ଝାରସୁଗୁଡ଼ା: ଝାରସୁଗୁଡ଼ାସ୍ଥିତ ଭିଏସ୍ଏସ୍ ବିମାନବନ୍ଦରରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ‘ଆଲାଏନ୍ସ ଏୟାର’କୁ ଶୀତକାଳୀନ ଅନୁସୂଚୀ (ଵିଣ୍ଟର ସିଡ୍ୟୁଲ)ରେ ସ୍ଥାନ ମିଳିନାହିଁ। ଏହି ରୁଟ୍ ଉପରେ ଅଞ୍ଚଳର ବହୁଲୋକ ନିର୍ଭରଶୀଳ ଥିବାରୁ ଏହା ଯେମିତି ବନ୍ଦ ନ ହୁଏ ସେଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ଚଳିତ ମାସ ପ୍ରଥମ ସପ୍ତାହରେ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ବିଭିନ୍ନ କମ୍ପାନିଙ୍କୁ ନେଇ ବୈଠକ ହୋଇଥିଲା। ଅଦ୍ୟାବଧି ଉକ୍ତ ବୈଠକର କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଶୀତକାଳୀନ ଅନୁସୂଚୀ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ଭୁବନେଶ୍ବର ରୁଟ୍ରେ ପୁଣିଥରେ ବିମାନ ଚଳାଚଳ ଆଶା ମଉଳିବାରେ ଲାଗିଛି। ଶୁକ୍ରବାର ଜିଲ୍ଲା ପ୍ରଶାସନ ଓ କମ୍ପାନିଗୁଡ଼ିକ ମଧ୍ୟରେ ଆଉଥରେ ବୈଠକର ସୂଚନା ମିଳିଛି। ଝାରସୁଗୁଡ଼ାରେ ଉଡ଼ାନ୍ ଯୋଜନା ଶେଷ ହେବାର ୪ ବର୍ଷ ବିତି ଯାଇଥିବା ବେଳେ ଏୟାର ଲାଇନ୍ସ କ୍ଷତି ସହୁଥିବାରୁ ଏହି ସ୍ଥିତି ଉପୁଜିଛି। ସମସ୍ୟାର ସମାଧାନ ପାଇଁ ଏହି ୩ ଜିଲ୍ଲାରେ ଥିବା କମ୍ପାନିଗୁଡ଼ିକୁ କିଛି କିଛି ଆସନ ସଂରକ୍ଷିତ କରି ରଖିବାକୁ ଅନୁରୋଧ କରାଯାଇ ଥିଲା। କମ୍ପାନିଗୁଡ଼ିକ ଯଦି ଅନ୍ୟୂନ ୩୦ଟି ଆସନ ସଂରକ୍ଷିତ କରି ରଖନ୍ତି, ତେବେ ୭୨ ଆସନବିଶିଷ୍ଟ ବିମାନ ଚଳାଚଳରେ ଏୟାରଲାଇନ୍ସକୁ କ୍ଷତି ସହିବାକୁ ପଡ଼ିବ ନାହିଁ। ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖି ଏହି ରୁଟ୍କୁ ବନ୍ଦ ନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ଗ୍ରହଣ କରିଥିବା ସୂଚନା ମିଳିଛି।
ଝାରସୁଗୁଡ଼ା ବିମାନବନ୍ଦର ଭୁବନେଶ୍ବର ରୁଟ୍ ପାଇଁ ବାହାରୁନି ନିଷ୍କର୍ଷ
/sambad/media/post_attachments/wp-content/uploads/2023/10/Untitled-80.jpg)