ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମେତ ୭ ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଆଜି ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ପଜିଟିଭ୍ ଥିବା ଜଣାପଡ଼ିଛି। ବେହରାମାଲ ଅଞ୍ଚଳର ୫୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଦେହ ଅସୁସ୍ଥ ଥିବାରୁ ପୂର୍ବରୁ ଗତ ୨୩ ତାରିଖ ଦିନ ସେ ସ୍ବାବ୍ ପରୀକ୍ଷା ପାଇଁ ଦେଇଥିଲେ। ଆଜି ତାଙ୍କ ଦେହ ବେଶୀ ଅସୁସ୍ଥ ହେବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସେଠାରେ ମେଡିସିନ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ।

ତେବେ ଅପରାହ୍ନରେ ପଜିଟିଭ୍ ରିପୋର୍ଟ ଆସିବା ପରେ ସେଥିରେ ଉକ୍ତ ବ୍ୟକ୍ତି ଥିବା ଜଣାପଡ଼ିବା ପରେ ସମଗ୍ର ମେଡିକାଲରେ ଆତଙ୍କ ଖେଳି ଯାଇଥିଲା। ତୁରନ୍ତ ଏମ୍ବୁଲାନ୍ସ ଯୋଗେ ଉକ୍ତ ରୋଗୀକୁ କୋଭିଡ୍ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ପଜିଟିଭମଧ୍ୟରେ ବ୍ରଜରାଜନଗର ଅଞ୍ଚଳର ୩ ଜଣ ୩୦, ୨୦ ଓ ୫୦ ବର୍ଷର ପୁରୁଷ ଏବଂ ଲଖନପୁର କୋଡ଼ାଲୋଇ ବିଜିଆର୍ କ୍ୟାମ୍ପରେ ଥିବା ୨୧ ,୧୯ ଓ ୨୨ ବର୍ଷର ପୁରୁଷ ଥିବା ଜଣାପଡ଼ିଛି।

ଜିଲ୍ଲରେ ବର୍ତ୍ତମାନ ସୁଦ୍ଧା ମୋଟ ୨୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ବର୍ତ୍ତମାନ ସକ୍ରିୟ ଥିବା ରୋଗୀ ହେଲେ ୬୯ ଜଣ। ଜଣଙ୍କ ମୃତ୍ୟୁ ହୋଇଛି। ଝାରସୁଗୁଡ଼ା ମଙ୍ଗଲବଜାର କୋଭିଡ୍ ହସପିଟାଲରେ ୬୮ ଜଣ ଚିକତ୍ସିତ ହେଉଥିବା ବେଳେ ଜଣେ ରାଉରକେଲାରେ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର