଡା, ଝାରବେଡା, ପଣ୍ଡୁଆ, କର୍କଟ, କୁଣ୍ଡ୍ରା ଆଦି ପ୍ରାଥମିକ ଉଚ୍ଚ ବିଦ୍ୟାଳୟର କୋଠା ନିର୍ମାଣ ନିମ୍ନମାନ ହେଉଥିବା ନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରୁଛନ୍ତି। ଅନ୍ୟପଟେ କାମ ତଦାରଖ ଦାୟିତ୍ବରେ ଅଛନ୍ତି ଜଣେ ମାତ୍ର କନିଷ୍ଠ ଯନ୍ତ୍ରୀ। ନିର୍ମାଣ କାମ ଠିକ୍‌ ଭାବେ ତଦାରଖ କରୁ ନଥିବାରୁ ତାହାର ଭରପୂର ଫାଇଦା ଉଠାଉଛନ୍ତି ଠିକାସଂସ୍ଥା। ମନଇଚ୍ଛା କାମ କରୁଥିବାରୁ ନିର୍ମାଣଧୀନ କୋଠାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ବାଗ୍‌ଡେଗା ସ୍କୁଲରେ ନିମ୍ନମାନର ଇଟା ବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା। ଠିକା ସଂସ୍ଥାକୁ ଏଭଳି ନିମ୍ନମାନର ଇଟା ବ୍ୟବହାର ନ କରିବାକୁ ଦାଗିଦ୍‌ କରାଯାଇଛି। ଅଧିକାଂଶ ଠିକାସଂସ୍ଥା ଅନ୍ୟମାନଙ୍କ ଦ୍ବାରା କାମ କରାଉଛନ୍ତି। ମାତ୍ର କାମ ଠିକ୍‌ ଭାବେ ହେଉଛି କି ନାହିଁ ନିଜେ ତଦାରଖ କରୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର